କଳିଙ୍ଗରେ ଚର୍ଚିଲ୍‌ ଚମକ: ଇଣ୍ଡିଆନ୍‌ ଆରୋଜ୍‌କୁ ୧-୦ରେ ହରାଇଲା

ଭୁବନେଶ୍ବର: ଦୁଇ ପରାଜୟ ପରେ ଗୋଆର ଚର୍ଚିଲ ବ୍ରଦର୍ସ କଳିଙ୍ଗ ଷ୍ଟାଡିୟମରେ ଚମକ ଦେଖାଇଛି। ରବିବାର ଏଠାରେ ଖେଳାଯାଇଥିବା ଆଇ-ଲିଗ୍‌ ଦ୍ବାଦଶ ସଂସ୍କରଣର ଏକ ମ୍ୟାଚ୍‌ରେ ଏହି ଗୋଆ ଦଳ ୧-୦ ଗୋଲ୍‌ରେ ଘରୋଇ ଇଣ୍ଡିଆନ୍‌ ଆରୋଜ୍‌କୁ ମାତ୍‌ ଦେଇଛି। ଫଳରେ ଚର୍ଚିଲ ବ୍ରଦର୍ସ ପୁରା ୩ ପଏଣ୍ଟ୍‌ ପାଇ ତାଲିକାର ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛି। ଗତ ୨୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ଏହି ଲିଗ୍‌ରେ ଦ୍ବିତୀୟ ବିଜୟ ପାଇଥିବା ଆରୋଜ ୯ ମ୍ୟାଚ୍‌ରୁ ୬ ପରାଜୟ ଏବଂ ଗୋଟିଏ ଅମୀମାଂସିତ ସହ ପଏଣ୍ଟ୍‌ ତାଲିକାର ନିମ୍ନରୁ ଦ୍ବିତୀୟ ସ୍ଥାନରେ ରହିଛି।

ରବିବାର କଳିଙ୍ଗ ଷ୍ଟାଡିୟମର ଅଭ୍ୟାସ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରମଣତ୍ମକ ପନ୍ଥା ଅବଲମ୍ବନ କରିଥିଲା ଚର୍ଚିଲ ବ୍ରଦର୍ସ। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଲିଗ୍‌ରେ ସର୍ବାଧିକ ଗୋଲ୍‌ ଦେଇଥିବା ଗୋଆର ତ୍ରିନିଦାଦ୍‌ ଓ ଟୋବାଗୋ ଖେଳାଳି ୱିଲିସ ଡିଅନ୍‌ ପ୍ଲାଜା ଏକ ସୁନ୍ଦର ସଟ୍‌ ଗୋଲ୍‌ ପୋଷ୍ଟ୍‌କୁ ମାରିଥିଲେ। ହେଲେ ଆରୋଜ୍‌ର ଗୋଲ୍‌ରକ୍ଷକ ପ୍ରଭସୁକାନ ସିଂହ ‌ଗିଲ୍‌ ଡାଇଭ୍‌ ମାରି ଅଟକାଇ ଥିଲେ। ଫଳରେ ଆରୋଜ ଏକ ନିଶ୍ଚିତ ଗୋଲ୍‌ ବରଣରୁ ବର୍ତି ଯାଇଥିଲା। କିନ୍ତୁ ୪୦ତମ ମିନିଟ୍‌ରେ ଏକ ଲଙ୍ଗ୍‌ ପାସ୍‌କୁ ଆରୋଜର ସେଣ୍ଟର ବ୍ୟାକ୍‌ ଜିତେନ୍ଦ୍ର ସିଂହ ଅଟକାଇବାରେ ବିଫଳ ହେବାରୁ ଏହା ସିଧା ପ୍ଲାଜାଙ୍କ ନିକଟକୁ ଯାଇଥିଲା। ଏଥିରେ କୌଣସି ଭୁଲ ନ କରି ବାମ ଗୋଡ଼ରେ ପ୍ଲାଜା ସିଧା ଗୋଲ୍‌ ପୋଷ୍ଟ୍‌ ମଧ୍ୟକୁ ବଲ୍‌ ପଠାଇ ଚର୍ଚିଲ୍‌କୁ ପ୍ରଥମାର୍ଧରେ ଆଗୁଆ କରିଦେଇଥିଲେ। ଆହତ ଯୋଗୁଁ ପ୍ଲାଜା ଦ୍ବିତୀୟାର୍ଧରେ ପଡ଼ିଆକୁ ଓହ୍ଲାଇନଥିଲେ। ଫଳରେ ତାଙ୍କ ଦଳ ଦ୍ବିତୀୟାର୍ଧରେ ପୁରା ରକ୍ଷଣାତ୍ମକ ଖେଳ ଖେଳିଥିଲା। ଅନ୍ୟପକ୍ଷରେ ଆରୋଜ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ଚର୍ଚିଲର ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ଦ୍ବିତୀୟାର୍ଧରେ ଆରୋଜ ବହୁ ସୁଯୋଗ ପାଇଥିଲେ ମଧ୍ୟ ଏହାର ଅଗ୍ରଭାଗ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ଚର୍ଚିଲର ନିକସନ୍‌ କସ୍ତାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅତିଥି ଭାବେ ‌କ୍ରୀଡ଼ା ସଚିବ ବିଶାଲ ଦେବ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର