ଦୁବାଇ: ଆସନ୍ତାବର୍ଷ ପ୍ରାରମ୍ଭରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ନେଇ ସୃଷ୍ଟି ‌ହୋଇଥିବା ଗତିରୋଧ ଦୂର କରିବା ଲାଗି ଆସନ୍ତା ୨୯ ତାରିଖରେ ଆଇସିସି ବୋର୍ଡ ବୈଠକ ବସିବ। ଏଥି‌ରେ ଏହି ପ୍ରତିଯୋଗିତାର ଭାଗ୍ୟ ଆପାତତଃ ନିର୍ଦ୍ଧାରିତ ହେବ। ଆୟୋଜକ ପାକିସ୍ତାନ ନିଜ ଦେଶରେ ସବୁ ମ୍ୟାଚ୍ କରିବା ଜିଦ୍‌ରେ ଅଟଳ ରହିବା ଏବଂ ଭାରତୀୟ ଦଳକୁ ସେଠାକୁ ପଠାଇବାକୁ ବିସିସିଆଇ ମନା କରିବା ପରେ ଏହି ପ୍ରତିଯୋଗିତାର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ମନାଇବା ପାଇଁ ଆଇସିସି ଅନୌପଚାରିକ ଭାବେ ତାକୁ ମିଳୁଥିବା ଆର୍ଥିକ ଅନୁଦାନକୁ ବହୁଗୁଣ ବଢ଼ାଇବାର ପ୍ରସ୍ତାବ ଦେଇ ସାରିଥିବା ଜଣାପଡ଼ିଛି। ୨୯ ତାରିଖ ବୈଠକରେ ଏଥିନେଇ ବିସ୍ତୃତ ଆଲୋଚନା ହେବ। ଆଇସିସି ସହ, ବିସିସିଆଇ, ପିସିବି ଓ ଅନ୍ୟ ସଦସ୍ୟ ବୋର୍ଡଗୁଡ଼ିକ ଏଥିରେ ନିଜନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ। 

Advertisment

ସବୁକିଛି ଠିକ୍‌ଠାକ୍ ରହିଲେ ସେହିଦିନ ଚାମ୍ପିଅନ୍ସ ଟ୍ରଫିର ପରିବର୍ତ୍ତିତ ସୂଚୀ ଉପ‌ରେ ‌‌‌ମୋହର ଲାଗିବ। ସେପଟେ ଏହି ୮ଦଳୀୟ ପ୍ରତିଯୋଗିତାର ଆକର୍ଷଣୀୟ ଟ୍ରଫି ପାକିସ୍ତାନ ଭ୍ରମଣ ସାରି ଆଫଗାନିସ୍ତାନକୁ ଯାଇଥିବା ଜଣାପଡ଼ିଛି। ଜାନୁଆରି ମାସରେ ଏହି ଟ୍ରଫି ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତ ସରକାରଙ୍କ ତୀବ୍ର ପ୍ରତିବାଦ ପରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଟ୍ରଫି ନେବା ଲାଗି ପିସିବି କରିଥିବା ଯୋଜନାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା।