କେପ୍ଟାଉନ୍ : ସମସ୍ତ ଫର୍ମାଟ୍ରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଭାରତ ୩ ଲେଖାଏଁ ଟେଷ୍ଟ୍ ଏବଂ ଦିନିକିଆ ବ୍ୟତୀତ ୪ ଟି-୨୦ ମ୍ୟାଚ୍ ଖେଳିବାର ସୂଚୀ ଧାର୍ଯ୍ୟ ହୋଇଥିଲା। ଟେଷ୍ଟ୍ ଶୃଙ୍ଖଳାରୁ ହିଁ ଗସ୍ତ ସୂଚୀ ଆରମ୍ଭ ହେବ। ମହାତ୍ମା ଗାନ୍ଧୀ ଏବଂ ନେଲ୍ସନ ମାଣ୍ଡେଲାଙ୍କୁ ସମ୍ମାନାର୍ଥେ ଗାନ୍ଧୀ-ମାଣ୍ଡେଲା ନାମରେ ନାମିତ ଏହି ଶୃଙ୍ଖଳା ସୂଚୀରେ ଶୁକ୍ରବାର କିଛିଟା ପରିବର୍ତନ କରିଛି କ୍ରିକେଟ୍ ଦକ୍ଷିଣ ଆଫ୍ରିକା। ପରିବର୍ତିତ ସୂଚୀ ଅନୁଯାୟୀ ଜୋହାନ୍ସବର୍ଗ ପରିବର୍ତେ କେପ୍ଟାଉନ୍ ନୂଆ ବର୍ଷ ଟେଷ୍ଟ୍କୁ ଆୟୋଜନ କରିବ। ପ୍ରଥମ ଟେଷ୍ଟ୍ ଜୋହାନ୍ସବର୍ଗରେ ଖେଳାଯିବ। ଏହାପରେ ଡିସେମ୍ବର ୨୬ରେ ବକ୍ସିଂ ଡେ’ ଟେଷ୍ଟ୍ ପ୍ରିଟୋରିଆରେ ଖେଳାଯିବ।
ତେବେ ତୃତୀୟ ତଥା ଶେଷ ଟେଷ୍ଟ୍କୁ କେପ୍ ଟାଉନ୍ ଆୟୋଜନ କରିବ। ଏହି ଶୃଙ୍ଖଳା ବେଳେ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଅନୁମତି ମିଳିବ। ଏବର ସରକାରୀ ନିୟମ ଅନୁଯାୟୀ ୨୦୦୦ ଦର୍ଶକ ହିଁ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିପାରିବେ। ହେଲେ ଶୃଙ୍ଖଳା ଆରମ୍ଭ ହେଲାବେଳକୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ କରାଯାଇପାରେ ବୋଲି କୁହାଯାଇଛି। ସୀମିତ ଓଭର ଶୃଙ୍ଖଳା ପାଇଁ ଦୁଇ ଦଳ ୱେଷ୍ଟର୍ଣ୍ଣ କେପ୍ରେ ଅବସ୍ଥାନ କରିବେ। ସବୁଠୁ ବଡ଼ କଥା ହେଲା ୧୯୯୧ରେ ଆନ୍ତର୍ଜାତିକ କ୍ରିକେଟ୍କୁ ପ୍ରତ୍ୟାବର୍ତନ କରିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଭାରତ ଗସ୍ତ କରିଥିଲା। ଏହି ଗସ୍ତର ୩୦ ବର୍ଷ ପୂର୍ତ୍ତି ପାଳନ ଯୋଗୁଁ ଭାରତୀୟ ଦଳକୁ ଭବ୍ୟ ସ୍ବାଗତ ପାଇଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଉତ୍ସାହିତ ରହିଛି। ଏହି ଗସ୍ତ ମଧ୍ୟ ବିସିସିଆଇ ସହ ତାଙ୍କ ବୋର୍ଡର ବନ୍ଧୁତ୍ବ ଭାବ ବଢ଼ାଇବ ବୋଲି ଶୁକ୍ରବାର ଏକ ଇସ୍ତାହାରରେ କହିଛନ୍ତି କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିର୍ଦେଶକ ଗ୍ରେମ୍ ସ୍ମିଥ୍।