ଟୋକିଓ: ଭାରତୀୟ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ସ୍ବର୍ଣ୍ଣରେ ପରିବର୍ତନ ହେବାର ସମ୍ଭାବନା ଦେଖାଦେଲାଣି। ୪୯ କିଲୋଗ୍ରାମ ବର୍ଗରେ ଚାନୁ ୨୦୨ କିଲୋଗ୍ରାମ ଉତ୍ତୋଳନ କରି ରୌପ୍ୟ ପଦକ ଜିତିଥିବା ବେଳେ ଚୀନର ଝିଝି ହାଉ ୨୧୦ କିଲୋଗ୍ରାମ ଉତ୍ତୋଳନ କରି କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଝିଝିଙ୍କୁ ଏବେ ଡୋପ୍‌ ଟେଷ୍ଟ୍‌ ପାଇଁ ଆଣ୍ଟି ଡୋପିଂ ଏଜେନ୍ସି ଆମନ୍ତ୍ରଣ କରିଥିବାରୁ ଚାନୁଙ୍କ ପାଇଁ ସୁଯୋଗ ରହିଛି। ତେଣୁ ତାଙ୍କୁ ଏବେ ଟୋକିଓରେ ଅଟକିଯିବାକୁ କୁହାଯାଇଛି। ଡୋପ୍‌ ଟେଷ୍ଟ୍‌ରେ ଝିଝି ବିଫଳ ହେ‌ଲେ ଚାନୁଙ୍କୁ ସ୍ବର୍ଣ୍ଣ ପଦକ ମିଳିବ। ଝିଝିଙ୍କ ନିଶ୍ଚିତ ‌ଡୋପ୍ ଟେଷ୍ଟ୍ ହେଉଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଅଲିମ୍ପିକ୍ସ ନିୟମ ଅନୁସାରେ ସ୍ବର୍ଣ୍ଣ ପଦକ ବିଜୟୀ ଡୋପ୍ ଟେଷ୍ଟରେ ବିଫଳ ହେଲେ ରୌପ୍ୟ ପଦକ ବିଜେତାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ। ଚାନୁ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପ୍ରଥମ ଦିନ ଭାରତକୁ ରୌପ୍ୟ ପଦକ ପ୍ରଦାନ କରିଥିଲେ। ୪୯ କିଲୋଗ୍ରାମ ମହିଳା ବର୍ଗରେ ସେ ସ୍ନାଚରେ ୮୭ କିଲୋଗ୍ରାମ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୫ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ବରୀଙ୍କୁ ରୌପ୍ୟ ପଦକ ମିଳିବାର ୨୧ ବର୍ଷ ପରେ ଚାନୁ ଦ୍ବିତୀୟ ଭାରତୀୟ ଭାବେ ଭାରୋତ୍ତୋଳନରୁ ପଦକ ଜିତିଥିଲେ।

Advertisment

ଭାରତରେ ପହଞ୍ଚିଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ସୋମବାର ଭାରତକୁ ଫେରିଛନ୍ତି। ଇନ୍ଧିରାଗାନ୍ଧୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବାକୁ ପହଞ୍ଚିଥିବା ବେଳେ ପ୍ରଶ˚ସକମାନେ ‘ଭାରତ ମାତା କି ଜୟ’ ଧ୍ବନିରେ ତାଙ୍କୁ ସ୍ବାଗତ କରିଥିଲେ। ଭାରତକୁ ଫେରିବା ପରେ ତାଙ୍କୁ ଯେଉଁ ଭଲପାଇବା ମିଳିଥିଲା ସେଥିପାଇଁ ଚାନୁ ଟ୍ବିଟରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚାନୁ ଅଲିମ୍ପିକ୍ସର ୪୯ କିଲୋଗ୍ରାମ ବର୍ଗରେ ମୋଟ ୨୦୨ କିଲୋଗ୍ରାମ ଭାର ଉତ୍ତୋଳନ କରି ରୌପ୍ୟ ପଦକ ଜିତିଥିଲେ। ତାଙ୍କ ପୂର୍ବରୁ ଭାରୋତ୍ତୋଳନରେ ୨୦୦୦ ମସିହା ସିଡ୍‌ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ବରୀ କା˚ସ୍ୟ ପଦକ ଜିତିଥିଲେ। ତେବେ ଚାନୁୁ ଏହି କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଚାନୁ ଆମେରିକାରେ ପ୍ରଶିକ୍ଷଣ ନେଉଥିଲେ।

ଡିଏସ୍‌ପି ହେବେ

ଇମ୍ଫାଲ: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ଭାରୋତ୍ତୋଳକ ସାଇଖୋମ ମୀରାବାଇ ଚାନୁ ହେବେ ଡିଏସ୍‌ପି। ଚଳିତ ଅଲିମ୍ପିକ୍ସର ଭାରତର ଏହି ପ୍ରଥମ ପଦକ ବିଜେତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି କରିବାକୁ ମଣିପୁର ମୁଖ୍ୟମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି। ଏଥିସହ ରାଜ୍ୟ ସରକାର ମଧ୍ୟ ଚାନୁଙ୍କୁ ‌‌୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଜୁଡୋକୋ ସୁଶୀଳା ଦେବୀଙ୍କୁ କନେଷ୍ଟବଳରୁ ସବ୍‌ଇନ୍ସପେକ୍ଟରକୁ ପଦୋନ୍ନତି କରାଯିବ ଏବଂ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ଚାନୁ, ସୁଶୀଳା ଏବଂ ଏମ୍‌ସି ମେରିକମ୍‌ଙ୍କ ସହ ୫ ଜଣ ମଣିପୁର କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ବ କରିଛନ୍ତି।