ଚଟ୍ଟୋଗ୍ରାମ ଟେଷ୍ଟ୍‌: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ

ଚଟ୍ଟୋଗ୍ରାମ (ବାଂଲାଦେଶ): ଭ୍ରମଣକାରୀ ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ଘରୋଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସାମ୍‌ନା କରିଛି। ଚଟ୍ଟୋଗ୍ରାମସ୍ଥିତ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ପ୍ରଥମ ପାଳିରେ ୩୪୨ ରନ୍‌ କରିଥିଲା। ଜବାବରେ ନୂଆ ଅଧିନାୟକ ରସିଦ୍‌ ଖାନ୍‌ ଏବଂ ଅଲ୍‌ରାଉଣ୍ଡର ମହମ୍ମଦ ନବିଙ୍କ ବୋଲିଂ ଆଗରେ ତିଷ୍ଠିନପାରି ବାଂଲାଦେଶ ଦ୍ବିତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ବଳକୁ ୮ ୱିକେଟ୍‌ ବିନିମୟରେ ୧୯୪ ରନ୍‌ କରି ସଙ୍କଟରେ ପଡ଼ିଛି। ହା‌ତରେ ୨ ୱିକେଟ୍‌ ଥିଲା ବେଳେ ଦଳ ୧୪୮ ରନ୍‌ ପଛୁଆ ରହିଛି।

ପ୍ରଥମ ଦିନର ସ୍କୋର ୨୭୧/୫ରୁ ଖେଳ ଆରମ୍ଭ କରିଥିବା ଆଫ୍‌ଗାନିସ୍ତାନ ଶୁକ୍ରବାର ଏଥିରେ ଆଉ ମାତ୍ର ୭୧ ରନ୍‌ ଯୋଡ଼ି ବଳକା ୫ ୱିକେଟ୍‌ ହରାଇଥିଲା। ଅସ୍‌ଗର ଆଫ୍‌ଗାନ (୯୨) ନିଜ ବ୍ୟକ୍ତିଗତ ସ୍କୋର୍‌ରେ ୪ ରନ୍‌ ଯୋଡ଼ି ବିଦାୟ ନେଇଥିଲେ। ତାଙ୍କ ପରେ ପରେ ଅଫ୍‌ସାର ଜଜାଇ (୪୧) ଆଉଟ୍‌ ହୋଇଥିଲେ। ତେବେ ଅଧିନାୟକ ରସିଦ ଖାନ୍‌ (୫୧, ୬୧ ବଲ୍‌, ୩ ଚୌକା, ୨ ଛକା) ଧୁଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋର୍‌ ସାଢ଼େ ୩୦୦ ନିକଟବର୍ତୀ କରିଥିଲେ।

ଜବାବରେ ବାଂଲାଦେଶ ଖାତାରେ ରନ୍‌ ଚଢ଼ିବା ଆଗରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସଦାମନ ଇସ୍‌ଲାମଙ୍କୁ ହରାଇଥିଲା। ଦଳୀୟ ସ୍କୋର୍‌ ୩୮ ରନ୍‌ ଥିଲା ବେଳେ ସୌମ୍ୟ ସରକାରଙ୍କୁ ମହମ୍ମଦ ନବି ଏଲ୍‌ବିଡବ୍ଲୁ କରି ପାଭିଲିୟନ ପଠାଇଥିଲେ। ଏହାପରେ ରସିଦ୍‌ ଖାନ୍‌ ଲଗାତାର ୪ ୱିକେଟ୍‌ ଝଡ଼ାଇ ଦେଇଥିଲେ। ଯାହା ଫଳରେ ୬୬ ରନ୍‌ ମଧ୍ୟରେ ଲିଟନ୍‌ ଦାସ (୩୩), ସକିବ ଅଲ୍‌ ହାସନ (୧୧), ମୁସଫିକର ରହିମ (୦) ଓ ମହମ୍ମୁଦୁଲ୍ଲା (୭)ଙ୍କୁ ଆଉଟ୍‌ କରି ରସିଦ୍‌ ବାଂଲାଦେଶକୁ ଶକ୍ତ ଝଟ୍‌କା ଦେଇଥିଲେ। ଏକ ସମୟରେ ୧୦୪/୬ରେ ବାଂଲାଦେଶ ସଂଘର୍ଷ କରିଥିଲା। ଗୋଟିଏ ପଟେ ୱିକେଟ୍‌ ଝଡ଼ିବାକୁ ଲାଗିଥିଲା ବେଳେ ମୋମିନୁଲ ହକ୍‌ (୫୧) ନିଜର ଅର୍ଧଶତକ ପୂରଣ କରିନେଇଥିଲେ। ତାଙ୍କୁ ନବି ଆଉଟ୍‌ କରି ପାଭିଲିୟନ ପଠାଇଲା ବେଳକୁ ଦଳୀୟ ସ୍କୋର୍‌ ୧୩୦/୭ ରହିଥିଲା। ମୋମିନୁଲଙ୍କ ପରେ ମେହେଦି ହାସନ ମିରାଜ (୧୧) ମଧ୍ୟ ବିଫଳ ହୋଇଥିଲେ। ‌ତେବେ ମୋସାଦେକ ହୋସେନ (୪୪*) ଓ ତାଇଜୁଲ ଇସ୍‌ଲାମ (୧୪*) ‌ଆଉ ୱିକେଟ୍ ହରାଇବାକୁ ଦେଇ ନଥିଲେ। ଉଭୟ ଅସମାପ୍ତ ନବମ ୱିକେଟ୍‌ରେ ୪୮ ରନ୍ ଯୋଡ଼ି ଦଳୀୟ ସ୍କୋର୍‌ ୨୦୦ ପାଖାପାଖି ନେଇଯାଇଛନ୍ତି। ବ୍ୟାଟିଂରେ ଅର୍ଧଶତକ ଜମାଇଥିବା ରସିଦ୍‌ ବୋଲିଂରେ ବି କମାଲ କରି ବଢ଼ିଆ ଅଲ୍‌ରାଉଣ୍ଡ ପ୍ରଦର୍ଶନର ଛାପ ଛାଡ଼ଛନ୍ତି। ସେ ୧୮-୩-୪୭-୪ ଏବଂ ନବି ୨୨-୬-୫୩-୨ର ବୋଲିଂ ଚିତ୍ର ପା‌ଇଛନ୍ତି।

ସମ୍ବନ୍ଧିତ ଖବର