ଅହମଦାବାଦ: ‌ବ୍ୟାଟରଙ୍କ ମିଳିତ ଅବଦାନ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମ ଥର ଆଇପିଏଲ୍‌ ଟ୍ରଫି ଜିତିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୧୪/୪ ସ୍କୋର କରିଥିଲା। କିନ୍ତୁ ଚେନ୍ନାଇ ବ୍ୟାଟିଂ ବେଳକୁ ବର୍ଷା ହେବାରୁ ମ୍ୟାଚ୍‌ ୧୫ ଓଭରକୁ କମାଇ ଦିଆଯାଇଥିଲା ଓ ଲକ୍ଷ୍ୟ ୧୭୧ରନ୍‌ ଧାର୍ଯ୍ୟ ହୋଇଥିଲା। ଶେଷ ଦୁଇ ବଲ୍‌ରୁ ୧୦ ରନ୍‌ ଉଠାଇ ଚେନ୍ନାଇକୁ ରବୀନ୍ଦ୍ର ଜାଦେଜା ଜିତାଇବା ସହ ‌ମହେନ୍ଦ୍ର ସିଂହ ଧୋନି ଓ ଅମ୍ବାତି ରାୟୁଡୁଙ୍କୁ ସ୍ମରଣୀୟ ବିଦାୟ ଜଣାଇଛନ୍ତି। ସେହି ମୋଟେରାରେ ଉଦ୍‌ଘାଟନୀ ମ୍ୟାଚ୍‌ର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଥିଲା ଧୋନି ବାହିନୀ।

Advertisment

ବର୍ଷା ଯୋଗୁଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ହୋଇପାରିନଥିବା ଫାଇନାଲ୍‌କୁ ସୋମବାର ସଂରକ୍ଷିତ ଦିବସରେ ଖେଳାଯାଇଥିଲା। ଆକାଶ ସଫା ଥିବା ସତ୍ତ୍ବେ ପାଣିପାଗ ସ୍ଥିତିକୁ ନଜରରେ ରଖି ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଚିନ୍ତା କରିଥିବାରୁ ଟସ୍‌ ହାରିବାର ଦୁଃଖ ତାଙ୍କ ପାଖରେ ନଥିଲା। ଘରୋଇ ଷ୍ଟାଡିୟମ୍‌ରେ ଦ୍ବିତୀୟ ଥର ଫାଇନାଲ୍‌ ଖେଳୁଥିବା ଗୁଜରାଟ ପାଇଁ ରିଦ୍ଧିମାନ ଓ ଶୁବମନ ଦମ୍‌ଦାର ଆରମ୍ଭ କରିଥିଲେ। ଦୀପକ ଚହର ଓ ତୁଷାର ଦେଶପାଣ୍ଡେଙ୍କୁ ଉଭୟ ପ୍ରବଳ ପ୍ରହାର କରିବା ସହ ପାୱାରପ୍ଲେରୁ ୬୨ ରନ୍‌ ଉଠାଇଥିଲେ। ସପ୍ତମ ଓଭରରେ ରବୀନ୍ଦ୍ର ଜାଦେଜା ସୁନ୍ଦର ଲୟରେ ଥିବା ଶୁବମନ (୩୯)ଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ନିଜ ସ୍ପିନ୍‌ ଜାଲରେ ଫସାଇବାରୁ ଶୁବମନ ବଲ୍‌କୁ ଫ୍ରଣ୍ଟଫୁଟ୍‌ରେ ଖେଳିବାକୁ ଯାଉଥିଲା ବେଳେ ଗୋଡ଼କୁ କ୍ରିଜ୍‌ ବାହାରକୁ ନେଇଆସିଥିଲେ। ଯାହାର ସୁଯୋଗ ନେଇ ଧୋନି ୦.୧୨ ସେକେଣ୍ଡରେ ବେଲ୍‌କୁ ଷ୍ଟମ୍ପ୍‌ଠୁ ଅଲଗା କରିଦେଇଥିଲେ। ପରେ ରିଦ୍ଧିମାନ ଓ ସୁଦର୍ଶନ ଆକ୍ରମଣ ଜାରି ରଖିବା ସହ ଉଭୟ ପଟୁ ବୋଲରଙ୍କୁ ଚୌକା ଛକା ମାରିଚାଲିଥିଲେ। ଦ୍ବିତୀୟ ଓଭରରେ ଶୁବମନ ଓ ପଞ୍ଚମ ଓଭରରେ ରିଦ୍ଧିମାନଙ୍କୁ ଗୋଟିଏ ଲେଖାଏଁ ଜୀବନଦାନ ଦେଇଥିବା ଚହର ଶେଷରେ ୱିକେଟ୍‌ ପାଇବାରେ ସଫଳ ହୋଇଥିଲେ। ଚହରଙ୍କ ଲେଗ୍‌ କଟର ରିଦ୍ଧିମାନ (୫୪) ଙ୍କ ବ୍ୟାଟ୍‌ର ଏଜ୍‌ ନେଇ ସିଧା ଧୋନିଙ୍କ ହାତକୁ ଚାଲିଯାଇଥିଲା। ସୁଦର୍ଶନଙ୍କ ସହ ଅଧିନାୟକ ପାଣ୍ଡ୍ୟା ପାଳିକୁ ଆଗେଇ ନେବା ସହ ୧୯ ଓଭରରେ ୨୦୦ରେ ପହଞ୍ଚାଇଥିଲେ। ଶେଷ ଓଭରରେ ଶତକଠୁ ୪ ରନ୍‌ (୯୬ ରନ୍‌, ୪୭ ବଲ୍‌, ୮ଚୌକା, ୬ଛକା) ଦୂରରେ ଥିବାବେଳେ ସୁଦର୍ଶନଙ୍କୁ ମଥିଶା ପଥିରଣା ଏଲ୍‌ବିଡବ୍ଲୁ କରିଥିଲେ। ପାଣ୍ଡ୍ୟା ୧୨ ବଲ୍‌ରୁ ୨ ଛକା ସହାୟତାରେ ୨୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

ଧୋନିଙ୍କ ୨୫୦ତମ ମ୍ୟାଚ୍‌
ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ଫାଇନାଲ୍‌ରେ ୨୫୦ ତମ ଆଇପିଏଲ୍‌ ମ୍ୟାଚ୍‌ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ଏପରି କରିବାରେ ସେ ପ୍ରଥମ ଓ ଏକମାତ୍ର ଖେଳାଳି ହୋଇଛନ୍ତି। ଏପରିକି ସବୁଠୁ ଅଧିକ ୨୨୬ ମ୍ୟାଚ୍‌ରେ ସେ ନେତୃତ୍ବ ନେବା କୀର୍ତ୍ତିମାନ ବଜାୟ ରଖିଛନ୍ତି। ସର୍ବାଧିକ ମ୍ୟାଚ୍‌ ଖେଳିବାରେ ଧୋନିଙ୍କ ପଛକୁ ରୋହିତ ଶର୍ମା (୨୪୩), ଦୀନେଶ କାର୍ତ୍ତିକ (୨୪୨), ବିରାଟ କୋହଲି (୨୩୭) ଓ ରବୀନ୍ଦ୍ର ଜାଦେଜା (୨୨୬) ରହିଛନ୍ତି। ଧୋନିଙ୍କ ଆଇପିଏଲ୍‌ ଯାତ୍ରାରେ ସେ ଦୁଇଟି ଫ୍ରାଞ୍ଚାଇଜ୍‌ ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି। ୧୪ ଋତୁ ଧରି ସିଏସ୍‌କେ ଜର୍ସିରେ ଖେଳିଥିଲା ବେଳେ ୨୦୧୬ ଓ ୨୦୧୭ରେ ରାଇଜିଂ ପୁନେ ସୁପର ଜାଏଣ୍ଟସ୍‌ ପକ୍ଷରୁ ଖେଳିଛନ୍ତି। ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୪ଥର ଟ୍ରଫି ହାତେଇଥିଲା। ‌ଧୋନିଙ୍କ ବ୍ୟକ୍ତିତ୍ବ, ୱିକେଟକିପିଂ ଦକ୍ଷତା, ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଫ୍ୟାନ୍‌କ୍ରେଜ୍‌ ସବୁଠୁ ଅଧିକ ରହିଛି।

ଶୁବମନ୍‌ଙ୍କ କୀର୍ତ୍ତିମାନ
ନ‌ରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁବମନ ଗିଲ୍‌ ୨୦ ବଲ୍‌ରୁ ୩୯ ରନ୍‌ ସଂଗ୍ରହ କରି ଆଉ ଏକ କୀର୍ତ୍ତିମାନ କରିଛନ୍ତି। ଗୋଟିଏ ଋତୁରେ ଘରୋଇ ପଡ଼ିଆରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ସେ ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଆଇପିଏଲ୍‌ରେ ମୋଟେରାରେ ୯ ପାଳିରୁ ୭୧.୫୦ ହାରରେ ୫୭୨ ରନ୍‌ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ଦୁଇଟି ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଅଛି। ସର୍ବାଧିକ ରନ୍‌ ୧୨୯ ରହିଛି। ଏଥିପୂର୍ବରୁ କୋହଲି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ୨୦୧୬ରେ ୫୯୭ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଆଇପିଏଲ୍‌ରେ ଉଦୀୟମାନ ପ୍ରତିଭା ଭାବେ ସେ ସାମ୍ନାକୁ ଆସିଛନ୍ତି। ୧୭ ମ୍ୟାଚ୍‌ରୁ ୮୯୦ ରନ୍‌ ସଂଗ୍ରହ କରି ସେ ଅରେଞ୍ଜ କ୍ୟାପ୍‌ ଦଖଲ କରିଛନ୍ତି। ଏଥିଯୋଗୁଁ ଗୋଟିଏ ଆଇପିଏଲ୍‌ ଋତୁରେ ସର୍ବାଧିକ ରନ୍‌ କରିବାରେ ଜୋସ୍‌ ବଟଲର୍‌ (୮୬୩) ଓ ଡେଭିଡ୍‌ ୱାର୍ଣ୍ଣର (୮୪୮)ଙ୍କୁ ପଛରେ ପକାଇଦେଇଛନ୍ତି।