ଚାନୁଙ୍କ ବିଶ୍ୱ କୀର୍ତିମାନ

ବିଶ୍ୱ ପ୍ରତିଯୋଗିତାରେ ୧୯୪ କେଜି ଭାରୋତ୍ତୋଳନ କରି ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳିକା ସାଇକୋମ୍‌ ମୀରାବାଇ ଚାନୁ ବିଶ୍ୱ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସାଙ୍ଗକୁ ନୂଆ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଆମେରିକାର ଆନାହିମ୍‌ଠାରେ ଆୟୋଜିତ ଏହି ବିଶ୍ୱ ପ୍ରତିଯୋଗିତାର ମହିଳା ୪୮ କେଜି ବର୍ଗରେ ଚାନୁ ମୋଟ ୧୯୪ (ସ୍ନାଚ୍‌ରେ ୮୫, କ୍ଲିନ୍‌ ଓ ଜର୍କରେ ୧୦୯) କେଜି ଭାର ଉଠାଇ ବିଶ୍ୱ କୀର୍ତିମାନର ଅଧିକାରୀ ହୋଇଛନ୍ତି। ପୁଣି ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ କର୍ନମ ମାଲେଶ୍ୱରୀଙ୍କ ପରେ ଚାନୁ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ବହନ କରିଛନ୍ତି। ପାୟ ଦୁଇ ଦଶନ୍ଧୀ ପୂର୍ବରୁ ମାଲେଶ୍ୱରୀ ୧୯୯୪ ଓ ୧୯୯୫ ବିଶ୍ୱ ପ୍ରତିଯୋଗିତାରେ ଲାଗ ଲାଗ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ। ଚାନୁ ମଧ୍ୟ ଗତ ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ରାଜ୍ୟଗୋଷ୍ଠୀ ବରିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଆସନ୍ତାବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଦୁଇଟି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଚାନୁ ରିଓ ଅଲିମ୍ପିକ୍ସରେ ବିଫଳତାକୁ ଭୁଲିଛନ୍ତି। ଚଳିତ ବିଶ୍ୱ ପ୍ରତିଯୋଗିତାରେ ଚାନୁ ସ୍ୱର୍ଣ୍ଣ ଜିତିଥିଲା ବେଳେ ଥାଇଲାଣ୍ଡ୍‌ର ସୁକ୍‌ଚାରୋନ୍‌ ଥୁନ୍ୟା (୧୯୩ କେଜି) ରୌପ୍ୟ ଏବଂ କଲମ୍ବିଆର ସିଗୁରା ଆନା (୧୮୨ କେଜି) କାଂସ୍ୟ ପଦକ ଜିତିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ୫୫ କେଜି ବର୍ଗରେ ଭିଏତ୍‌ନାମ ପ୍ରଥମ-ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲା ବେଳେ ୨୦୦୩ ପରେ ପ୍ରଥମ ଅଣଏସୀୟ ରାଷ୍ଟ୍ର ଭାବେ କଲମ୍ବିଆ ୬୨ କେଜି ବର୍ଗରେ ସ୍ୱର୍ଣ୍ଣ ବିଜେତା ହୋଇଛି।

ସମ୍ବନ୍ଧିତ ଖବର