ଦୁବାଇ: ଚାମ୍ପିଅନ୍ସ ଟ୍ରଫି-୨୦୨୫ର ସବୁ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ କରିବା ଜିଦ୍‌ରେ ଅଟଳ ଥିବା ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଆଇସିସିର ଚରମବାଣୀ ପରେ ନରମ ପଡ଼ିଛି। ହାଇବ୍ରିଡ୍ ମଡେଲରେ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିବାକୁ ରାଜି ଥିବା ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ବୀ କହିଛନ୍ତି। ତେବେ ଏଥିଲାଗି ସେ ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମଟି ହେଲା ୨୦୩୧ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଆଇସିସିର ସମସ୍ତ ପ୍ରତିଯୋଗିତା ମଧ୍ୟ ହାଇବ୍ରିଡ୍ ମଡେଲରେ କରିବାର ପ୍ରତିଶ୍ରୁତି ଏବଂ ଦ୍ବିତୀୟଟି ହେଲା ପିସିବିକୁ ଆଇସିସି ରାଜସ୍ବରୁ ଅଧିକ ଅଂଶ ଦିଆଯାଉ। ସଂପ୍ରତି ପିସିବି ଆ‌ଇସିସି ରାଜସ୍ବର ମାତ୍ର ୫.୭୫%  ପାଉଛି। ଅନ୍ୟପକ୍ଷରେ ବିସିସିଆଇ ଏହାଠାରୁ ଯଥେଷ୍ଟ ଅଧିକ ଅଂଶ ପାଉଛି।

Advertisment

ପିସିବିର ସର୍ତ୍ତ: ଭବିଷ୍ୟତର ସବୁ ଆଇସିସି ପ୍ରତିଯୋଗିତା ହାଇବ୍ରିଡ୍ ମଡେଲରେ ହେଉ, ଆମକୁ ରାଜସ୍ବର ଅଧିକ ଅଂଶ ମିଳୁ

ସେହିଭଳି ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସିର କୌଣସି ପ୍ରତିଯୋଗିତା ଖେଳିବାକୁ ପାକିସ୍ତାନ କ୍ରିକେଟ୍ ଦଳ ବି ସେଠାକୁ ଯିବନି ବୋଲି ଘୋଷଣା କରିଛନ୍ତି ନକ୍‌ବୀ। ତାଙ୍କର ଏହି ସର୍ତ୍ତ ଓ ଘୋଷଣାକୁ ନେଇ ଆଇସିସି କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରିନି। ତେବେ ଚାମ୍ପିଅନ୍ସ ଟ୍ରଫିର ଭବିଷ୍ୟତ ନିର୍ଦ୍ଧାରଣ ନେଇ ଶନିବାର ଆଭାସୀ ଭାବେ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକକୁ ସ୍ଥଗିତ କରି ଦିଆଯାଇଛି। ଏହି ବୈଠକ ଆସନ୍ତା ୨୪ରୁ ୪୮ ଘଣ୍ଟା ଭିତରେ ବସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟ ଭିତରେ ପିସିବି ଓ ବିସିସିଆଇ ଅନୌପଚାରିକ ଭାବେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଏବଂ ଦୁଇ ବୋର୍ଡକୁ ସୁହାଉଥିବା ପ୍ରସ୍ତାବ ନେଇ ସହମତିରେ ପହଞ୍ଚିବାକୁ ଚେଷ୍ଟା କରିବେ। ସବୁକିଛି ଠିକ୍ ରହିଲେ ମଙ୍ଗଳବାର ଚାମ୍ପିଅନ୍ସ ଟ୍ରଫିର ସୂଚୀ ଏବଂ ସ୍ଥାନ ଘୋଷଣା କରାଯିବ। ଏହା ପୂର୍ବରୁ ଶୁକ୍ରବାର ଚାମ୍ପିଅନ୍ସ ଟ୍ରଫିକୁ ନେଇ ସୃଷ୍ଟି ହୋଇଥିବା ଗତିରୋଧ ଦୂର କରିବାକୁ ଆଇସିସି ବୋର୍ଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ସେହି ବୈଠକରେ ପିସିବି କୌଣସି ପରିସ୍ଥିତିରେ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିବନି  ବୋଲି ସ୍ପଷ୍ଟ କରି ଦେଇଥିଲା। ଫଳରେ ମାତ୍ର ୧୫ ମିନିଟ୍‌ ପରେ ଏହାକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଥିଲା‌। ଏହାପରେ ୨୪ ଘଣ୍ଟା ଭିତରେ ହାଇବ୍ରିଡ୍ ମଡେଲକୁ ଗ୍ରହଣ ନକଲେ ଚାମ୍ପିଅନ୍ସ ଟ୍ରଫି ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯିବ ବୋଲି ଆଇସିସି ପକ୍ଷରୁ ପିସିବିକୁ ଚେତବାନୀ ଦିଆଯାଇଥିଲା। ଏହି ଚେତାବନୀ ପରେ ପିସିବି ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଛି। ସେହିଭଳି ପିସିବିକୁ ରାଜି କରାଇବାରେ ଏମିରେଟ୍ସ କ୍ରିକେଟ୍ ବୋର୍ଡର ମୁଖ୍ୟ ମୁବାସିର ଉସମାନି ମଧ୍ୟ ପରଦା ପଛରେ କାମ କରୁଥିବାର ସୂଚନା ମିଳିଛି। ଶନିବାର ତାଙ୍କୁ ନକ୍‌ବୀ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଉସମାନି ହିଁ ତାଙ୍କୁ ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ରାଜି କରିଥିବା କୁହାଯାଉଛି। ପରେ ଦେଇଥିବା ଏକ ସାକ୍ଷାତକାରରେ କ୍ରିକେଟ୍‌ର ଭବିଷ୍ୟତ ପାଇଁ ଯାହା ଦରକାର, ତାହା ଆମେ କରିବୁ ବୋଲି କହି ନକ୍‌ବୀ ହାଇବ୍ରିଡ୍ ମଡେଲକୁ ଆପାତତଃ ଗ୍ରହଣ କରି ନେଇଥିବାର ସଙ୍କେତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି। ତେବେ ସୁରକ୍ଷା କାରଣ ଦର୍ଶାଇ ଭାରତୀୟ କ୍ରିକେଟ୍‌ ଦଳକୁ ପାକିସ୍ତାନ ପଠାଇବାକୁ ବିସିସିଆଇ ମନା କରି ଦେଇଛି। ଏସିଆ କପ୍ ଭଳି ଚାମ୍ପିଅନ୍ସ ଟ୍ରଫିକୁ ମଧ୍ୟ ହାଇବ୍ରିଡ୍ ମଡେଲ ଅର୍ଥାତ୍ ନିରପେକ୍ଷ ସ୍ଥାନରେ ଭାରତ ମ୍ୟାଚ୍ ସହ ଫାଇନାଲ୍ ଏବଂ ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ କରିବାକୁ ପ୍ରସ୍ତାବ ଦେଇଛି ବିସିସିଆଇ। ଯାହାକୁ ନେଇ ପିସିବି-ବିସିସିଆଇ ମୁହାଁମୁହିଁ ହେବା ସହ ଆଇସିସି ହରଡ଼ଘଣାରେ ପଡ଼ିଛି। ଏଥିଲାଗି ଏହି ପ୍ରତିଯୋଗିତାର ସୂଚୀ ଘୋଷଣା ସୀମା ଟପି ଯାଇଥିବାରୁ ପ୍ରସାରଣକାରୀ ସଂସ୍ଥା ‘ଷ୍ଟାର୍ ସ୍ପୋର୍ଟସ’ ମଧ୍ୟ କ୍ଷୁବ୍ଧ ହୋଇଛି। ଏଥିଲାଗି ଆଇସିସି କ୍ଷତି ସହିବାର ବି ଯଥେଷ୍ଟ ଆଶଙ୍କା ରହିଛି। ତେବେ ପିସିବି ଯଦି ହାଇବ୍ରିଡ୍ ମଡେଲକୁ ଗ୍ରହଣ କରେ, ତାହେଲେ ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ହେବ। ସେମିଫାଇନାଲ୍ ଓ ଫାଇନାଲ୍ ମଧ୍ୟ ସେଠାରେ ଖେଳାଯିବ। ଉଲ୍ଲେଖ ଥାଉ କି ଆଇସିସିର ୨୦୨୪-୨୦୩୧ ଚକ୍ର ଭିତରେ ଭାରତ ତିନିଟି ଆଇସିସି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଛି। ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କାରେ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଭାରତରେ ଏବଂ ୨୦୩୧ ଦିନିକିଆ ବିଶ୍ବକପ୍‌ ଭାରତ ଓ ବାଂଲା‌ଦେଶରେ ହେବାର ଅଛି।