ଜେରେମିଙ୍କ ସ୍ବର୍ଣ୍ଣ ପଛରେ ଚାନୁଙ୍କ ପ୍ରେରଣା

ବର୍ମିଂହାମ: ଆଇଜଲ୍‌ର ୧୯ ବର୍ଷୀୟ ଜେରେମି ଲାଲନିରୁଙ୍ଗାଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣିମ ସଫଳତା ଏବେ ତାଙ୍କ ଚର୍ଚ୍ଚାରେ ରଖିଛି। ୨୦୧୮ ଯୁବ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ୨୦୨୧ରେ ଏହାକୁ ଦୋହରାଇଥିଲେ। ଏହି ମିଜୋରାମ ଯୁବକ ସେହିବର୍ଷ ମଧ୍ୟ ତାସକେଣ୍ଟ୍‌ରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ପ୍ୟାରିସ୍‌ ଅଲିମ୍ପିକ୍ସ ଉପରେ ନଜର ପକାଇଛନ୍ତି ଜେରେମି। ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକକୁ ଏବେ ଜେରେମି ନିଜ ମୋବାଇଲ୍‌ର ୱାଲପେପର୍‌ ରଖିଛନ୍ତି। କହୁଣୀରେ ଭୀଷଣ ଯନ୍ତ୍ରଣା ସ‌ତ୍ତ୍ବେ ସ୍ବର୍ଣ୍ଣ ପଦକ ଜିତିବା ସୁଯୋଗ ଛାଡ଼ିନଥିବା ଜେରେମି କହିଛନ୍ତି ‘ଅବ୍ ବାସ୍‌ ପ୍ୟାରିସ୍ ଅଲିମ୍ପିକ୍ସ ଟାର୍ଗେଟ୍‌ ହେ’। ମୁଁ ଆତ୍ମବିଶ୍ବାସରେ ଅଛି, ବରିଷ୍ଠ ବର୍ଗର ଅଲିମ୍ପିକ୍ସରେ ପଦକ ଜିତିବାକୁ ଆଶା କରୁଛି। ଏହିଠାରୁ ପ୍ୟାରିସ୍‌ ଅଲିମ୍ପିକ୍ସ ଯାତ୍ରା ଆରମ୍ଭ ହେଲା ବୋଲି ସେ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରବିବାରର ଭାରୋତ୍ତୋଳନ ସମୟରେ ଏତେ ଯନ୍ତ୍ରଣା ହେଉଥିଲା ଯେ ମୁଁ କାନ୍ଦୁଥିଲି ଏବଂ ଅନ୍ୟମାନଙ୍କ ଲିଫ୍ଟକୁ ବି ଦେଖିପାରୁନଥିଲି।

ସ୍ବର୍ଣ୍ଣ ପଦକ ଜିତିଲି କି ବୋଲି ପ୍ରଶିକ୍ଷକ ବିଜୟ ସାର୍‌ଙ୍କୁ ପଚାରି ବୁଝିଥିଲି। ୨୦୧୮ ଯୁବ ଅଲିମ୍ପିକ୍ସରୁ ଅନେକ କିଛି ଶିଖିଥିଲି। ଚାପରେ କିଭଳି ଖେଳିବାକୁ ହେବ ଜାଣିଥିଲି। ମୋ ପିତା ଜଣେ ରାଜ୍ୟସ୍ତରୀୟ ମୁଷ୍ଟିଯୋଦ୍ଧା ଥିଲେ। ମୁଷ୍ଟିଯୋଦ୍ଧାମାନେ ସାଧାରଣତଃ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଉଥିଲେ ମଧ୍ୟ ପ୍ରତିଟି ପରିସ୍ଥିତିରେ ମୋତେ ଶାନ୍ତ ରହିବାକୁ ପିତା ପରାମର୍ଶ ଦେଇଥିଲେ। ଏହାର ସୁଫଳ ମିଳିଲା। ମୀରା ଦିଦି (ମୀରାବାଇ ଚାନୁ)ଙ୍କ ସମର୍ଥନ ଓ ଦିଗଦର୍ଶନ ମୋ‌ତେ ଏ ସଫଳତା ମିଳିନଥାନ୍ତା ବୋଲି ଜେରେମି ପ୍ରକାଶ କରିଥିଲେ। ମୀରା ଦିଦି ସବୁବେଳେ କହୁଥିଲେ ‘ଜେରେମି ସ୍ବର୍ଣ୍ଣ ପଦକ ଜିତିବାର ଅଛି’। ମୁଁ ଖୁସି ଯେ ଏହା କରି ଦେଖାଇଲି। ପଦକ ଉତ୍ସବ ପରେ ସେ ମଧ୍ୟ କୁଣ୍ଢାଇ ପକାଇଥିଲେ। ତାଙ୍କଠାରୁ ଶିଖିବା ଜାରି ରଖିବି। ଦେଶବାସୀଙ୍କ ଆଶୀର୍ବାଦ ବିନା ମଧ୍ୟ ମୁଁ କାନ୍ଧରେ ତିନି ଶହ କିଲୋ ଓଜନ ଉଠାଇପାରିନଥାନ୍ତି ବୋଲି ଭାବବିହ୍ବଳ ଜେରେମି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର