କଳଙ୍କମୁକ୍ତ ଚାନୁ, ଅର୍ଜୁନ ପୁରସ୍କାର ଫେରିପାଇଲେ

ନୂଆଦିଲ୍ଲୀ: ଡୋପ୍‌ କଳଙ୍କରୁ ମୁକ୍ତ ହେବା ପରେ ଭାରୋତ୍ତୋଳିକା ସଞ୍ଜିତା ଚାନୁ ତାଙ୍କ ୨୦୧୮ର ଅର୍ଜୁନ ପୁରସ୍କାର ଫେରିପାଇଛନ୍ତି। ଲାଗ ଲାଗ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୧୪, ୪୮ କେଜି ବର୍ଗ ଓ ୨୦୧୮, ୫୩ କେଜି ବର୍ଗ) ସ୍ବର୍ଣ୍ଣ ପଦକ ବିଜୟିନୀ ଏହି ମଣିପୁରୀ ଭାରୋତ୍ତୋଳିକା ୨୦୧୮ରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ହେଲେ ଡୋପ୍‌ କଳଙ୍କ ପାଇଁ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇନଥିଲା। ଶେଷରେ ସେ କଳଙ୍କମୁକ୍ତ ହୋଇ ସ୍ଥଗିତ ରଖାଯାଇଥିବା ଏହି ପୁରସ୍କାରକୁ ଫେରିପାଇଛନ୍ତି। ୨୦୧୮ରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଚାନୁଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଚାନୁଙ୍କ ନାମ ବିଚାରକୁ ନେବା ପାଇଁ ମନୋନୟନ କମିଟିକୁ ନିର୍ଦେଶ ଦେଇଥିଲେ ଏବଂ ସେ ଦୋଷମୁକ୍ତ ହେବା ପର୍ଯ୍ୟନ୍ତ ନିଷ୍ପତ୍ତିକୁ ଏକ ମୁଦ ଲଫାଫାରେ ରଖିବାକୁ କହିଥିଲେ। ଦୋଷମୁକ୍ତ ପରେ ଏହାକୁ ଖୋଲିବାକୁ ମଧ୍ୟ ଅଦାଲତ ନିର୍ଦେଶ ଦେଇଥିଲେ। ଏବେ ଚାନୁ ସମସ୍ତ ଡୋପିଂ ଅଭିଯୋଗରୁ ଆନ୍ତର୍ଜାତିକ ସଂଘ ଦ୍ବାରା ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଆମେ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ତାଙ୍କ ନାମ ବିଚାରକୁ ନେଇ ଅର୍ଜୁନ ପୁରସ୍କାର ପ୍ରଦାନ କରିବୁ ବୋଲି ମନ୍ତ୍ରଣାଳୟ କହିଛି।

ଏଠାରେ ସୂଚନାଯୋଗ୍ୟ, କ୍ରମାଗତ ଦୁଇ ବର୍ଷ ୨୦୧୬ ଓ ୨୦୧୭ରେ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିଥିଲେ ଚାନୁ। ହେଲେ ଉଭୟଥର ତାଙ୍କୁ ଉପେକ୍ଷା କରାଯିବାରୁ ୨୦୧୭ରେ ଚାନୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ରିଟ୍‌ ପିଟିସନ୍‌ ଦାୟର କରିଥିଲେ। ଅର୍ଜୁନ ପୁରସ୍କାର ତାଲିକାରୁ ତାଙ୍କ ନାମ ବାଦ୍‌ ଦିଆଯାଇଥିବା‌ ପ୍ରତିବାଦରେ ଚାନୁ ଏହି ମାମଲା ଦାୟର କରିଥିଲେ। ଏହି ମାମଲା ବିଚାରଧୀନ ରହିଥିଲା ବେଳେ ମେ’ ୨୦୧୮ରେ ନିଷିଦ୍ଧ ଔଷଧ ସେବନ ପାଇଁ କରାଯାଇଥିବା ତାଙ୍କ ଡ୍ରଗ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଚାନୁ ମଧ୍ୟ ଡୋପ୍‌ ଅଭିଯୋଗ ବିରୋଧରେ ଅପିଲ କରିଥିଲେ। ଏହାସତ୍ତ୍ବେ ତାଙ୍କ ନାମ ବିଚାରକୁ ନେବା ପାଇଁ ଏବଂ ନିଷ୍ପତ୍ତିକୁ ମୁଦ ଲଫାପା ଭିତରେ ରଖିବା ପାଇଁ ସେହିବର୍ଷ ଅଗଷ୍ଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଏବେ କିନ୍ତୁ ତାଙ୍କ ବିରୋଧରେ ଡୋପ୍‌ ଅଭିଯୋଗ ନେଇ ନିର୍ଦିଷ୍ଟ ପ୍ରମାଣ ଅଭାବରୁ ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ (ଆଇଡବ୍ଲୁଏଫ୍‌) ଚାନୁଙ୍କୁ ଦୋଷମୁକ୍ତ କରିଦେଇଛି। ଏନେଇ ସଂଘର ମହାସଚିବ ସ୍ପଷ୍ଟ କରିବା ସାଙ୍ଗକୁ ଚାନୁ ତାଙ୍କ ୨୦୧୮ ଅର୍ଜୁନ ପୁରସ୍କାର ଫେରିପାଇବେ ବୋଲି କହିଛନ୍ତି। ହେଲେ ଚାନୁ ଆଇଡବ୍ଲୁଏଫ୍‌ଠାରୁ କ୍ଷତିପୂରଣ ଦାବି କରିବାର ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର