ଦୁବାଇ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ୩୭ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇତିହାସ ସତ୍ତ୍ବେ ଉଭୟ ଏସୀୟ ପଡ଼ୋଶୀ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ଦ୍ବିତୀୟ ଥର ପାଇଁ ପରସ୍ପରର ମୁକାବିଲା କରିବେ। ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା। ସେହି ମ୍ୟାଚ୍‌କୁ ସହଜରେ ଜିତି ବି ଯାଇଥିଲା। ଏଣୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ବାଂଲାଦେଶ ନିଜ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇବାର ବିରଳ ସଫଳତା ଲାଭ କରିବା ଆଶାରେ ଅଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। ୨୦୨୩ ଏକଦିବସୀୟ ବିଶ୍ବକପ୍ ପରେ ଭାରତ-ବାଂଲାଦେଶ ପ୍ରଥମ ଥର ଲାଗି ଭେଟାଭେଟି ହେବାକୁ ଯାଉଥିବାରୁ ଦୁଇଦେଶର ପ୍ରଶଂସକ ମଧ୍ୟ ଏହାକୁ ଚାତକ ଭଳି ଚାହି ବସିଛନ୍ତି। 

Advertisment

ବିଶ୍ବକପ୍ ପରେ ଭାରତ ମାତ୍ର ଦୁଇଟି ଦିନିକିଆ ଶୃଙ୍ଖଳା ଖେଳି ଚାମ୍ପିଅନ୍ସ ଟ୍ରଫିକୁ ଯାଇଛି। ଗତବର୍ଷ ଜୁଲାଇରେ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଖେଳିଥିବା ପ୍ରଥମ ଶୃଙ୍ଖଳାରେ ଶ୍ରୀଲଙ୍କାଠାରୁ ୦-୨ରେ ହାରିଥିଲା ଭାରତ। ଚଳିତବର୍ଷ ପ୍ରାରମ୍ଭ‌ରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ୩-୦‌ରେ ଜିତି ନେଇଥିଲା। ଅନ୍ୟପକ୍ଷରେ ୨୦୨୪ ଆରମ୍ଭ ହେବା ପରଠାରୁ ବାଂଲ‌ାଦେଶ ୯ଟି ଦିନିକିଆ ଖେଳିଛି। ସେଥିମଧ୍ୟରୁ ମାତ୍ର ତିନିଟି ଜିତିଛି। ୦-୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ହାରିଥିଲା ବେଳେ ୟୁଏଇରେ ଖେଳିଥିବା ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ୧-୨ରେ ପରାଜିତ ହୋଇଛି। 

ଉଭୟ ଦଳ ୪୨ ଅନ୍ତର୍ଜାତୀୟ ଦିନିକିଆରେ ଲଢ଼ିଛନ୍ତି। ସେଥିରୁ ଭାରତ ୩୩ ଏବଂ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଥରେ ଭେଟି ପରାଜିତ ହୋଇଛି। ସେହିଦୃଷ୍ଟିରୁ ଭାରତ ନିଶ୍ଚିତ ଭାବେ ଆସନ୍ତାକାଲି ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ତେବେ ମଜାଦାର କଥା ହେଲା ଭାରତ ବିପକ୍ଷରେ ବାଂଲାଦେଶ ଯେଉଁ ୮ଟି ବିଜୟ ହାସଲ କରିଛି, ସେଥିମଧ୍ୟରୁ ତିନିଟି ‌‌ଶେଷ ୫ ମ୍ୟାଚ୍‌ରୁ ଆସିଛି। ଭାରତୀୟ ଦଳକୁ ଘରୋଇ ପରିବେଶରେ ୨-୧ରେ ହରାଇଥିଲା ବେଳେ ୨୦୨୩ ଏସିଆ କପ୍ ସୁପର ସିକ୍ସ ମୁକାବିଲାକୁ ୬ ରନ୍‌ରେ ଜିତିଥିଲା। ଉଭୟ ଦଳ ‌ଶେଷ ଥର ଲାଗି ୨୦୨୩ ବିଶ୍ବକପ୍‌ରେ ଲଢ଼ିଥିଲେ, ଯାହାକୁ ଭାରତ ୭ ୱିକେଟ୍‌ରେ ଜିତି ନେଇଥିଲେ। ଅଭିଜ୍ଞତା, ଦଳୀୟ ସନ୍ତୁଳନ ତଥା ପୂର୍ବ ପରିସଂଖ୍ୟାନ ଭାରତ ସପକ୍ଷରେ ରହିଛି। ତଥାପି ଗୁରୁବାର ମୁକାବିଲା ପୂର୍ବରୁ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟିମ୍‌ ଇଣ୍ଡିଆକୁ ଖୋଲା ଚେତାବନୀ ଦେଇଛନ୍ତି।

 ବାଂଲାଦେଶ ଯେକୌଣସି ଦେଶକୁ ପରାସ୍ତ କରିବାକୁ ପୂରା ସକ୍ଷମ ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେପଟେ ଭାରତୀୟ ଖେଳାଳିମାନେ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଜୋରଦାର ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି। ବାଂଲାଦେଶ ନିଜ ତାରକା ଅଲରାଉଣ୍ଡର୍ ସକିବ ଅଲ୍ ହାସନଙ୍କ ବିନା ଖେଳିବାକୁ ଯାଉଥିବାରୁ ଏହା ନିଶ୍ଚିତ ଭାବେ ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ। ଭାରତ କୁଲଦୀପ ୟାଦବ, ଅକ୍ଷର ପଟେଲ, ରବୀନ୍ଦ୍ର ଜଡ଼େଜାଙ୍କ ରୂପରେ ତିନି ଜଣ ସ୍ପିନରଙ୍କୁ ଖେଳାଇପାରେ। ମହମ୍ମଦ ସାମି ଓ ଅର୍ଶଦୀପ ସିଂହ ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ। ଯୁବ ବୋଲର୍‌ ହର୍ଷିତ ରାଣା ଆସନ୍ତାକାଲି ସୁଯୋଗ ପାଇ ନପାରନ୍ତି। ବାଂଲାଦେଶ ବୋଲିଂ ତସ୍ମିନ ଅହମ୍ମଦ ଓ ମୁସ୍ତାଫିଜୁର ରେହମାନଙ୍କ ଚାରିପଟେ ହିଁ ଘୂରିବ।

ନୂଆ ପିଚ୍‌ରେ ଖେଳାଯିବ ମ୍ୟାଚ୍
ଭାରତ-ବାଂଲାଦେଶ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ର ନବନିର୍ମିତ ପିଚ୍‌ରେ ଖେଳାଯିବ। କ୍ୟୁରେଟର୍‌ଙ୍କ ଅନୁସାରେ ଏହି ପିଚ୍ ପ୍ରାରମ୍ଭିକ ସମୟରେ ଦ୍ରୁତ ବୋଲରଙ୍କୁ ସୁହାଇବ। ମଝି ଓ ଶେଷ ଓଭରଗୁଡ଼ିକରେ ସ୍ପିନର୍‌ ଏଥିରୁ ଫାଇଦା ଉଠାଇ ପାରିବେ। ଗୁରୁବାର ଦୁବାଇ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। ଅପରାହ୍‌ଣ ଓ ରାତିରେ ମୁଖ୍ୟତଃ ଶୁଖିଲା ଓ ଉଷ୍ମ ଜଳବାୟୁ ଅନୁଭୂତ ହେବ। ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଦ୍ବିତୀୟ ଭାଗରେ ବୋଲିଂ କରିବାରେ ଦଳ କିଛିଟା ସମସ୍ୟାର ସମ୍ମୁଖୀନ ହେବ। 

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ୟାଦବ, ମହମ୍ମଦ ସାମି, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ବାଂଲାଦେଶ: ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତଂଜିଦ ହାସନ, ମୁସ୍‌ଫିକର ରହିମ, ମହମଦୁଲ୍ଲା, ଜାକିର ଅଲୀ ଆନିକ, ମେହିଦି ହାସନ ମିରାଜ, ରିସଦ ହୁସେନ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ନାହିଦ ରାଣା। 

୨୦୧୭: ରୋହିତଙ୍କ ଶତକରେ ଜିତିଥିଲା ଭାରତ
ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ବାଂଲାଦେଶ ପ୍ରଥମ ଓ ଶେଷ ଥର ଲାଗି ୨୦୧୭ ମସିହାରେ ମୁହାଁମୁହିଁ ହୋଇଥିଲେ। ବାଂଲାଦେଶ ଗ୍ରୁପ୍‌-ଏ’ର ଦ୍ବିତୀୟ ଏବଂ ଭାରତ ଗ୍ରୁପ୍-ବି’ର ପ୍ରଥମ ସ୍ଥାନରେ ରହି ଏହି ନକ୍‌ଆଉଟ୍ ମୁକାବିଲା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଇଂଲଣ୍ଡର ବର୍ମିଂହାମରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ୯ ୱିକେଟ୍‌ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୨୬୪ ରନ୍‌ କରିଥିଲା। ଜବାବରେ ଭାରତ ରୋହିତ ଶର୍ମା (୧୨୩)ଙ୍କ ଧୂଆଁଧାର ଶତକ ବଳରେ ୪୦.୧ ଓଭରରେ କେବଳ ଶିଖର ଧାୱନ (୪୬)ଙ୍କ ୱିକେଟ୍ ହରାଇ ୯ ୱିକେଟ୍‌ର ସହଜ ବିଜୟ ହାସଲ କରିଥିଲା। ତତ୍‌କାଳୀନ ଅଧିନାୟକ ବିରାଟ କୋହଲି ମଧ୍ୟ ୯୬* ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ। ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।