ଓଡ଼ିଶା ଫୁଟ୍‌ବଲ୍‌ ବଦଳିଯିବ:ଶୁଭମ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌କୁ ଦିଲ୍ଲୀ ଡାଇନାମସ୍ ଘରୋଇ ପଡ଼ିଆ କରିବା ଓଡ଼ିଶା ଫୁଟ୍‌ବଲ୍ ପାଇଁ ବହୁତ ଭଲ ଖବର। ଏଥିନେଇ ମୁଁ ବହୁତ ଖୁସୀ। ଆଶା କରୁଛି ଆସନ୍ତା କିଛିଦିନ ଭିତରେ ଏଥିନେଇ ଆନୁ‌ଷ୍ଠାନିକ ଘୋଷଣା ହେବ। କଳିଙ୍ଗକୁ ଦିଲ୍ଲୀ ଘରୋଇ ପଡ଼ିଆ କଲେ ଓଡ଼ିଶା ଫୁଟ୍‌ବଲ୍‌ରେ ଅନେକ କିଛି ପରିବର୍ତନ ଆସିବ। ଆମ ରାଜ୍ୟରୁ ଆହୁରି ଭଲ ଖେଳାଳି ସୃଷ୍ଟି ହେବେ। ବ୍ୟକ୍ତିଗତ ଭାବେ ମୁଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ବ୍ୟଗ୍ର। ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି। ରବିବାର ‘ସ୍ପୋର୍ଟସ ଲଗ୍ ଅନ୍’ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିବା ପରେ ଓଡ଼ିଶା ଫୁଟ୍‌ବଲ୍‌ର ଗର୍ବ ଓ ଗୌରବ ତଥା ଅନ୍ତର୍ଜାତୀୟ ଫୁଟବଲ୍ ତାରକା ଶୁଭମ୍ ଷଡ଼ଙ୍ଗୀ ‘ସମ୍ବାଦ’କୁ ଏହା କହିଛନ୍ତି। ଏହା ଦ୍ବାରା ଓଡ଼ିଶାରେ ଫୁଟବଲ୍ ଅଧିକ ଲୋକପ୍ରିୟ ହେବ। ହେଲେ ଆମ ରାଜ୍ୟରେ ଫୁଟ୍‌ବଲ୍ ଅନ୍ତର୍ଜାତୀୟ ସ୍ତରର ହେବା ଲାଗି ଆହୁରି ୧୦-୧୫ ବର୍ଷ ଲାଗିବ ବୋଲି ଏହି ଅବସରରେ ସେ ମତ ପ୍ରକାଶ କରିଥିଲେ। ଏକାଧିକ ଥର ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇବା ସହ ଭାରତୀୟ ୧୪ ବର୍ଷରୁ କମ୍ ଦଳର ନେତୃତ୍ବ ନେଇ ସାରିଥିବା ଶୁଭମ୍ ଆଗକୁ ଭାରତୀୟ ବରିଷ୍ଠ ଦଳର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ପର୍ତୁଗାଲର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ସେ ଆଦର୍ଶ କରିଛନ୍ତି ବୋଲି ଶୁଭମ୍ କହିଥିଲେ। ରୋନାଲଡୋଙ୍କ ଭଳି ଆଗକୁ ସେ ଶୀର୍ଷସ୍ତରୀୟ ୟୁରୋପୀୟ ଫୁଟ୍‌ବଲ୍ କ୍ଲବ୍‌ରେ ଖେଳିବାକୁ ଆଶା ରଖିଛନ୍ତି। ବିଶାଖାପାଟଣାରେ ଜନ୍ମଗ୍ରହଣ କରିଥିବା ୧୯ ବର୍ଷୟ ଶୁଭମ୍ ସେଣ୍ଟ୍ରାଲ ମିଡଫିଲ୍ଡ ଏବଂ ସେଣ୍ଟର ଫରୱାର୍ଡ ଭାବେ ଖେଳୁଥିଲା ବେଳେ ଫୁଟ୍‌ବଲକୁ ଯେତେବେଳେ ଆଦୌ ଜାଣି ନଥିଲେ, ସେ‌ତେବେଳେ ଏହାର ପ୍ରେମରେ ପଡ଼ି ଯାଇଥି‌ଲେ। ମାତ୍ର ୧୨ ବର୍ଷ ବୟସରେ ସେ ଭାରତୀୟ ଏଏଫ୍‌ସି ୧୪ ବର୍ଷରୁ କମ୍ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଖେଳିଥିଲେ। ସେ ମଧ୍ୟ ଭାରତୀୟ ୧୭ ବର୍ଷରୁ କମ୍ ସମ୍ଭାବ୍ୟ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିଲେ। ଶୁଭମ୍ ୨୦୧୫-୧୬ରେ ମିନର୍ଭା ପଞ୍ଜାବ ଏଫସି ଦଳରେ ସ୍ଥାନ ପାଇ ୧୮ ବର୍ଷରୁ କମ୍ ଆଇଲିଗ୍ ପ୍ରତିଯୋଗିତା ଖେଳିଥିଲେ। ସେହି ପ୍ରତିଯୋଗିତାରେ ସେ ୮ ଗୋଲ୍ ଦେଇଥିଲେ। ୨୦୧୭ଠାରୁ ଶୁଭମ ଦିଲ୍ଲୀ ଡାଇନାମସ୍ ଦଳର ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର