ନୂଆଦିଲ୍ଲୀ: ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଦିଲ୍ଲୀ ଲଗାତାର ଚତୁର୍ଥ ମ୍ୟାଚ୍ରେ ପରାଜିତ ହୋଇଥିଲା। ପଏଣ୍ଟ ଟେବୁଲ୍ର ତଳକୁ ଚାଲିଯାଇଥିଲେ ବି ଦିଲ୍ଲୀ ପାଇଁ ଅନେକ ସକାରାତ୍ମକ ଶିକ୍ଷା ଏହି ମ୍ୟାଚ୍ରୁ ମିଳିଛି। ଅକ୍ଷର ପଟେଲ୍ ଲଗାତାର ଭାବେ ତାଙ୍କ ପ୍ରଦର୍ଶନରେ ଯେପରି ସ୍ଥିରତା ଆଣୁଛନ୍ତି, ତାଙ୍କୁ ଶୀର୍ଷ ୪ ମଧ୍ୟରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ଉଚିତ୍ ବୋଲି ଅଧିନାୟକ ଡେଭିଡ୍ ୱାର୍ଣ୍ଣର ମ୍ୟାଚ୍ ପରବର୍ତୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ଜାସନ୍ ବେହରନ୍ଡର୍ଫ ଓ ପୀୟୂଷ ଚାୱଲାଙ୍କ ୩ ୱିକେଟ୍ ସଫଳତା ପରେ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ତିଳକ ବର୍ମାଙ୍କ ୪୧ ରନ୍ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଉକ୍ତ ମ୍ୟାଚ୍କୁ ଶେଷ ବଲ୍ରେ ଜିତିଥିଲା। ଏହାଫଳରେ ଲଗାତାର ତିନିଦିନ ଧରି ଆଇପିଏଲ୍ ମ୍ୟାଚ୍ଗୁଡ଼ିକ ଶେଷ ଓଭରରେ ସମାପ୍ତ ହେଉଛି। ତେଣୁ ମୁମ୍ବାଇର ଖେଳାଳିମାନଙ୍କ ପ୍ରଦର୍ଶନକୁ ୱାର୍ଣ୍ଣର ପ୍ରଶଂସା କରିଥିଲେ। ହେଲେ ଅକ୍ଷର ଯଦି ୨୫ ବଲ୍ରୁ ୫୪ ରନ୍ର ବିସ୍ଫୋରକ ପାଳି ଖେଳିନଥା’ନ୍ତେ ତାହେଲେ ମୁମ୍ବାଇ ଆଗରେ ୧୭୩ ରନ୍ର ଲକ୍ଷ୍ୟ ରଖାଯାଇ ପାରିନଥା’ନ୍ତା। ଅକ୍ଷରଙ୍କ ବ୍ୟାଟିଂ କେବଳ ଭାରତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଅସ୍ତ୍ର ପାଲଟିଯାଇଛି। ଚଳିତ ବର୍ଷ ୧୨ ଆନ୍ତର୍ଜାତିକ ମ୍ୟାଚ୍ରୁ ୪ ଅର୍ଦ୍ଧଶତକ ସହ ୬୩.୮୨ ହାରରେ ଅକ୍ଷର ୪୪୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୮୪ ଥିଲା ବେଳେ ଷ୍ଟ୍ରାଇକ୍ ରେଟ୍ ୭୪.୧୨ ରହିଛି। ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅକ୍ଷର ୪ ମ୍ୟାଚ୍ରୁ ଗୋଟିଏ ଅର୍ଦ୍ଧଶତକ ସହ ୨୭.୦୦ ହାରରେ ୧୦୮ ରନ୍ (୧୬୮.୭୫ ଷ୍ଟ୍ରାଇକ୍ ରେଟ୍) ସଂଗ୍ରହ କରିଛନ୍ତି।