କେମୋଥେରାପି କାମ ଦେଲାନି; ପାଲିଆଟିଭ୍‌ କେୟାର ଚିକିତ୍ସାରେ ପେଲେ

ବ୍ରାଜିଲିଆ: ବ୍ରାଜିଲ୍‌ର କିଂବଦନ୍ତି ଫୁଟବଲ୍‌ର ପେଲେଙ୍କ କର୍କଟ ଚିକିତ୍ସାରେ କେମୋଥେରାପି ଆଶାନୁରୂପକ ଫଳ ଦେଉନାହିଁ। ତେଣୁ ତାଙ୍କୁ ପାଲିଆଟିଭ୍‌ କେୟାର ଚିକତ୍ସାରେ ରଖାଯାଇଛି। ଗତ ମଙ୍ଗଳବାର ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ ହସ୍‌ପିଟାଲ୍‌କୁ ଆସିଥିଲା ବେଳେ ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ଦେଖାଯାଇଛି। ‌ଯଦିଓ ଏସଂପର୍କରେ ପେଲେଙ୍କ ମ୍ୟାନେଜର କିମ୍ବା ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ ହସ୍‌ପିଟାଲ୍‌ ପକ୍ଷରୁ କିଛି କୁହାଯାଇନଥିଲା। ତଥାପି ଶୁକ୍ରବାର ପ୍ରକାଶିତ ଏକ ମେଡିକାଲ୍‌ ରିପୋର୍ଟ ଅନୁଯାୟୀ, ଆଣ୍ଟିବାୟୋଟିକ୍‌ ଚିକିତ୍ସାରେ ତାଙ୍କର ଉନ୍ନତି ପରିଲକ୍ଷିତ ହେଉଛି ଏବଂ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦିଆଯାଇଥିଲା। ୨୦୨୧ ସେପ୍ଟେମ୍ବରରେ ତାଙ୍କ କଲନ୍‌ରୁ ଟ୍ୟୁମର ବାହାର କରାଯାଇଥିଲା।

ଏହାପରଠୁ ସେ ନିୟମିତ ଭାବେ ଚିକିତ୍ସାରେ ରହୁଥିଲେ। ତେବେ ତାଙ୍କର ପ୍ରବଳ ଯନ୍ତ୍ରଣା ହେଉଥିଲା ବେଳେ ନିଶ୍ବାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କରୁଥିବାରୁ କେମୋଥେରାପି ବନ୍ଦ କରାଯାଇ ପାଲିଆଟିଭ୍‌ କେୟାରରେ ରଖାଯାଇଥିବା ସୂଚନା ଦିଆଯାଇଛି। ଏପରିକି ତାଙ୍କର ହୃତ୍‌ପିଣ୍ଡ ଜନିତ ସମସ୍ୟା ରହିଥିବା ବ୍ରାଜିଲ୍‌ର ଏକ ଖବରକାଗଜ ସୂତ୍ରରୁ ପ୍ରକାଶ। ଗୁରୁବାର ପେଲେ ହସ୍‌ପିଟାଲ୍‌କୁ ଆସିଥିବା ସମୟରେ ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ପ୍ରଶଂସକଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଏପରିକି ତାଙ୍କର ଆଶୁ ଆରୋଗ୍ୟ କାମନା କରି କାତାର ବିଶ୍ବକପ୍‌ରେ ପ୍ରଶଂସକମାନେ ପ୍ରାର୍ଥନା କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର