ଚାମ୍ପିଅନ୍‌ସ ଟ୍ରଫି ଦଳରେ ବୀରେନ୍ଦ୍ର ଓ ଅମିତ

ସର୍ଦାର ଫେରିଲେ; ଶ୍ରୀଜେସ୍‌ ଅଧିନାୟକ

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୩ ତାରିଖରୁ ନେଦରଲାଣ୍ଡ୍‌ର ବ୍ରେଡାରେ ଆୟୋଜିତ ହେବାକୁ ଯାଉଥିବା ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତା ପାଇଁ ଗୁରୁବାର ଚୂଡାନ୍ତ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ହକି ଇଣ୍ଡିଆ ଦ୍ୱାରା ଘୋଷିତ ଏହି ଦଳରେ ଓଡ଼ିଶାରୁ କେବଳ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଶିବିରରେ ୪୮ ଜଣ ଯୋଗ ଦେଇଥିଲା ବେଳେ ସେଥିରେ ଓଡ଼ିଶାରୁ ୬ ଜଣ ସାମିଲ ଥିଲେ। ହେଲେ ବୀରେନ୍ଦ୍ର ଓ ଅମିତ୍‌ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲା ବେଳେ ନିଲମ୍‌ ସଞ୍ଜିବ୍‌ ଖେସ୍‌, ଦିପ୍‌ସାନ୍‌ ତିର୍କି, ଆନନ୍ଦ ଲାକ୍ରା ଓ ଅମନ ମିରାଜ୍‌ ତିର୍କି ବାଦ୍‌ ପଡ଼ିଛନ୍ତି। ଅବଶ୍ୟ ଅମିତ୍‌ ଦଳରେ ସ୍ଥାନ ବଜାୟ ରଖିଥିଲା ବେଳେ ବୀରେନ୍ଦ୍ରଙ୍କ ପ୍ରତ୍ୟାବର୍ତନ ଘଟିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ବାଦ୍‌ ପଡ଼ିଥିବା ବୀରେନ୍ଦ୍ର ଚାମ୍ପିଅନ୍‌ସ ଟ୍ରଫି ଦଳକୁ ଫେରିଥିଲା ବେଳେ ତାଙ୍କ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ମଧ୍ୟ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ସର୍ଦାର ସିଂହ ପୁଣି ଦଳକୁ ଫେରିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିରାଶ ସତ୍ତ୍ୱେ ହକି ଇଣ୍ଡିଆ ପିଆର୍‌ ଶ୍ରୀଜେସ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଚାମ୍ପିଅନ୍‌ସ ଟ୍ରଫି ଦଳର ଅଧିନାୟକ ମନୋନୀତ କରିଛି। ତାଙ୍କୁ ସହଯୋଗ କରିବା ପାଇଁ ଚିଙ୍ଗଲସାନା ସିଂହ କଙ୍ଗୁଜାମ୍‌ଙ୍କୁ ଉପଅଧିନାୟକ ଭାର ଅର୍ପଣ କରାଯାଇଛି। ଅନ୍ୟପକ୍ଷରେ ରୂପୀନ୍ଦର ପାଲ୍‌ ସିଂହ, କୋଠାଲଜିତ୍‌ ସିଂହ ଏବଂ ଗୁରିନ୍ଦର ସିଂହଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା ବେଳେ ଜରମନ୍‌ପ୍ରୀତ୍‌ ସିଂହ ଓ ସୁରେନ୍ଦ୍ର କୁମାରଙ୍କୁ ସୁଯୋଗ ମିଳିଛି। ପଞ୍ଜାବ ତାରକା ଜର୍ମନ୍‌ପ୍ରୀତ୍‌ ଚାମ୍ପିଅନ୍‌ସ ଟ୍ରଫି ଜରିଆରେ ପଦାର୍ପଣ କରିବେ।

ଚାମ୍ପିଅନ୍‌ସ ଟ୍ରଫିର ଗତ ସଂସ୍କରଣରେ ମଧ୍ୟ ଶ୍ରୀଜେସ୍‌ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ସେହି ସଂସ୍କରଣରେ ବିଶ୍ୱ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ ନିକଟରୁ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ହାରି ଯାଇଥିଲେ ମଧ୍ୟ ରୌପ୍ୟ ପଦକ ହାସଲ କରି ଭାରତ ଇତିହାସ ରଚିଥିଲା। ଯାହାକି ୩୪ ବର୍ଷ ପରେ ଭାରତ ଚାମ୍ପିଅନ୍‌ସ ଟ୍ରଫିରେ ପ୍ରଥମ ଥର ପଦକ ହାସଲ କରିବାର ଗୌରବ ପାଇଥିଲା। ସେହି ମ୍ୟାଚ୍‌ରେ ଆମେ ଜିତିବାର ନିକଟତର ହୋଇ ମଧ୍ୟ ହାରିଥିଲୁ। ତେବେ ଦ୍ୱିତୀୟ ସ୍ଥାନ ପାଇବା ଆମ ପାଇଁ କିଛି କମ୍‌ ସ୍ମରଣୀୟ ନଥିଲା। ଏଥର ମଧ୍ୟ ଆମେ ଚାମ୍ପିଅନ୍‌ସ ଟ୍ରଫିକୁ ଆହୁରି ସ୍ମରଣୀୟ କରିବା ଲକ୍ଷ୍ୟ ରଖିଛୁ। କାରଣ ଚାମ୍ପିଅନ୍‌ସ ଟ୍ରଫି ଏହାପରଠୁ ବନ୍ଦ ହୋଇଯିବାର ଥିବାରୁ ଶେଷ ସଂସ୍କରଣରେ ସ୍ୱର୍ଣ୍ଣ ଜିତି ସ୍ମରଣୀୟ କରି ତୋଳିବା ଲକ୍ଷ୍ୟରେ ନେଦରଲାଣ୍ଡ୍‌ ଯିବୁ ବୋଲି କହିଛନ୍ତି ଅଧିନାୟକ ଶ୍ରୀଜେସ୍‌। ଅନ୍ୟପକ୍ଷରେ ଚାମ୍ପିଅନ୍‌ସ ଟ୍ରଫିର ପ୍ରଦର୍ଶନ ଆମକୁ ଆଗାମୀ ଜାକର୍ତା ଏସୀୟ କ୍ରୀଡ଼ାରେ ସହାୟତା କରିବ ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। କେବଳ ସେତିକି ନୁହେଁ ଏହାପରେ ଆମ ପାଇଁ ଆନ୍ତର୍ଜାତିକ ପ୍ରତିଯୋଗିତା ଭାବେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପ୍‌ ମଧ୍ୟ ଅପେକ୍ଷା କରିଛି।

ଏଥର ଚାମ୍ପିଅନ୍‌ସ ଟ୍ରଫିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଜୁନ୍‌ ୨୩ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ଏହାପରେ ୨୪ ତାରିଖରେ ଆର୍ଜେଣ୍ଟିନା, ୨୭ ତାରିଖରେ ଅଷ୍ଟ୍ରେଲିଆ, ୨୮ ତାରିଖରେ ବେଲ୍‌ଜିୟମ୍‌ ଏବଂ ୩୦ ତାରିଖରେ ଆୟୋଜକ ନେଦରଲାଣ୍ଡ୍‌ ସହ ଖେଳି ଭାରତ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବ। ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍‌ ଓ ଆର୍ଜେଣ୍ଟିନା ଦଳଗୁଡ଼ିକ ଭାରତଠୁ ଉଚ୍ଚମାନ୍ୟତା ଓ ଶକ୍ତିଶାଳୀ ଥିବାରୁ ଚାମ୍ପିଅନ୍‌ସ ଟ୍ରଫି ଶ୍ରୀଜେସ୍‌ଙ୍କ ପାଇଁ କଡ଼ା ଆହ୍ଵାନ ଆଣିବ ବୋଲି ହରେନ୍ଦ୍ର କହିଛନ୍ତି।

ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ୍‌ (ଅଧିନାୟକ), କୃଷ୍ଣ ବାହାଦୁର ପାଠକ (ଉଭୟ ଗୋଲ୍‌ରକ୍ଷକ), ହର୍‌ମନ୍‌ପ୍ରୀତ୍‌ ସିଂହ, ବରୁଣ କୁମାର, ସୁରେନ୍ଦ୍ର କୁମାର, ଜର୍ମନ୍‌ପ୍ରୀତ୍‌ ସିଂହ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ (ରକ୍ଷଣଭାଗ), ମନ୍‌ପ୍ରୀତ୍‌ ସିଂହ, ଚିଙ୍ଗଲସାନା ସିଂହ କଙ୍ଗୁଜମ୍‌ (ଉପଅଧିନାୟକ), ସର୍ଦାର ସିଂହ, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ଏସ୍‌ଭି ସୁନୀଲ, ରମଣଦୀପ୍‌ ସିଂହ, ମନ୍‌ଦୀପ୍‌ ସିଂହ, ସୁମିତ୍‌ କୁମାର (ଜୁନିଅର୍‌), ଆକାଶଦୀପ୍‌ ସିଂହ, ଦିଲ୍‌ପ୍ରୀତ୍‌ ସିଂହ (ପୂରୋଭାଗ)।

ସମ୍ବନ୍ଧିତ ଖବର