ଶୃଙ୍ଖଳା ବିଜୟ ସୁଯୋଗ; ବୁମ୍‌ରା ଫେରିପାରନ୍ତି, ଇତିହାସ ରଚିବା ଦ୍ବାରରେ ଚହଲ

ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ପରବର୍ତ୍ତୀ ଦୁଇଟି ଲଢ଼େଇରେ ବିଜୟୀ ହୋଇଛି। ଗସ୍ତର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦୁଇ ଏକଦିବସୀୟକୁ ହାରି ଶୃଙ୍ଖଳା ହାରିବା ପରେ ତୃତୀୟ ତଥା ଶେଷ ଦିନିକିଆ ଜିତି ଫର୍ମକୁ ଫେରିଥିଲା କୋହଲି ବାହିନୀ। ତା’ ପରେ କାନବେରାରେ ଆରମ୍ଭ ହୋଇଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଜିତି ନେଇ ୧-୦ରେ ଆଗୁଆ ‌ବି ହୋଇଥିଲା। ସେଥିପାଇଁ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ପାଖରେ ଶୃଙ୍ଖଳା ବିଜୟ ସୁଯୋଗ ରହିବ। ତା’ ସହ ଦିନିକିଆ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ଟ୍ବେଣ୍ଟି-୨୦ରେ ନେବାର ଅପୂର୍ବ ସୁଯୋଗ ମଧ୍ୟ ରବିବାର ଭାରତୀୟ କ୍ରିକେଟ୍ ଦଳର ହାତପାହାନ୍ତାରେ ପହଞ୍ଚିବ। ପ୍ରଥମ ଟ୍ବେଣ୍ଟି-୨୦ ବିଜୟର ନାୟକ ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ମଧ୍ୟ ସମସ୍ତଙ୍କ ପସନ୍ଦର ଦଳ ଭାବେ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ। କାରଣ ବିକଳ୍ପ ଏବଂ ବିବିଧତା ଦୃଷ୍ଟିରୁ ସାଂପ୍ରତିକ ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆ ଅପେକ୍ଷା ନିଶ୍ଚିତ ଭାବେ ଶକ୍ତିଶାଳୀ। ତେବେ ଅଷ୍ଟ୍ରେଲିଆର ପସନ୍ଦର ପଡ଼ିଆ ଏସ୍‌ସିଜି (ସିଡ୍‌ନି କ୍ରି‌କେଟ୍ ପଡ଼ିଆ)ରେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଏହା ହୁଏତ ବିରାଟ ବାହିନୀ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇପାରେ।

ବୁମ୍‌ରା ଫେରିପାରନ୍ତି
ଶୃଙ୍ଖଳା ଆରମ୍ଭ ପୂର୍ବରୁ ପ୍ରସ୍ତୁତ ରଣନୀତି ଅନୁସାରେ ଭାରତ ଅଦଳବଦଳ କରି ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ଖେଳାଉଛି। ତଦନୁଯାୟୀ ପ୍ରଥମ ଟ୍ବେଣ୍ଟି-୨୦ରେ ସାମି ଖେଳିଥିଲେ। ଏଣୁ ରବିବାର ବୁମ୍‌ରା ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ମସ୍ତିସ୍କାଘାତ ପାଇଁ ବାଦ ପଡ଼ିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନ ପୂରଣ କରିବା ଭାରତ ପାଇଁ ଆଦୌ ସହଜ ହେବନି। ଜାଦେଜଙ୍କ ବଦଳ ଖେଳାଳି ଭାବେ ଖେଳି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶକୁ ଫେରିବାକୁ ହକଦାର। ସେପଟେ ମନୀଷ ପାଣ୍ଡେ ପ୍ରଥମ ଟ୍ବେଣ୍ଟି-୨୦ରେ ୮ ବଲ୍‌ରୁ ମାତ୍ର ୨ ରନ୍ କରିଥିବାରୁ ତାଙ୍କ ସ୍ଥାନ ଟଳମଳ ହୋଇପାରେ। ଅନ୍ୟପକ୍ଷରେ ଦ୍ରୁତ ବୋଲର ସାର୍ଦୁଲ ଠାକୁର ମଧ୍ୟ ଜାଦେଜାଙ୍କ ବିକଳ୍ପ ହୋଇପାରିବେ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି।

ସମ୍ଭାବ୍ୟ ଭାରତ: ଶିଖର ଧାୱନ, କେଏଲ୍ ରାହୁଲ, ବିରାଟ କୋହଲି, ସଞ୍ଜୁ ସାମସନ୍, ମନୀଷ ପାଣ୍ଡେ/ଶ୍ରେୟସ୍ ଆୟର, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଦୀପକ ଚହର, ଟି ନଟରାଜନ, ଯଶପ୍ରୀତ ବୁମ୍‌ରା/ ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ/ସାଦ୍ରୁଲ ଠାକୁର।

ଫିଞ୍ଚ୍‌ଙ୍କୁ ନେଇ ଦ୍ବନ୍ଦ୍ବ
ଅଷ୍ଟ୍ରେଲିଆ ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ସେବାରୁ ବଞ୍ଚିତ ହୋଇଛି। ଏବେ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଫିଞ୍ଚ୍ ଯଦି ବାଦ୍ ପଡ଼ନ୍ତି, ତାହାଲେ ମାଥ୍ୟୁ ୱାଦେ ଶେଷ ଦୁଇ ଟ୍ବେଣ୍ଟି-୨୦ରେ କଙ୍ଗାରୁ ଦଳର ନେତୃ୍ତ୍ବ ନେଇପାରନ୍ତି। ଫିଞ୍ଚ ନ ଖେଳିଲେ ୱାଦେ ମଧ୍ୟ ଡାର୍କି ସଟ୍‌ଙ୍କ ସହ ପାଳି ଆରମ୍ଭ କରିବାକୁ ବାଧ୍ୟ ହେବେ। ଏହା ହେଲେ ୱିକେଟ୍ ରକ୍ଷକ ଆଲେକ୍ସ କ୍ୟାରି ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି। ଅଭିଜ୍ଞ ସ୍ପିନର ନାଥନ ଲାୟନ ଦଳରେ ସାମିଲ ହେବା ପରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଲାଗି ତାଙ୍କୁ ନବାଗତ ମିଚେଲ ସ୍ବିପସନ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ଗତ ଚାରିଟି ଯାକ ସୀମିତ ଓଭର ମ୍ୟାଚ୍ ଖେଳିଥିବା ଜୋସ୍ ହାଜେଲଉଡ୍‌ଙ୍କୁ ରବିବାର ବିଶ୍ରାମ ମିଳିପାରେ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍/ଡାର୍କି ସଟ୍, ମାଥ୍ୟୁ ୱାଦେ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମୋଜେସ ହେନରିକ୍ସ, ଆଲେକ୍ସ କ୍ୟାରି, ସିନ୍ ଆବୋଟ, ମିଚେଲ ଷ୍ଟାର୍କ, ମିଚେଲ ସ୍ବିପ୍‌ସନ୍/ନାଥନ ଲାୟନ, ଆଦାମ ଜାମ୍ପା, ଜୋସ୍ ହା‌ଜେଲଉଡ୍।

ହାଇସ୍କୋରିଂ ଆଶା
ସିଡ୍‌ନିରେ ଖେଳା ଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ହାଇସ୍କୋରିଂ ରହିଥିଲା। ତା’ଛଡ଼ା ପ୍ରଥମେ ବ୍ୟାଟିଂ କରିଥିବା ଦଳ ପୂରା ଫାଇଦାରେ ରହିଥିଲା। ଏଣୁ ରବିବାର ଟସ୍ ଜିତିବା ଦଳ ନିଶ୍ଚିତ ଭାବେ କିଛିଟା ଲାଭରେ ରହିବ। ସିଡ୍‌ନି ପିଚ୍ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଧିକ ସୁହାଉଥିବାରୁ ରବିବାର ଆଉ ଏକ ହାଇସ୍କୋରିଂ ମୁକାବିଲା ଦେଖିବାକୁ ମିଳିପା‌ରେ। ସ୍ଥାନୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଅନୁସାରେ ଆସନ୍ତାକାଲି ପାଗ ପ୍ରାୟତଃ ଶୁଖିଲା ଏବଂ ମେଘମୁକ୍ତ ରହିବ।

ପରିସଂଖ୍ୟାନ
ଭାରତ ତା’ର ଗତ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଅପରାଜେୟ ରହିଛି। ଏହି ମ୍ୟାଚ୍ ମଧ୍ୟରେ ଗୋଟିଏ ଫଳାଫଳ ମିଳି ନଥିବା ମୁକାବିଲା ଏବଂ ଦୁଇଟି ଟାଇ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଦୁଇ ଟାଇ ମ୍ୟାଚ୍‌କୁ ଭାରତ ସୁପରଓଭରରେ ଜିତିଥିଲା। ମଜାଦାର କଥା ହେଲା ଦୁଇ ବର୍ଷ ତଳର ଅଷ୍ଟ୍ରେଲିଆ ଗସ୍ତରେ ଭାରତ ସିଡ୍‌ନି ପଡ଼ିଆରେ ଘରୋଇ ଦଳ ଧାର୍ଯ୍ୟ କରିଥିବା ୧୬୫ ରନ୍‌ର ଲକ୍ଷ୍ୟକୁ ହାସଲ କରି ନେଇ ଭାରତ ଶୃଙ୍ଖଳା ଅମୀମାଂସିତ ରଖିଥିଲା।

ଇତିହାସ ରଚିବା ଦ୍ବାରରେ ଚହଲ
ରବିବାର ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି‌ଲେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିବ। କାନବେରାରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ୨୫ ରନ୍ ଦେଇ ୩ ୱିକେଟ୍ କରାୟତ କରିଥିବା ଚହଲ ଆଉ ଦୁଇଟି ୱିକେଟ୍ ନେଲେ ଟ୍ବେଣ୍ଟି-୨୦ରେ ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିବେ। ଏହି କ୍ରମରେ ସେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଟପି ପାରିବେ। ବୁମ୍‌ରା ୫୯ ୱିକେଟ୍ ନେଇ ଟ୍ବେଣ୍ଟି-୨୦ରେ ଭାରତର ସର୍ବାଧିକ ସଂଖ୍ୟକ ୱିକେଟ୍ ନେଇଥିବା ବୋଲର ଭାବେ ପରିଗଣିତ ହେଉଛନ୍ତି। ଚହଲ ସଂପ୍ରତି ୫୮ ୱିକେଟ୍ ସହ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ରବିବାର ଗୋଟିଏ ୱିକେଟ୍ ନେଲେ ସେ ମଧ୍ୟ ବୁମ୍‌ରାଙ୍କ ସମକକ୍ଷ ହୋଇପାରିବେ।

ସକାଳୁ ଟେଷ୍ଟ୍ ପାଇଁ ଅଭ୍ୟାସ ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଭାରତୀୟ ସମୟ ଅପରାହ୍ନ ଗୋଟାଏ ୪୦ରୁ ଆରମ୍ଭ ହେବ। ଏହାର ପୂର୍ବରୁ ଅର୍ଥାତ୍ ସକାଳ ୫ଟାରୁ ସେହି ସିଡ୍‌ନିର ଡୁମୋନେ ଓଭାଲଠାରେ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଲାଗି ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ମଧ୍ୟ ଆରମ୍ଭ ହେବ। ଏଥିରେ ଭାରତ ‘ଏ’କୁ ଅଷ୍ଟ୍ରେଲିଆ ‘ଏ’ ଭେଟିବ। ଏହି ମ୍ୟାଚ୍‌ରେ ଦୀର୍ଘ ଦିନ ହେବ ଅଷ୍ଟ୍ରେଲିଆରେ ଡେରା ପକାଇଥିବା ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ୍ ବି‌ଶେଷଜ୍ଞମାନେ ଅଂଶଗ୍ରହଣ କରି‌ବେ। ଅଷ୍ଟ୍ରେଲିଆର କିଛି ଟେଷ୍ଟ୍ ଖେଳାଳି ମଧ୍ୟ ଖେଳିବେ।

ଭାରତ ‘ଏ’: ରବିଚନ୍ଦ୍ରନ୍ ଅଶ୍ବିନ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସିରାଜ, ଋଷବ ପନ୍ତ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଋଦ୍ଧିମାନ ଶାହ, ପୃଥ୍ବୀ ସା’, ହନୁମା ବିହାରୀ, ଉମେଶ ଯାଦବ।

ଅଷ୍ଟ୍ରେଲିଆ ‘ଏ’: ଜ୍ୟାକସନ୍ ବାର୍ଡ, ଜୋ ବର୍ନସ, ହ୍ୟାରି କନୱେ, ମାର୍କସ ହାରିସ୍, ଟ୍ରାଭିସ୍ ହେଡ୍ (ଅଧିନାୟକ), ନିକ ମାଡିନସନ୍, ଟିମ୍ ପେନ୍, ଜେମ୍ସ ପାଟିନସନ୍, ୱିଲ ପକଭସ୍କି, ମାର୍କ ଷ୍ଟେକିଟେ, ୱିଲ୍ ସଦରଲାଣ୍ଡ।

ସମ୍ବନ୍ଧିତ ଖବର