ତିରୁଅନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୬ ୱିକେଟ୍ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳର ହାତପାହାନ୍ତାରେ ଆଉ ଏକ ଶୃଙ୍ଖଳା ବିଜୟ ସୁଯୋଗ ପହଞ୍ଚିଯାଇଛି। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତ ରବିବାର ସ୍ଥାନୀୟ ଗ୍ରିନଫିଲ୍ଡ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଜିତିଲେ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ। ଗତ ୧୩ ମାସ ମଧ୍ୟରେ ଭାରତ ୬ ଥର ଇଣ୍ଡିଜ୍ର ସମ୍ମୁଖୀନ ହୋଇ ସବୁଥର ବିଜୟୀ ହୋଇଥିବାରୁ ଆସନ୍ତାକାଲି ହିଁ ଶୃଙ୍ଖଳା ବିଜୟରେ ମୁଣ୍ଡି ମାରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଏଥିଲାଗି ବିରାଟ ବାହିନୀକୁ ବ୍ୟାଟିଂ ସହ ବୋଲିଂ ଏବଂ କ୍ଷେତ୍ରରକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ। କାରଣ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ଅତି ଖରାପ କ୍ଷେତ୍ରରକ୍ଷଣ କରିବା ସହ ଅନ୍ୟୁନ ପାଞ୍ଚଟି କ୍ୟାଚ୍ ହାତଛଡ଼ା କରିଥିଲା। ବୋଲରମାନେ ମଧ୍ୟ ଲାଇନ୍ ଏବଂ ଲେନ୍ଥ୍ ପାଇବାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ ବଳରେ କିନ୍ତୁ ଭାରତ ଶୁକ୍ରବାର ହାଇଦ୍ରାବାଦରେ ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ପାଇଥିଲା। ୨୦୮ ରନ୍ର ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରି ନେଇଥିଲା। କୋହଲିଙ୍କ ସହ ଲୋକେଶ ରାହୁଲ ଦାୟିତ୍ବବାନ ଏବଂ ଦ୍ରୁତ ଅର୍ଧଶତକ ହାସଲ କରିଥିଲେ। ଇଣ୍ଡିଜ୍ ଯୋଜନାର ସଫଳ ରୂପାୟନ କରି ନପାରି ପରାଜିତ ହୋଇଥିଲା। ଭାରତ ପାଇଁ ଦୀପକ ଚହର, ୱାସିଂଟନ ସୁନ୍ଦ ଏପରିକି ଭୁବନେଶ୍ବର କୁମାର ବି ବୋଲିଂରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେଥିପାଇଁ ରବିବାର ମ୍ୟାଚ୍ ଜିତିଲେ ଭାରତ କେବଳ ଶୃଙ୍ଖଳା ଜିତିବ ନାହିଁ, ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲାରେ ବିଶ୍ବକପ୍ ପାଇଁ ପରୀକ୍ଷାନିରୀକ୍ଷା କରିବାର ସୁଯୋଗ ମଧ୍ୟ ହାସଲ କରିବ।
ଅଦଳ ବଦଳ ଆଶା କମ୍
ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ବୋଲିଂ ଏବଂ କ୍ଷେତ୍ରରକ୍ଷଣରେ ଦୁର୍ବଳ ପ୍ରଦର୍ଶନ କରିଥିଲା। ଏହା ସତ୍ତ୍ବେ ତିରୁଅନନ୍ତପୁରମରେ ଦଳରେ ବଡ଼ ଧରଣର ଅଦଳ ବଦଳ ସମ୍ଭାବନା ପ୍ରାୟ ନାହିଁ। ଏହା ହେଲେ ମନୀଷ ପାଣ୍ଡେ, ସଞ୍ଜୁ ସାମସନ, କୁଲଦୀପ ଯାଦବ ଏବଂ ମହମ୍ମଦ ସାମିଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ। ବଲ୍ ବିକୃତ ପାଇଁ ୪ ମାସର ବାସନ୍ଦାଦେଶ ପରେ ନିକୋଲାସ ପୂରନ ୱେଷ୍ଟଇଣ୍ଡିଜ୍ ଚୂଡ଼ାନ୍ତ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଦୀନେଶ ରାମଦୀନଙ୍କ ସ୍ଥାନରେ ୱିକେଟ୍ ରକ୍ଷଣ କରି ପାରିନ୍ତି। ଆଣ୍ଠୁରେ ଆଘାତ ଲାଗିଥିବାରୁ ଫାବିଏନ୍ ଆଲେନ ହାଇଦ୍ରାବାଦରେ ପଡ଼ିଆକୁ ଓହ୍ଲାଇ ନଥିଲେ। ଆସନ୍ତାକାଲି ସେ ଖେଳିବେ କି ନାହିଁ? ସେ ବିଷୟରେ ଇଣ୍ଡିଜ୍ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ।
ଚହଲଙ୍କ ପାଖରେ ଅଶ୍ବିନଙ୍କୁ ଟପିବା ସୁଯୋଗ
ସ୍ପିନର ୟୁଜବେନ୍ଦ୍ର ଚହଲ ଆଉ ଗୋଟିଏ ୱିକେଟ୍ ନେଲେ ଭାରତ ପକ୍ଷରୁ ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍ ହାସଲକାରୀ ହେବାର ଗୌରବ ଅର୍ଜନ କରିବେ। ଏହି କ୍ରମରେ ସେ ଅଫ୍ସ୍ପିନର ଆର ଅଶ୍ବିନଙ୍କୁ ଟପିବେ। ଅଶ୍ବିନ ୪୬ ଟ୍ବେଣ୍ଟି-୨୦ ଖେଳି ୫୨ ୱିକେଟ୍ କରାୟତ କରିଛନ୍ତି। ଅନ୍ୟପକ୍ଷରେ ଚହଲ ୩୫ ଟ୍ବେଣ୍ଟି-୨୦ ଖେଳି ଠକ୍ ୫୨ ୱିକେଟ୍ ନେଇଛନ୍ତି। ହାଇଦ୍ରାବାଦରେ ଖେଳା ଯାଇଥିବା ଭାରତ-ଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ରେ ସେ ୩୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ସେପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରହକାରୀ ତାଲିକାରେ ଆଗ ପଛ ହୋଇ ରହିଛନ୍ତି। ରୋହିତ (୨୫୪୭) କୋହଲି (୨୫୪୪)ଙ୍କଠାରୁ ମାତ୍ର ୩ ରନ୍ ଅଧିକ କରି ପ୍ରଥମ ସ୍ଥାନରେ ରହିଛନ୍ତି। ରବିବାର କୋହଲିଙ୍କ ପାଖରେ ରୋହିତଙ୍କୁ ପଛରେ ପକାଇବାର ସୁଯୋଗ ରହିବ। ତିରୁଅନନ୍ତପୁରମରେ ଇଣ୍ଡିଜ୍ ପୂର୍ବରୁ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଥିଲା ବେଳେ ସେଥିରେ ଶୋଚନୀୟ ପରାଜୟ ବରଣ କରିଥିଲା। ଇଣ୍ଡିଜ୍ ସେତେବେଳେ ମାତ୍ର ୧୦୪ ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା।
ବଲ୍ ଘୂରିବ
ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ପୂର୍ବରୁ ମାତ୍ର ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିଛି। ସେଥିମଧ୍ୟରେ ଗୋଟିଏ ଦିନିକିଆ ମ୍ୟାଚ୍ ଥିଲା ବେଳେ ଅନ୍ୟଟି ହେଉଛି ବର୍ଷା ପ୍ରଭାବିତ ଟ୍ବେଣ୍ଟି-୨୦। ଉଭୟ ମ୍ୟାଚ୍ରେ ଏଠାକାର ପିଚ୍ ବୋଲରଙ୍କୁ ସୁହାଇଥିଲା। ରବିବାର ମଧ୍ୟ ଏହି ଧାରା ବଜାୟ ରହିବାର ଆଶା ଅଧିକ। ନିକଟରେ ଆୟୋଜିତ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ୧୪ ମ୍ୟାଚ୍ ଏଠାରେ ଆୟୋଜିତ ହୋଇଥିଲା। ଏଥିରେ ସ୍ପିନରମାନେ ପୁଣି ଥରେ ଭଲ ପ୍ରଦର୍ଶନ କରିଥିଲେ। ଆସନ୍ତାକାଲି ଏଠାକାର ପାଗ ମୁଖ୍ୟତଃ ଉଷ୍ମ ଏବଂ ଶୁଖିଲା ରହିବ। ବର୍ଷା ହେବାର କିଛିଟା ଆଶଙ୍କା ବି ଅଛି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଋଷବ ପନ୍ତ, ଶ୍ରେୟସ୍ ଆୟର, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଲେଣ୍ଡଲ ସିମନ୍ସ, ଏଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ୍, ସିମରନ୍ ହେଟମେୟର, ନିକୋଲାସ ପୂରନ, କିରଣ ପୋଲାର୍ଡ (ଅଧିନାୟକ), ଜାସନ ହୋଲ୍ଡର, ଖରି ପିଏରେ, କେସ୍ରିକ ୱିଲିୟମ୍ସ, ସେଲଡନ କଟରେଲ, ହେଡେନ ୱାଲ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/pollard_and_kohli_ap_630_630.jpg)