ଚଟ୍ଟୋଗ୍ରାମ ଟେଷ୍ଟ୍‌ : ବିଜୟ ଦ୍ବାରରେ ଆଫ୍‌ଗାନିସ୍ତାନ

ଚଟ୍ଟୋଗ୍ରାମ (ବାଂଲାଦେଶ) : ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ଏଠାରେ ଚାଲିଥିବା ଏକମାତ୍ର ଟେ‌ଷ୍ଟ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ଘରୋଇ ଦଳକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୩୯୮ ରନ୍‌ର ଆହ୍ବାନ ଦିଆଯାଇଥିଲା ବେଳେ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୧୩୬ ରନ୍‌ରେ ୪ ୱିକେଟ୍‌ ହରାଇ ଦେଇଛି। ଫଳରେ ସୋମବାର ପଞ୍ଚମ ତଥା ଶେଷ ଦିନ ମ୍ୟାଚ୍‌ ଜିତିବା ପାଇଁ ବାଂଲାଦେଶକୁ ଆହୁରି ୨୬୨ ରନ୍‌ ଆବଶ୍ୟକ ରହିଥିଲା ‌ବେଳେ ଆଫ୍‌ଗାନିସ୍ତାନକୁ ୪ ୱିକେଟ୍‌ ଦରକାର ପଡ଼ିଛି। ଏପରିସ୍ଥଳେ ଭ୍ରମଣକାରୀ ଆଫ୍‌ଗାନିସ୍ତାନର ବିଜୟ ସମ୍ଭାବନା ଅଧିକ ରହିଛି। ଦ୍ବିତୀୟ ପାଳିରେ ପତନ ଘଟିଥିବା ବାଂଲାଦେଶର ୬ ୱିକେଟ୍‌ ମଧ୍ୟରୁ ପ୍ରତିପକ୍ଷ ଅଧିନାୟକ ରସିଦ୍‌ ଖାନ୍‌ ୩, ଜାହିର ଖାନ୍‌ ୨ ଓ ମହମ୍ମଦ ନବି ଗୋଟିଏ ୱିକେଟ୍‌ ବାଣ୍ଟି ନେଇଛନ୍ତି। ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହେବାରୁ ଆଗୁଆ ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା। ଚା’ପାନ ବିରତି ପରେ ମାତ୍ର ୧୦ ଓଭର ଖେଳ ସମ୍ଭବ ହୋଇଥିଲା। ତେବେ ଏହି ପାଳିରେ ସାଦ୍‌ମନ ଇସ୍‌ଲାମ ୪୧, ‌ୱିକେଟ୍‌ ରକ୍ଷକ ମୁସ୍‌ଫିକର ରହିମ୍‌ ୨୩, ମୋସାଦେକ୍‌ ହୋସେନ୍‌ ୧୨, ଲିଟନ୍‌ ଦାସ ୯, ମହମୁଦୁଲ୍ଲା ୭ ଏବଂ ମୋମିନୁଲ୍‌ ହକ୍ ୩ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ୩୯ ରନ୍‌ରେ ଅପରାଜିତ ରହି ଲ‌ଢ଼େଇ ଜାରି ରଖିଛନ୍ତି। ତାଙ୍କ ସହିତ ସୌମ୍ୟ ସର୍‌କାର କୌଣସି ରନ୍‌ ନକରି କ୍ରିଜ୍‌ରେ ଅଛନ୍ତି। ବାଂଲାଦେଶ ୪୪.୨ ଓଭରରେ ୧୩୬/୬ କରି ସଂକଟରେ ପଡ଼ିଯାଇଛି।

ଏହା ପୂର୍ବରୁ ତୃତୀୟ ଦିବସ ସ୍କୋର୍‌ ୨୩୭/୮ରୁ ରବିବାର ଖେଳି ଆଫ୍‌ଗାନିସ୍ତାନ ତା’ର ଅବଶିଷ୍ଟ ୨ ୱିକେଟ୍‌ ହରାଇବା ପୂର୍ବରୁ ଆଉ ୨୩ ରନ୍ ଯୋଡ଼ି ଥିଲା। ବାରମ୍ବାର ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ତେବେ ୟାମିନ୍‌ ଅହମ୍ମଦଜାଇ ୯ ରନ୍‌ରେ ରନ୍‌ ଆଉଟ୍‌ ହୋଇଯାଇଥିଲା ବେଳେ ଜାହିର ଖାନ୍‌ଙ୍କୁ ଖାତା ଖୋଲିବାକୁ ନଦେଇ ମେହଦି ହାସନ୍‌ ମିରାଜ୍‌ ଆଫ୍‌ଗାନିସ୍ତାନ ପାଳି ଶେଷ କରିଦେଇଥିଲେ। ହେଲେ ୱିକେଟ୍‌ରକ୍ଷକ ଅଫ୍‌ସାର ଜଜାଇ ୪୮ ରନ୍‌ରେ ଅପରାଜିତ ରହିଯାଇଥିଲେ। ଭ୍ରମଣକାରୀ ଦଳ ୯୦.୧ ଓଭର ଖେଳି ୨୬୦ ରନ୍‌ରେ ଦ୍ବିତୀୟ ପାଳି ଶେଷ କରିଥିଲା। ବାଂଲାଦେଶ ପକ୍ଷରୁ ସାକିବ୍‌ ଅଲ୍‌ ହାସନ୍‌ ୩, ମେହଦି ହାସନ୍‌ ମିରାଜ୍‌, ତାଇଜୁଲ୍‌ ଇସ୍‌ଲାମ ଓ ନୟିମ୍‌ ହାସନ୍‌ ୨ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର