ବଦଳିଲା ସେମିଫାଇନାଲ୍‌ ସମୀକରଣ

ରବିବାରର ଇଂଲଣ୍ଡ ବିଜୟ ପରେ ବିଶ୍ବକପ୍ ସେମିଫାଇନାଲ୍ ସମୀକରଣ ବଦଳି ଯାଇଛି। ପୂର୍ବରୁ କେବଳ ଅଷ୍ଟ୍ରେଲିଆ ଏହି ପର୍ଯ୍ୟାୟରେ ପ୍ରବେଶ କରି ସାରିଛି। ସେଥିପାଇଁ ବଳକା ତିନିଟି ସ୍ଥାନ ପାଇଁ ଭାରତ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଭାରତ (୧୧ ପଏଣ୍ଟ୍‌) ଓ ନ୍ୟୁଜିଲାଣ୍ଡ (୧୧ ପଏଣ୍ଟ୍‌) ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଅଛନ୍ତି। ତେବେ ପୂରା ସୁରକ୍ଷିତ ହୋଇ ନାହାନ୍ତି। ଇଂଲଣ୍ଡ ୮ ମ୍ୟାଚ୍‌ରୁ ୧୦ ପଏଣ୍ଟ୍‌ ପାଇବା ପରେ ପାକିସ୍ତାନ (୯), ଓ ବାଂଲାଦେଶ (୭) ପାଇଁ ପଥ କଷ୍ଟକର ହୋଇ ଯାଇଛି। ଭାରତ ତା’ର ଶେଷ ଦୁଇ ମ୍ୟାଚ୍‌ରୁ ଗ‌ୋଟିକରେ ବିଜୟୀ ହେଲେ ସେମିଫାଇନାଲ୍ ଖେଳିବ। ଦୁଇଟି ଯାକ ହାରିଲେ ରନ୍ ହାର ଉପରେ ନିର୍ଭରଶୀଳ ରହିବ। ପାକିସ୍ତାନ ଓ ଇଂଲଣ୍ଡ ନିଜ ନିଜ ଶେଷ ମ୍ୟାଚ୍ ଜିତିଲେ ୧୨ ଏବଂ ୧୧ ପଏଣ୍ଟ୍‌ ପାଇବେ। ଏଭଳି ସ୍ଥିତିରେ ରନ୍ ହାରର ମହତ୍ବ ବଢ଼ିଯିବ। ଦୁଇଟି ମ୍ୟାଚ୍ ଥାଇ ଶ୍ରୀଲଙ୍କା‌ ୬ ପଏଣ୍ଟ୍‌ରେ ଥିବାରୁ ଏହି ଦଳ ଲଗାତାର ଦୁଇଟି ବିଜୟ ପାଇଲେ ମଧ୍ୟ ସେମିଫାଇନାଲ୍ ଖେଳିବା ସମ୍ଭାବନା କମ୍‌। ବାଂଲାଦେଶ ୭ ମ୍ୟାଚ୍ ଖେଳିଥିବାରୁ ବଳକା ଦୁଇ ମ୍ୟାଚ୍ ଜିତିଲେ ଏହି ଦଳ ୧୧ ପଏଣ୍ଟ୍‌ରେ ପହଞ୍ଚିବ ଏବଂ ସେମିଫାଇନାଲ୍ ଲାଗି ଦାବିଦାର ଉପସ୍ଥାପନା କରିବ। ୧୦ ଦଳ ମଧ୍ୟରୁ ପୂର୍ବରୁ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ବାଦ୍ ପଡ଼ି ସାରିଛନ୍ତି।

ସମ୍ବନ୍ଧିତ ଖବର