ଟେଷ୍ଟ୍‌ରେ ବଦଳ ଖେଳାଳିଙ୍କୁ ଅନୁମତି, ଲାଳ ଲଗାଇଲେ ୫ ରନ୍ ଜରିମାନା

ଜର୍ସିରେ ଲାଗିବ ବଡ଼‌ ଲୋଗୋ, ଘରୋଇ ଅମ୍ପାୟାର୍‌ କରିବେ ପରିଚାଳନା, ଅତିରିକ୍ତ ଡିଆର୍‌ଏସ୍‌କୁ ଅନୁମତି

ଦୁବାଇ: ଟେଷ୍ଟ୍ କ୍ରିକେଟ୍‌ରେ ବଦଳ ଖେଳାଳିକୁ ଅନୁମତି ପ୍ରଦାନ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। କୋଭିଡ୍‌-୧୯ ମହାମାରୀ ଧମକ ପରେ ଖେଳ ନିୟମରେ ପରିବର୍ତନ କରିବାକୁ ଆଇସିସି ବାଧ୍ୟ ହୋଇଛି। ସେହିଭଳି କ୍ରିକେଟ୍ ବଲ୍‌ରେ ଲାଳ ଲଗାଇବା ନିୟମକୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଏଥିରେ କିଛି ସଂଶୋଧନ କରାଯାଇଛି। ତୃତୀୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଟି ହେଉଛି ଦ୍ବିପାକ୍ଷିକ ଶୃଙ୍ଖଳାରେ ଅଣ ନିରପେକ୍ଷ ଅମ୍ପାୟାରଙ୍କୁ ମ୍ୟାଚ୍‌ ପରିଚାଳନା ଦାୟିତ୍ବ। ଦ୍ବିପାକ୍ଷିକ ଶୃଙ୍ଖଳାରେ ଘରୋଇ ଅମ୍ପାୟାରଙ୍କୁ ପରିଚାଳନା ଦାୟିତ୍ବ ସହିତ ଏକ ଅତିରିକ୍ତ ଡିଆର୍‌ଏସ୍‌ ମଧ୍ୟ ମିଳିବ। ଆର୍ଥିକ ସଙ୍କଟ କାରଣରୁ କ୍ଷତି ଭରଣା କରିବା ଲାଗି ଖେଳାଳିଙ୍କ ଜର୍ସିରେ ମଧ୍ୟ ଏଣିକି ୩୨ ଇଞ୍ଚର ଏକ ଅତିରିକ୍ତ ବ୍ୟାବସାୟିକ ଲୋଗୋ ଲାଗିବ। ଅନିଲ କୁମ୍ବଲେଙ୍କ ନେତୃତ୍ବାଧୀନ ଆଇସିସି କ୍ରିକେଟ୍ ସମିତି ଏହି ୫ଟି ସୁପାରିସ୍ କରିଥିଲେ। ଯାହାକୁ ସିଇସି (ମୁଖ୍ୟ କାର୍ଯ୍ୟନିର୍ବାହୀ ସମିତି) ଅନୁମୋଦନ କରିଥିଲା।

(୧) ଟେଷ୍ଟ୍‌ ମ୍ୟାଚ୍‌ ବେଳେ କୌଣସି‌‌ ଖେଳାଳିଙ୍କ ନିକଟରେ କୋଭିଡ୍-୧୯ ଲକ୍ଷଣ ଦେଖାଦେଲେ ବଦଳ ଖେଳାଳିଙ୍କୁ ଅନୁମତି ମିଳିବ। ଗତବର୍ଷଠାରୁ ଖେଳାଳିଙ୍କ ମସ୍ତିସ୍କାଘାତ ଜନିତ ବଦଳ ଖେଳାଳିଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ସେହି ଧାରାରେ ଏବେ ଆଇସିସି ମ୍ୟାଚ୍‌ ରେଫରି ପାଖାପାଖି ପସନ୍ଦର‌ ଖେଳାଳିଙ୍କୁ ବଦଳ ଖେଳାଳି ଭାବେ ପଡ଼ିଆକୁ ପଠାଇବା ଉପରେ ନିଷ୍ପତ୍ତି ନେବେ। କିନ୍ତୁ ଏହି ବଦଳ ଖେଳାଳି ନିୟମ ଦିନିକିଆ କିମ୍ବା ଟି-୨୦ ଅନ୍ତର୍ଜାତୀୟରେ ଲାଗୁ ହେବ ନାହିଁ।

(୨) କ୍ରିକେଟ୍ ବଲରେ ଲାଳ ବ୍ୟବହାର ଉପରେ ରହିଥିବା ପୂର୍ବ ନିୟମରେ ପରିବର୍ତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣର ମାଧ୍ୟମ କୁହାଯାଉଥିବା ଲାଳକୁ ଆଉ ବଲ୍‌ ଚିକ୍କଣ ଲାଗି ବ୍ୟବହାର କରାଯାଇପାରିବ ନାହିଁ। ପ୍ରଥମ ଉଲ୍ଲଂଘନକାରୀ ଦଳକୁ ଦଣ୍ଡସ୍ବରୂପ ୫ ରନ୍‌ର ଜରିମାନା ପ୍ରଦାନ କରାଯିବ। ପରବର୍ତୀ ସମୟରେ ଅମ୍ପାୟାର୍‌ ଦଳକୁ ଚେତାବନୀ ପ୍ରଦାନ କରିବେ। ଖେଳ ପୁନଃ ଆରମ୍ଭ ପୂର୍ବରୁ ବଲ୍‌କୁ ସଫା କରିବା ଲାଗି ଅମ୍ପାୟାର୍‌ ଦାୟିତ୍ବ ନେବେ।

(୩) ଦ୍ବିପାକ୍ଷିକ ଶୃଙ୍ଖଳାରେ ଦୁଇ ଦଶନ୍ଧି ଧରି ଚାଲିଥିବା ନିରପେକ୍ଷ ଅମ୍ପାୟାର୍‌ ଧାରା ବନ୍ଦ ହୋଇଯିବ। ଅଧିକ ଯାତ୍ରାକୁ ରୋକିବା ଲାଗି ଘରୋଇ ଅମ୍ପାୟାର୍‌ ମ୍ୟାଚ୍‌ ପରିଚାଳନା କରିବେ। ଏହାକୁ ଅସ୍ଥାୟୀ ଭା‌ବେ ଲାଗୁ କରାଯିବ। ଆଇସିସି କିନ୍ତୁ ନିଜ ଏଲିଟ୍ ପ୍ୟାନେଲ୍‌ରୁ ମ୍ୟାଚ୍‌ ଅଧିକାରୀ ମନୋନୀତ କରିବେ। ଏହାର ଅର୍ଥ ଭାରତରେ ମ୍ୟାଚ୍‌ ବେଳେ ଏଣିକି ସି ସାମସୁଦ୍ଦିନ୍‌, ଅନିଲ ଚୌଧୁରୀ ଓ ନୀତିନ ମେନନ ଅମ୍ପାୟାର ଭାବେ ଏବଂ ଜଭାଗାଲ ଶ୍ରୀନାଥ ‌ମ୍ୟାଚ୍‌ ରେଫରି ଭାବେ ପରିଚାଳନା କରିବେ।

(୪) ଅଭିଜ୍ଞ ଅମ୍ପାୟାରଙ୍କ ଅନୁପସ୍ଥିତି ରହିବା କାରଣରୁ ପ୍ରତି ପାଳି ପିଛା‌ ଗୋଟିଏ ଲେଖା‌ଏଁ ଅତିରିକ୍ତ ଡିଆର୍‌ଏସ୍‌ (ଡିସିସନ୍ ରିଭ୍ୟୁ ସିଷ୍ଟମ୍‌) ଉପଲବ୍‌ଧ କରାଯିବାକୁ ଆଇସିସି ଅନୁମତି ଦେଇଛି। ଅସଫଳ ଆବେଦନ ସଂଖ୍ୟା ପାଳି ପିଛା ଟେଷ୍ଟ୍‌ରେ ୩ ଓ ସୀମିତ ଓଭରରେ ୨ ରହିବ।

(୫) ଖେଳାଳି ଓ ମ୍ୟାଚ୍‌ ପରିଚାଳକଙ୍କ ପୋଷାକ ପରିଧାନ ନିୟମରେ ସଂଶୋଧନ କରାଯାଇଛି। ଟେଷ୍ଟ୍‌ ମ୍ୟାଚ୍‌ ଜର୍ସିରେ ଖେଳାଳିଙ୍କ ଛାତିରେ ସର୍ବାଧିକ ୩୨ ଇଞ୍ଚ୍‌ର ଏକ ବ୍ୟାବସାୟିକ ଲୋଗୋ ଲାଗିବ। ଟେଷ୍ଟ୍ ମ୍ୟାଚ୍‌ ସାର୍ଟ କିମ୍ବା ସ୍ବେଟର୍‌ରେ ଏହା ଅତିରିକ୍ତ ଭାବେ ଲାଗିବ। ପୂର୍ବ ନିୟମ ଅନୁସାରେ ୩ ଲୋଗୋ ପରେ ଏହା ଲାଗିପାରିବ। ଏବେ କେବଳ ଛାତିର ଲୋଗୋ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟରେ ବ୍ୟବହାର ହେବ।

ସମ୍ବନ୍ଧିତ ଖବର