କରାଚୀ: ବହୁ ପ୍ରତୀକ୍ଷିତ ଚାମ୍ପିଅନ୍ସ ଟ୍ରଫି ବୁଧବାରଠୁ କରାଚୀରେ ଆରମ୍ଭ ହେବ। ରା‌ଜନୈତିକ ଓ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବାରୁ ଏହି ୮ ଦଳୀୟ ବିଶ୍ବସ୍ତରୀୟ ପ୍ରତିଯୋଗିତା ହାଇବ୍ରିଡ୍‌ ମଡେଲ୍‌ରେ ହେଉଛି। ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବାକୁ ଥିଲା ବେଳେ ଅନ୍ୟ ସବୁ ମ୍ୟାଚ୍‌ ପାକିସ୍ତାନରେ ଆୟୋଜିତ ହୋଇଛି। ସମ୍ଭାବ୍ୟ ଭାରତକୁ ନେଇ ପ୍ରଥମ ସେମିଫାଇନାଲ୍‌ ଦୁବାଇରେ ଖେଳାଯିବ। ଫାଇନାଲ୍‌ରେ ଯଦି ଭାରତ ପ୍ରବେଶ କରେ ତେବେ ଏହା ମଧ୍ୟ ଦୁବାଇରେ ଖେଳାଯିବ, ନହେଲେ ଫାଇନାଲ୍‌ ଲାହୋରରେ ହେବ।

Advertisment

ଦ୍ବିତୀୟ ବିଶ୍ବକପ୍‌ ଭାବେ ପରିଚିତ ଏହି ଦିନିକିଆ ପ୍ରତିଯୋଗିତା ପ୍ରାୟ ୮ ବର୍ଷ‌ ପରେ ପୁନରାରମ୍ଭ ହେଉଛି। ତେଣୁ ଏହାକୁ ନେଇ ସବୁଆଡ଼େ ଉତ୍ସାହ ଭରି ରହିଛି। ବିଶେଷ କରି ପ୍ରାୟ ୨୯ ବର୍ଷ ପରେ ପାକିସ୍ତାନ ବଡ଼ ଆଇସିସି ପ୍ରତିଯୋଗିତା ଆୟୋଜନ କରୁଥିବାରୁ ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି। ଗତ ସଂସ୍କରଣ (୨୦୧୭) ବିଜେତା ତଥା ଆୟୋଜକ ପାକିସ୍ତାନ ଏବଂ ପୂର୍ବତନ ବିଜେତା ନ୍ୟୁଜିଲାଣ୍ଡ ମୁକାବିଲାରୁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେବ। ପାକିସ୍ତାନ ଘରୋଇ ପଡ଼ିଆରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ପୂରା ଆତ୍ମବିଶ୍ବାସରେ ରହିଛି। ଏହା ପର ମ୍ୟାଚ୍‌ ଘରୋଇ ଦଳ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ଦୁବାଇରେ ରବିବାର ଖେଳିବ। ତେଣୁ ନ୍ୟୁଜିଲାଣ୍ଡକୁ ହରାଇ ଦୃଢ଼ ମନୋବଳ ସହ ଦୁବାଇ ଗସ୍ତ କରିବା ଲକ୍ଷ୍ୟ ରଖିଛି ଆୟୋଜକ ଦଳ। ‌ଏହି ଦଳ ନିକଟରେ ଶେଷ ହୋଇଥିବା ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ପାକିସ୍ତାନ ନିଜ ଘରେ ପରାଜୟ ବରଣ କରିଥିବାରୁ ଚାପରେ ରହିବ। ଏହି ଶୃଙ୍ଖଳାରେ କେବଳ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ। ପାକିସ୍ତାନ ଫାଇନାଲ୍‌ ସହ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ପରାଜୟ ବରଣ କରିଥିଲା। ‌ବୁଧବାର ଏହି ସବୁକୁ ଭୁଲି ମହମ୍ମଦ ରିଜୱାନଙ୍କ ଦଳ ଘରୋଇ ଦର୍ଶକଙ୍କୁ ନିରାଶ ନ କରି ବିଜୟରୁ ଅଭିଯାନ ଆରମ୍ଭ କରିବାର ଆଶା ରଖିଛି।

ଆଜିଠୁ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରୁ ଶୁଭାରମ୍ଭ

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ତ୍ରିରା‌ଷ୍ଟ୍ରୀୟ ପ୍ରତିଯୋଗିତାରେ ଅପରାଜେୟ ରହି ବିଜେତା ହୋଇଥିଲା। ପାକିସ୍ତାନରେ ପାକିସ୍ତାନକୁ ହରାଇଥିବାରୁ ମିଚେଲ୍‌ ସାଣ୍ଟନରଙ୍କ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମନସ୍ତାତ୍ତ୍ବିକ ଦୃଷ୍ଟିରୁ ଆଗରେ ରହିଛି। ହେଲେ ଏହି ଦଳ ପାଇଁ ଆହତ ଜନିତ ସମସ୍ୟା ବାଟ ଓଗାଳିଛି। ପ୍ରତିଯୋଗିତା ଆରମ୍ଭର କିଛି ଦିନ ପୂର୍ବରୁ ତାରକା ଖେଳାଳି ଲୋକି ଫର୍ଗୁସନ ଓ ବେନ୍‌ ସିଅର୍ସ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଜ୍ୟାକ୍‌ ଡଫି ଓ କାଇଲ ଜାମିସନ୍‌ଙ୍କୁ ଦଳରେ ନିଆଯାଇଛି। ଏଥିସହ ୨୦୨୩ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ବାଦ୍‌ ପଡ଼ି ନଥିଲେ ମଧ୍ୟ ପ୍ରଥମ ମ୍ୟାଚ୍‌ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। ତ୍ରିରାଷ୍ଟ୍ରୀୟ ଶୃଙ୍ଖଳ‌ା ଫାଇନାଲ୍‌ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ କପାଳରେ ବଲ୍‌ ବାଜିଥିଲା ଏବଂ ‌ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ସୂଚନା ମିଳିଛି। କରାଚିସ୍ଥିତ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ୨୦୨୩ ଜାନୁଆରି ପରଠାରୁ ୮ ମ୍ୟାଚ୍‌ ଖେଳାଯାଇଥିଲା ବେଳେ କେବଳ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଏଠାରେ ୭ ଥର ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ଏହି ପିଚ୍‌କୁ ଭଲ ଭାବରେ ପଢ଼ିଥିବାରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏଠାରେ ଗତ ୮ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ ଓ ବୋଲିଂ କରିଥିବା ଦଳ ୪-୪ ଲେଖାଏଁ ବିଜୟ ପାଇଛନ୍ତି। ତେଣୁ ଟସ୍‌ ଜିତିବା ଓ ହାରିବା ଏତେ ଗୁରୁତ୍ବ ରଖିବନି। ତେବେ ହାଇସ୍କୋରିଂ ମ୍ୟାଚ୍‌ ହେବାର ସମ୍ଭାବନା ରହିଛି। ଏଠାରେ ପ୍ରଥମ ପାଳି ସ୍କୋର୍‌ ହାରାହାରି ୨୮୯ ରହିଛି।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜମାନ, ବାବର ଆଜମ, କାମରାନ୍‌ ଗୁଲାମ/ସୌଦ ସକିଲ, ମହମ୍ମଦ ରିଜୱାନ (ଅଧିନାୟକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ୍ ଶାହ, ସାହିନ ସାହ ଆଫ୍ରିଦି, ନସିମ ଶାହ, ଅବ୍ରାର ଅହମଦ, ହାରିସ‌ ‌ରୌଫ୍‌।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ୱିଲ୍‌ ୟଙ୍ଗ୍‌/ରାଚିନ ରବୀନ୍ଦ୍ର, ଡେଭନ କନୱେ, କେନ୍‌ ୱିଲିୟମସନ୍‌, ଡାରିଲ ମିଚେଲ, ଟମ୍‌ ଲାଥମ, ଗ୍ଲେନ୍‌ ଫିଲିପ୍ସ, ମାଇକେଲ ବ୍ରେସ୍‌ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ମାଟ୍‌ ହେନରି, ନାଥନ ସ୍ମିଥ୍‌/ଜାକବ ଡଫି, ୱିଲ୍‌ ଓ’ରୁର୍‌କି।