ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି : ଦଳଗୁଡ଼ିକ ସେଠାକୁ ଯିବେ ତ ?

ଦୁବାଇ :  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୫ରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ବ ଦେବା ପରେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ସୁରକ୍ଷା କାରଣରୁ ଭାରତ ଓ ଅନ୍ୟ ଦେଶମାନେ ସେଠାକୁ ଯିବା ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ତେବେ ଆଜି ଏସମ୍ପର୍କରେ ଆଇସିସିର ଅଧ୍ୟକ୍ଷ ଗ୍ରେଗ ବାର୍କଲେ କହିଛନ୍ତି ଯେ ସଦସ୍ୟ ରାଷ୍ଟ୍ରମାନେ ପାକିସ୍ତାନ ଯିବେ ବୋଲି ସେ ଆଶା କରୁଛନ୍ତି ।

ଶେଷ ଥର ପାଇଁ ୧୯୯୬ରେ ପାକିସ୍ତାନରେ ବିଶ୍ବକପ କ୍ରିକେଟ ଅନୁଷ୍ଠିତ ହୋଇଥିଲା । ସେହି ବିଶ୍ବକପ୍ ଭାରତ, ଶ୍ରୀଲଙ୍କା ଓ ପାକିସ୍ତାନ ମିଳିତଭାବେ ଆୟୋଜନ କରିଥିଲେ । ସେବେଠାରୁ ପାକିସ୍ତାନରେ କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଇନାହିଁ । ସୁରକ୍ଷା କାରଣରୁ ଅନେକ ଦେଶ ସେଠାକୁ ଯିବାକୁ ରାଜି ହେଉନଥିବାରୁ ଏପରି ହୋଇଛି । ବିଶେଷକରି ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ସ୍ଥିତି ଆହୁରି ବିଗଡ଼ି ଯାଇଥିଲା । ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଦଳ ଅଧାରୁ ସିରିଜ ବାତିଲ କରିଦେଇଥିଲା । ତେବେ ଆଗକୁ ସ୍ଥିତିରେ ସୁଧାର ଆସିବ ଓ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ବୋଲି ଆଇସିସି ଆଶା କରିଛି ।

ସୂଚନାଯୋଗ୍ୟ ଯେ ଆଇସିସି ଗତ ୧୬ ତାରିଖରେ ୨୦୨୪ରୁ ୨୦୩୧ ପର୍ୟ୍ୟନ୍ତ ପୁରୁଷ କ୍ରିକେଟ କାର୍ୟ୍ୟସୂଚୀ ଘୋଷଣା କରିଥିଲା । ଏହି କାର୍ୟ୍ୟସୂଚୀ ଅନୁସାରେ ଏହି ୮ ବର୍ଷ ମଧ୍ୟରେ ଦୁଇଟି ପୁରୁଷ ବିଶ୍ବକପ, ଦୁଇଟି ଚାମ୍ପିଅନ୍ସ ଟ୍ରଫି ଓ ୪ଟି ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ । ଏସବୁ ଟୁର୍ଣ୍ଣାମେଣ୍ଟ ଆଇସିସିର ୧୧ଟି ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ଓ ୪ଟି ସହଯୋଗୀ ସଦସ୍ୟ ରାଷ୍ଟ୍ରରେ ଅନୁଷ୍ଠିତ ହେବ । ଭାରତ ୨୦୨୬ରେ ଟି-୨୦ ବିଶ୍ବକପ, ୨୦୨୯ରେ ଶ୍ରୀଲଙ୍କା ସହ ମିଳିତଭାବେ ଚାମ୍ପିଅନ୍ସ ଟ୍ରଫି  ଓ ବାଂଲାଦେଶ ସହ ମିଳିତ ଭାବେ ୨୦୩୧ର ପୁରୁଷ ବିଶ୍ବକପ ଆୟୋଜନ କରିବ । ଅନ୍ୟପକ୍ଷରେ ପାକିସ୍ତାନକୁ ୨୦୨୫ର ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଦାୟିତ୍ବ ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର