ଚର୍ଚ୍ଚାରେ ଚାପେଲଙ୍କ ବାହାସ୍ଫୋଟ

ଧୋନିଙ୍କ ଫିନିସିଂ ଶୈଳୀକୁ ମୁଁ ଶାଣିତ କରିଥିଲି, ଚାପେଲଙ୍କ କାର୍ଯ୍ୟକା‌ଳ ଭାରତୀୟ କ୍ରିକେଟ୍‌ର କଳାଦିନ: ଭଜି

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ବର ଶ୍ରେଷ୍ଠ ଫିନିସର୍‌ ଭାବେ ପରିଚିତ। ତାଙ୍କୁ ଏଭଳି କୌଶଳ ପୂର୍ବତନ ଭାରତୀୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆ କିଂବଦନ୍ତି ଗ୍ରେଗ୍‌ ଚାପେଲ ଶିଖାଇଥିଲେ ବୋଲି ଦାବି କରିଛନ୍ତି। ଚାପେଲ୍‌ଙ୍କ ପରାମର୍ଶରେ ସର୍ବଦା ୬ ନମ୍ବର ସ୍ଥାନରେ ବ୍ୟାଟିଂକୁ ଆସୁଥିବା ଧୋନି ଏହି କୌଶଳକୁ ଆପଣେଇଥିଲେ। ପ୍ଲେୱାଇଟ୍ ଫାଉଣ୍ଡେସନ୍ ଫେସବୁକ୍ ପୃଷ୍ଠାରେ କଥାବାର୍ତ୍ତା ବେଳେ ଅଷ୍ଟ୍ରେଲିଆର ଏହି ବିବାଦୀୟ ପୂର୍ବତନ କ୍ରିକେଟର କହିଛନ୍ତି ଯେ ମୋର ମନେ ଅଛି ପ୍ରଥମ ଥର ଧୋନିଙ୍କ ବ୍ୟାଟିଂ ଦେଖି ମୁଁ ଚକିତ ହୋଇ ଯାଇଥିଲି। ସେହି ସମୟରେ ସେ ଭାରତର ସବୁଠାରୁ ରୋମାଞ୍ଚକର କ୍ରିକେଟର୍‌ ଥିଲେ। ଜଣେ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍‌ ଭାବେ ଅତି ଅସାଧାରଣ ଭାବରେ ବଲ୍‌କୁ ମାରୁଥିଲେ। ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ୧୮୩ ରନ୍‌ ମୋର ଏବିବି ମନେ ଅଛି। ସେହି ମ୍ୟାଚ୍‌ରେ ଧୋନି ଅତି ଚମତ୍କାର ଖେଳିଥିଲେ। ପରବର୍ତ୍ତୀ ମ୍ୟାଚ୍ ପୁଣେରେ ହୋଇଥିଲା। ମୁଁ ତାଙ୍କୁ ପଚାରିଲି, ତୁମେ ପ୍ରତ୍ୟେକ ବଲ୍‌କୁ ସୀମା ବାହାରକୁ ମାରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଗ୍ରାଉଣ୍ଡ୍‌ରେ କାହିଁକି ଖେଳୁନ? ସେତେବେଳେ ଅନୁଭବ କଲି, ଯଦି ତାଙ୍କ ଖେଳରେ ଥିବା ଛୋଟ ମୋଟ ତ୍ରୁଟିକୁ ଦୂର କରିପାରନ୍ତି, ତା’ହେଲେ ଧୋନି ବହୁତ ଭଲ ଫିନିସର୍ ହୋଇପାରନ୍ତେ। ପରବର୍ତ୍ତୀ ମ୍ୟାଚ୍‌ରେ ଆମ ସମ୍ମୁଖରେ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ଆମେ ଭଲ ସ୍ଥିତିରେ ଥିଲା ବେଳେ ସେ ବ୍ୟାଟିଂକୁ ଯାଇଥିଲେ। ମୁଁ ସେତେବେଳେ ତାଙ୍କୁ କହିଥିଲି ଯେ ବିଜୟର ନିକଟତର ନ ହେଲା ପର୍ଯ୍ୟନ୍ତ ଉପରକୁ ମାରିବନି। କିନ୍ତୁ ମ୍ୟାଚ୍‌ ଜିତିବା ଜରୁରୀ ବୋଲି ବି ସୂଚେଇ ଦେଇଥିଲି। ବିଜୟର ନିକଟତର ସମୟରେ ଦ୍ବାଦଶ ଖେଳାଳି ଆର୍‌ପି ସିଂହ ଗ୍ଲୋବ୍ସ ନେଇ ଭିତରକୁ ଯାଇଥିଲେ। ସେଠାରୁ ଫେରି ଆର୍‌ପି ମୋତେ କହିଲେ ଧୋନି କହୁଛନ୍ତି ଏବେ ଉପରକୁ ମାରିପାରିବେ କି? ସେତେବେଳେ ଆମକୁ ଜିତିବାକୁ ୪ ରନ୍‌ ଦରକାର ଥିଲା ବେଳେ ଧୋନି ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଏହିଠାରୁ ହିଁ ସେ ଶ୍ରେଷ୍ଠ ଫିନିସର୍‌ ଭାବେ ଅଗକୁ ବଢ଼ିଥିଲେ।

ସେପଟେ ଭରତୀୟ ଅଫ୍‌ ସ୍ପିନର୍‌ ହରଭଜନ ସିଂହ ଏଭଳି ମନ୍ତବ୍ୟ ଲାଗି ଚାପେଲ୍‌ଙ୍କୁ କଠୋର ସମାଲୋଚନା କରିଛନ୍ତି। ଧୋନିଙ୍କୁ ଫିନିସର କୌଶଳ ଶିଖାଇଥିବା ନେଇ ଚାପେଲ୍‌ କରିଥିବା ଦାବି ଉପରେ ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି ଭଜି। ଚାପେଲ୍‌ଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଧୋନିଙ୍କୁ ଗ୍ରାଉଣ୍ଡରେ ଖେଳିବାକୁ ଚାପେଲ କହିଥିଲେ। କାରଣ ସେ ଆମ ସମସ୍ତଙ୍କୁ ପାର୍କ ବାହାରକୁ ବାହାର କରିଦେଇଥିଲେ। ଚାପେଲ ଆମ ସହ ଭିନ୍ନ ଭିନ୍ନ ଖେଳ ଖେଳୁଥିଲେ। ତାଙ୍କ କାର୍ଯ୍ୟକାଳ ଭାରତୀୟ କ୍ରିକେଟ୍‌ର ସବୁଠାରୁ ଖରାପ ଓ କଳା ଦିନ। ଚା‌େପଲ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ପ୍ରଶିକ୍ଷକ ଥିଲା ବେଳେ ଦଳର ଦୁଇ ବରିଷ୍ଠ ସଦସ୍ୟ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ସହ ବି ତାଙ୍କର ଭଲ ସମ୍ପର୍କ ନଥିଲା।

ସମ୍ବନ୍ଧିତ ଖବର