ସିଙ୍ଗାପୁର : ତାରକା ଭାରତୀୟ ଭାରୋତ୍ତୋଳିକା ମୀରାବାଇ ଚାନୁ (୫୫ କେଜି) ସିଙ୍ଗାପୁର ଭାରୋତ୍ତୋଳନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସ୍ବର୍ଣ୍ଣ ସହ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିକେଟ୍ ପକଟେସ୍ଥ କରିଛନ୍ତି। ପ୍ରଥମ ଥର ଲାଗି ୫୫ କେଜି ବର୍ଗରେ ଅଂଶଗ୍ରହଣ କରିଥିବା ଚାନୁ ମୋଟ ୧୯୧ (୮୬+୧୦୫) କେଜି ଭାର ଉଠାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଐତିହାସିକ ଟୋକିଓ ଅଲିମ୍ପିକ୍ ରୌପ୍ୟ ପରେ ଚାନୁଙ୍କ ଏହା ପ୍ରଥମ ପ୍ରତିଯୋଗିତା।
ପୂର୍ବରୁ ମାନ୍ୟତା ଆଧାରରେ ଚାନୁ ୪୯ କେଜି ବର୍ଗରେ ମଧ୍ୟ ରାଜ୍ୟଗୋଷ୍ଠୀ ଟିକେଟ୍ କରାୟତ୍ତ କରିଥିଲେ। ଚାନୁଙ୍କ ବାଦ୍ ଅନ୍ୟ ୩ ଭାରତୀୟ ସଙ୍କେତ ସାଗର (୫୫ କେଜି), ଋଷିକାନ୍ତ ସିଂହ (୫୫ କେଜି) ଓ ବିନ୍ଦ୍ୟାରାଣୀ ଦେବୀ (୫୯ କେଜି) ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ପୁରୁଷ ୫୫ କେଜି ବର୍ଗରେ ସାଗର ୨୫୬ (୧୧୩+୧୪୩) କେଜି ଉଠାଇ ସ୍ବର୍ଣ୍ଣ ଏବଂ ତାଙ୍କ ସାଥୀ ଋଷିକାନ୍ତ ୨୪୬ (୧୧୩+୧୪୩) କେଜି ରୌପ୍ୟ ପଦକ ଜିତିଥିଲେ। ମହିଳା ୫୯ କେଜିରେ ବିନ୍ଦ୍ୟାରାଣୀ ୧୯୬ (୮୭+୧୧୧) ଉଠାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।