ନାଚିବାକୁ ସମୟ ପାଇଯାଇଛି: ବାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୧ ଦିନିଆ ଗୃହାବଦ୍ଧ ଘୋଷଣା ବେଳକୁ ଦେଶର ସଫଳ ମହିଳା ଟେବୁଲ୍‌ ଟେନିସ୍ ଖେଳାଳି ମୋନିକା ବାତ୍ରା ପୁନେରେ ନିଜ ଅଲିମ୍ପିକ୍ସ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ମାନ୍ୟତା ବଢ଼ାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଅଲମ୍ପିକ୍ସ ଏବେ ବର୍ଷଟିଏ ଘୁଞ୍ଚିବା ଫଳରେ ମୋନିକାଙ୍କ ଲକ୍ଷ୍ୟପଥ ବଦଳିଯାଇଛି। ବିଶ୍ବ ମାନ୍ୟତାରେ ୪୭ତମ ସ୍ଥାନରେ ଥିବା ମୋନିକା ଏବେ ଗୃହାବଦ୍ଧ ସମୟକୁ କିଭଳି ବିତାଉଛନ୍ତି ଜାଣିବାକୁ ଚାହିଁବାରୁ ସେ କହିଛନ୍ତି, ‘ମୋତେ ନାଚିବାକୁ ଅଧିକ ସମୟ ମିଳିଯାଇଛି ଏବଂ ପ୍ରେରଣାଦାୟୀ କାହାଣୀ ପଢ଼ିବାକୁ ବି ଅବସର ମିଳିଯାଇଛି।’ ସକାଳେ ଓ ସଂଧ୍ୟାରେ ଫିଟ୍‌ନେସ୍‌ ଉପରେ ଗୁରୁତ୍ବ ଦେଉଛି। ମାନସିକ ପ୍ରସ୍ତୁତି ଲାଗି ପ୍ରେରଣାଭରା ପୁସ୍ତକ ପଢ଼ୁଛି। କଷ୍ଟକର ସମୟରେ ନିଜକୁ ଶାରୀରିକ ଓ ମାନସିକ ପ୍ରସ୍ତୁତି କିଭଳି କରାଯାଏ ଅଭିଜ୍ଞତା ବି ଅର୍ଜନ କରୁଛି। କରୋନା ସମ୍ପର୍କିତ ତାଜା ଖବର ଉପରେ ବି ନଜର ରଖିଛି। ନିଜ ରୁମ୍‌ ଏବଂ ଆପାର୍ଟମେଣ୍ଟ୍‌ ବାଲକୋନିରେ ମୁଁ ସ୍କିପିଂ, ଷ୍ଟ୍ରେଚିଂ ସହିତ ସାଧାରଣ ବ୍ୟାୟାମ କରୁଛି। ପରିବେଶ ଦୃଷ୍ଟିରୁ ମଧ୍ୟ ଏହା ସୁରକ୍ଷିତ ରହିଛି। ମୁଁ ମଧ୍ୟ ନିଜର ପୁରୁଣା ଅଭ୍ୟାସ ନାଚିବା ଓ ବହି ପଢ଼ିବାକୁ ଗୁରୁତ୍ବ ଦେଇଛି। ନାଚିବାକୁ ଅଧିକ ସମୟ ମିଳିଯାଇଛି। ନାଚିବା ମଧ୍ୟ ଏକ ଭଲ ବ୍ୟାୟାମ। ଗୀତ ଶୁଣିବା ଏବଂ ନେଟ୍‌ଫ୍ଲିକ୍ସରୁ କିଛି ଦେଖିବାକୁ ଭଲ ପାଏ। ଏଭଳି କୌଣସି ଗୋଟିଏ ଗୀତ ନାହିଁ ମୁଁ ଯାହାକୁ ଭଲ ପାଏ, କିନ୍ତୁ ଯେଉଁ ଗୀତରେ ନାଚି ହୁଏ ମୁଁ ତାହାକୁ ଶୁଣିଥାଏ ବୋଲି ୨୪ ବର୍ଷୀୟା ମୋନିକା ପ୍ରକାଶ କରିଥିଲେ।

ଅଲିମ୍ପିକ୍ସ ବାତିଲ ହୋଇଥିଲେ ବି ମୋନିକା ବିଶେଷ ବିବ୍ରତ ହୋଇନାହାନ୍ତି। ବିଗତ କିଛି ବର୍ଷ ହେବ ଉତ୍‌ଥାନ ପଥରେ ରହିଥିବା ଭାରତୀୟ ଖେଳାଳିଙ୍କ ପାଇଁ ଏହା ଅଧିକ ଗୋଟିଏ ବର୍ଷର ପ୍ରସ୍ତୁତି ଲାଗି ସମୟ ଦେଇଛି। ଅଲିମ୍ପିକ୍ସ ପଦକର ସ୍ବପ୍ନ ସାକାର ଲାଗି ଏହି ସମୟକୁ ତାଲିମ ଓ ପ୍ରସ୍ତୁତିରେ ବିନିଯୋଗ କରାଯିବ। ‘ମୁଁ ଜଣେ ବଡ଼ ସକାରାତ୍ମକ ବ୍ୟକ୍ତି। ଯାହା ବି ଘଟିବ ଭଲ ପାଇଁ ଘଟିବ। ଏବେ ନିଜକୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲାଗି ଯୋଜନାରେ ପରିବର୍ତନ କରିବାକୁ ପଡ଼ିବ। ପ୍ରଥମେ ଯୋଗ୍ୟତା ଅର୍ଜନ ଏବଂ ପରେ ଭଲ ପ୍ରଦର୍ଶନ ଅନୁସାରେ କାମ କରିବାକୁ ପଡ଼ିବ ବୋଲି ମୋନିକା ପ୍ରକାଶ କରିଥିଲେ। କରୋନା ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ ଗୃହାବଦ୍ଧ ରହିବାକୁ ସେ ଆହ୍ବାନ କରିଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁସାରେ ସବୁକିଛି କରାଯାଉ। ଗୁଜବ ଖବରକୁ ବିଶ୍ବାସ କରି ଅଧିକ ଛାନିଆ ହେବାର କିଛି ଆବଶ୍ୟକତା ନାହିଁ। ଏହା ଦ୍ବାରା କିଛି ଫାଇଦା ହୋଇନଥାଏ ବୋଲି ମୋନିକା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର