ଚନ୍ଦନଙ୍କ ୭ ଗୋଲ୍‌ ଚମକ

ଭୂତିଆ ସ୍କୁଲ୍‌ର ଦ୍ୱିତୀୟ ବୃହତ୍‌ ବିଜୟ

ଭୁବନେଶ୍ୱର: ଓଡ଼ିଶା ଫୁଟ୍‌ବଲ୍‌ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ନୂଆଦିଲ୍ଲୀରେର ଚାଲିଥିବା କନିଷ୍ଠ ଆଇଲିଗ୍‌ରେ (୧୩ ବର୍ଷରୁ କମ୍‌) ବାଇଚୁଙ୍ଗ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ ଲଗାତାର ଦ୍ୱିତୀୟ ବୃହତ ବିଜୟ ହାସଲ କରିଛି। ୧୨ ବର୍ଷୀୟ ଭୁବନେଶ୍ୱର ବାଳକ ଚନ୍ଦନ ନାୟକ ଏକା ୭ ଗୋଲ୍‌ ଦେଇ ନୂଆ ଅଧ୍ୟାୟ ସଂଯୋଗ କରିଥିବାବେଳେ ତାଙ୍କ ଦଳ ୧୨-୧ରେ ଦିଲ୍ଲୀ ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରିଛି। ଭୁବନେଶ୍ୱର ସାଲିଆସାହିର ରଂଜନ ସୋରେନଙ୍କ ନେତୃତ୍ୱରେ ଖେଳୁଥିବା ଏହି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ରଂଜନ ଦଳର ରକ୍ଷଣଭାଗ ସମ୍ଭାଳିବା ସହିତ ପ୍ରତିପକ୍ଷ ଖେଳାଳିଙ୍କୁ ଡି’ ଅଞ୍ଚଳକୁ ପୂରାଇ ଦେଇନଥିଲେ। ତାଙ୍କ ଭାଇ ସୁନିଲ ସୋରେନ୍‌ ବ୍ୟକ୍ତିଗତ ଭାବେ ୨ ଗୋଲ୍‌ ମଧ୍ୟ ଦେଇଥିଲେ। ଶ୍ରୀନିବାସ ମିଶ୍ରଙ୍କ ପ୍ରୟାସରେ ଗଢ଼ି ଉଠିଥିବା କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ତିନି ଖେଳାଳି ରଞ୍ଜନ ସୋରେନ୍‌, ଚନ୍ଦନ ନାୟକ ଓ ସୁନିଲ ସୋରେନ୍‌ ଏବେ ଆଇଲିଗ୍‌ ପ୍ରବେଶକୁ ସ୍ମରଣୀୟ କରିଛନ୍ତି। ଚନ୍ଦନଙ୍କ ପୂର୍ବରୁ ଆଇଲିଗ୍‌ର ଏକ ନିର୍ଦ୍ଧିଷ୍ଟ ମ୍ୟାଚ୍‌ରେ କେହି ୭ ଗୋଲ୍‌ ଦେଇନଥିଲେ। ଏବେ ଚନ୍ଦନ ମୋଟ୍‌ ୯ ଗୋଲ୍‌ ସହିତ ଗୋଲ୍‌ଡେନ୍‌ ବୁଟ୍‌ର ମୁଖ୍ୟ ଦାବିଦାର ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଅଗ୍ରଭାଗ ଖେଳାଳି ଚନ୍ଦନ ଓ ମଧ୍ୟଭାଗ ଖେଳାଳି ସୁନିଲ ୨ ଲେଖାଏଁ ଗୋଲ୍‌ କରଥିଲେ। ଚନ୍ଦନ ଜର୍ମାନର ବେୟର୍ନ ମୁ୍ୟୁନିକ୍‌ରେ ତାଲିମ୍‌ ନେଇ ଚର୍ଚାକୁ ଆସିଥିଲେ। ଏହି ୩ ଖେଳାଳିଙ୍କୁ କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ଜୟଦେବ ମହାପାତ୍ର ଏବଂ ସଭାପତି ଶ୍ରୀନିବାସ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର