ଚାମ୍ପିଅନ୍ସ ଟ୍ରଫି ଟେନିସ୍ କ୍ରିକେଟ୍‌: ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ବର: ଚାମ୍ପିଅନ୍ସ ଟ୍ରଫି ପାଇଁ ଆୟୋଜିତ ଦ୍ବିତୀୟ ସର୍ବଭାରତୀୟ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାର ମଞ୍ଚେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ୧୦ ଓଭର ବିଶିଷ୍ଟ ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଏକାଧିକ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆୟୋଜକ ଓଡ଼ିଶା ୨୪ ରନ୍‌ରେ ଗୋଆକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଓଡ଼ିଶାର ୭୬ ରନ୍ ଜବାବରେ ଗୋଆ ୫୨ ରନ୍ କରିପାରିଥିଲା। ଓଡ଼ିଶା ପକ୍ଷରୁ ବବ୍‌ଲୁ ବେହେରା, ସୁଶୀଲ ବାରିକ ଏବଂ ଅନିରୁଦ୍ଧ ବାରିକ ଭଲ ପ୍ରଦର୍ଶନ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ ଯୁଗ୍ମ ସମ୍ପାଦକ ଅନିଲ କାମାଥ, ଭାରତୀୟ‌ ଟେନିସ୍ କ୍ରିକେଟ୍ ସଂଘ ସମ୍ପାଦକ କହ୍ନେୟା ଗୁର୍ଜର, ଓଡ଼ିଶା ଟେନିସ୍ କ୍ରିକେଟ୍‌ ସଂଘ ସମ୍ପାଦକ ଶୈବାଳ କୁମାର ମିତ୍ରଙ୍କ ସହିତ ବିଭିନ୍ନ ରାଜ୍ୟର ସମ୍ପାଦକ ଓ ସଭାପତି ଭାଗ ନେଇଥିଲେ। ରାଗିଣି ମିତ୍ର, ମହମ୍ମଦ ଆଜାମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ୪ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୧୫ ଦଳ ଭାଗ ନେଇଛନ୍ତି। ଏହା ସାଧାରଣ କ୍ରିକେଟ୍‌ଠାରୁ ବିଶେଷ କିଛି ଫରକ ନୁହେଁ ବରଂ ଭଲ ଏବଂ ସୁବିଧାଜନକ ବୋଲି କହିଥିଲେ ଓଡ଼ିଶା ଦଳ ଅଧିନାୟକ ସୁଧାଂଶୁ କୁମାର ଜେନା। ଓଡ଼ିଶା ନିଶ୍ଚିତ ଫାଇନାଲ୍ ଖେଳିବା ଲକ୍ଷ୍ୟରେ ରହିଛି ବୋଲି ମଧ୍ୟ ସୁଧାଂଶୁ ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ବେ‌ଳେ ଆତ୍ମବିଶ୍ବାସର ସହ କହିଥିଲେ।

ସମ୍ବନ୍ଧିତ ଖବର