କୁଚ୍‌ ବେହାର ଟ୍ରଫି : ଛତିଶଗଡ଼ଠୁ ୧୦ ଓ୍ଵିକେଟ୍‌ରେ ହାରିଲା ଓଡ଼ିଶା

ଭୁବନେଶ୍ୱର: ରାୟପୁରରେ ଚାଲିଥିବା ୧୯ ବର୍ଷରୁ କମ୍‌ ୪ ଦିନିଆ କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ୧୦ ଓ୍ଵିକେଟ୍‌ରେ ଛତିଶଗଡ଼ଠୁ ହାରିଯାଇଛି। ପ୍ରଥମ ପାଳିରେ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୬୫ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିବା ଓଡ଼ିଶା ଦ୍ୱିତୀୟ ପାଳିରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରି ୨୨୧ ରନ୍‌ରେ ସୀମିତ ରହିଯାଇଥିଲା। ଓଡ଼ିଶା ପକ୍ଷରୁ ଆକାଶ ନାୟକ (୮୮), ରଘୁନାଥ ମଲ୍ଲ (୪୬), ସ୍ୱସ୍ତିକ ସାମଲ (୩୪), କୁନାଲ ମଲ୍ଲିକ (୧୫) କେବଳ ଦୁଇ ଅଙ୍କ ଅତିକ୍ରମ କରିଥିଲା ବେଳେ ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ଫଳରେ ଓଡ଼ିଶା ୧୦୭.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଛତିଶଗଡ଼ ପକ୍ଷରୁ ସଫଳ ବୋଲର ଭାବେ ପରିବେଶ ଧର ୩, ଏଜି ରାଓ ଓ ଆର୍‌ଟି ଟାଙ୍କ୍‌ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପ୍ରଥମ ପାଳିରେ ୨୩୯ ରନ୍‌ କରି ୧୭୪ ରନ୍‌ର ଅଗ୍ରଣୀ ପାଇଥିବା ଛତିଶଗଡ଼ ମାତ୍ର ୭.୪ ଓଭରରେ କୌଣସି ଦ୍ୱିତୀୟ ପାଳି ଓ୍ଵିକେଟ୍‌ ନହରାଇ ବିଜୟ ଲକ୍ଷ୍ୟ ୪୮ ରନ୍‌ରେ ପହଞ୍ଚି ଯାଇଥିଲା। ପିଏମ୍‌ ଯାଦବ (୪୧ ରନ୍‌, ୨୩ ବଲ୍‌, ୭ ଚୌକା ଓ ୧ ଛକା) ବିସ୍ଫୋରକ ବ୍ୟାଟିଂ କରି ଛତିଶଗଡ଼କୁ ୧୦ ଓ୍ଵିକେଟ୍‌ର ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଛତିଶଗଡ଼ ୭ ପଏଣ୍ଟ୍‌ ଅକ୍ତିଆର କରିନେଇଥିଲା ବେଳେ ଓଡ଼ିଶା ପଏଣ୍ଟ୍‌ ଶୂନ୍ୟ ରହିଥିଲା।

ସମ୍ବନ୍ଧିତ ଖବର