ଚେନ୍ନାଇ ନବମ ଥର ଫାଇନାଲ୍‌ରେ: ଧୋନି ଧୂଲେଇରେ ଦବିଲା ଦିଲ୍ଲୀ, ପୃଥ୍ବୀ-ପନ୍ତଙ୍କ ପରାକ୍ରମ ବେକାର

ଦୁବାଇ: ଆଇପିଏଲ୍‌କୁ ପୁଣି ଥରେ ଚେନ୍ନାଇ ସୁପରକିଙ୍ଗ୍ସର ମହାଚମକ ଫେରିଛି। ଅତୁଳନୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜବରଦସ୍ତ ଧୂଲେଇ ବଳରେ ପ୍ରଥମ କ୍ବାଲିଫାୟରକୁ ନାଟକୀୟ ଭାବେ ଜିତି ନେଇଛି ଚେନ୍ନାଇ। ରବିବାର ଟେବୁଲ ଟପର ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକ ଭାବେ ୪ ୱିକେଟ୍‌ରେ ପରାସ୍ତ କରି ନବମ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି ଏହି ତିନି ଥର ବିଜେତା ଦଳ। ଲିଗ୍ ପର୍ଯ୍ୟାୟରେ ହ୍ୟାଟ୍ରିକ୍ ପରାଜୟ ବରଣ କରି ପ୍ରଥମ କ୍ବାଲିଫାୟର ଖେଳିବାକୁ ଆସିଥିଲା ଚେନ୍ନାଇ। ହେଲେ ଠିକଣା ସମୟରେ ଫର୍ମକୁ ଫେରି ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ରବିବାରର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ‘ଓଲ୍ଡ ଇଜ୍ ଗୋଲ୍ଡ’ ବୋଲି ଧୋନି ରବିବାର ପୁଣି ଥରେ ପ୍ରମାଣିତ କରିଥିଲେ। ଶେଷ ଦୁଇ ଓଭରରେ ଧମାକାଦାର ବ୍ୟାଟିଂ କରି ଧୋନି ହିଁ ଚେନ୍ନାଇକୁ ଚମକପ୍ରଦ ଉପହାର ଦେଇଥିଲେ। ରବିନ ଉଥା‌ପ୍ପା ଓ ଋତୁରାଜ ଗାଏକ୍ବାଡ୍ ମୂଳଦୁଆ ପକାଇବା ପରେ ମାହି ( ୬ ବଲ୍, ୧୮ ରନ୍, ୧ ଛକା, ୩ ଚୌକା) ପୁଣି ଥରେ ଫିନିସର ଭୂମିକା ତୁଲାଇ ଗୋଟିଏ ଛକା ଓ ତିନିଟି ଚୌକା ବଳରେ ଦିଲ୍ଲୀ ପଞ୍ଝାରୁ ଫାଇନାଲ୍ ଟିକେଟ ଛଡ଼ାଇ ନେଇଥିଲେ। ଦିଲ୍ଲୀ ପରାଜିତ ହୋଇଥିଲେ ମଧ୍ୟ ତା ପାଖରେ ଫାଇନାଲକୁ ଯିବାର ଆଉ ଏକ ସୁଯୋଗ ରହିଛି। ଦ୍ବିତୀୟ କ୍ବାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତାକୁ ହରାଇ ପାରିଲେ ଫାଇନାଲକୁ ଯିବାର ସୁଯୋଗ ଲାଭ କରିବ ଦିଲ୍ଲୀ।

ଧୋନି ଧୂଲେଇରେ ଦବିଲା ଦିଲ୍ଲୀ
୧୭୩ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ମାତ୍ର ୩ ରନ୍‌ରେ ଓପନର ଫାଫ୍ ଡୁ’ ପ୍ଲେସିସ୍‌ଙ୍କୁ ହରାଇଥିଲା। ତେବେ ଏହାର କୌଣସି ପ୍ରଭାବ ଦଳର ରନ୍ ଗତି ଉପରେ ପଡ଼ି ନଥିଲା। ଋତୁରାଜ ଗାଏକ୍ବାଡ୍ ଓ ରବିନ ଉଥାପ୍ପା ଦ୍ବିତୀୟ ୱି‌କେଟ୍‌ରେ ୧୧୦ ରନ୍ ଯୋଡ଼ି ଦଳର ସ୍ଥିତି ମଜବୁତ କରିନେଇଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଚେନ୍ନାଇ ଦ୍ରୁତ ଗତିରେ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ସୀମା ରେଖା ନିକଟରେ ଶ୍ରେୟସ୍ ଆୟର ଏକ ଅବିଶ୍ବସନୀୟ କ୍ୟାଚ୍ ନେଇ ରବିନ ଉଥାପ୍ପାଙ୍କୁ ପ୍ୟାଭିଲିୟନ ଫେରାଇବା ପରେ ମ୍ୟାଚ୍‌ର ଗତି ପଥ ବଦଳିଥିଲା। ସେହିଭଳି ଶ୍ରେୟସ୍ ମଧ୍ୟ କାଗିସୋ ରବାଦାଙ୍କ ସହଯୋଗରେ ଅମ୍ବାତି ରାୟୁଡୁଙ୍କୁ ରନ୍‌ଆଉଟ୍ କରି ଚେନ୍ନାଇର ଚିନ୍ତା ବଢ଼ାଇ ଦେଇଥିଲେ। ଅଭେଶ ଖାନ୍ ଠିକଣା ସମୟରେ ଭଲ ବ୍ୟାଟିଂ କରୁଥିବା‌ ଋତୁରାଜଙ୍କୁ ପ୍ୟାଭିଲିୟନ ଫେରାଇ ଦିଲ୍ଲୀକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଶେଷ ଦୁଇ ଓଭରରୁ ୨୪ ରନ୍‌ ଦରକାର ଥିଲା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଛକା ପାଇଁ ଚେନ୍ନାଇ ଊନ୍ନବିଂଶ ଓଭରରୁ ୧୧ ରନ୍ ଅମଳ କରି ନେଇଥିଲା। ଶେଷ ୬ ବଲ୍‌ରୁ ବିଜୟ ପାଇଁ ୧୩ ରନ୍‌ ଦରକାର ଥିଲା ବେଳେ ପ୍ରଥମ ବଲ୍‌ରେ ମୋଇନ ଅଲ୍ଲୀ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଧୋନି ଧମାକାରେ ଚେନ୍ନାଇ ୨ ବଲ୍ ପୂର୍ବରୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ନେଇଥିଲା। ତିନିଟି ଚୌକା ମାରି ମାହି ହିଁ ଚେନ୍ନାଇର ଏହି ନାଟକୀୟ ବିଜୟରେ ମୁଣ୍ଡି ମାରିଥିଲେ।

ପୃଥ୍ବୀ-ପନ୍ତଙ୍କ ପରାକ୍ରମ ବେକାର
ଲଗାତାର ଦ୍ବିତୀୟ ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଅଧିନାୟକ ଋଷଭ ପନ୍ତ ନିଜ ପ୍ରେରଣା ସ୍ରୋତ ତଥା ପ୍ରତିପକ୍ଷ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଟସ୍ ହାରି ଯାଇଥିଲେ। ବଡ଼ ମ୍ୟାଚ୍‌ରେ ପଶ୍ଚାତଧାବନ କରିବା ସୁରକ୍ଷିତ ହେବ ବୋଲି ଭାବି ଦିଲ୍ଲୀକୁ ଧୋନି ତୁରନ୍ତ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ବୋଲରମାନେ ମଧ୍ୟ ତାଙ୍କ ନିଷ୍ପତ୍ତିର ସମ୍ମାନ ରଖି ବିପଜ୍ଜନକ ଶିଖର ଧାୱନ ଓ ନିର୍ଭରଯୋଗ୍ୟ ଶ୍ରେୟର ଆୟରଙ୍କୁ ଦୁଇ ଅଙ୍କ ଛୁଇଁବାକୁ ଦେଇ ନଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ବି ୧୦ ରନ୍ ଆଗକୁ ବଢ଼ି ପାରି ନଥିଲେ। ଧାୱନ ଓ ଆୟରଙ୍କୁ ଜୋସ୍ ହାଜେଲଉଡ୍ ଶିକାର କରିଥିଲା ବେଳେ ଅକ୍ଷରଙ୍କୁ ମୋଇନ ଅଲ୍ଲୀ ଆଉଟ୍ କରିଥିଲେ। ଦିଲ୍ଲୀ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ହେଲେ ଏହି ଦଳର ରନ୍ ସଂଗ୍ରହ ଗତି କମିନଥିଲା। ଯୁବ ଓପନର ପୃଥ୍ବୀ ସ’ଙ୍କ ପରାକ୍ରମୀ ପ୍ରହାର ସହ ଅଧିନାୟକ ପନ୍ତଙ୍କ ଦ୍ରୁତ ଓ ଦାୟିତ୍ବବାନ ଅର୍ଦ୍ଧଶତକ ହିଁ ଏହାର ମୁଖ୍ୟ କାରଣ ଥିଲା। ଏହି ଦୁଇ ଜଣଙ୍କ ପାଇଁ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରିନେଇଥିଲା। ସିମରନ୍ ହେଟମେୟରଙ୍କ ସହ ମିଶି ପନ୍ତ ପଞ୍ଚମ ୱିକେଟ୍‌ରେ ୮୯ ରନ୍ ଯୋଡ଼ି ଦିଲ୍ଲୀ ସ୍କୋରକୁ ଏଠାରେ ପହଞ୍ଚାଇ ଦେଇଥିଲେ। ଏହା ପୂର୍ବରୁ ବିସ୍ଫୋରକ ବ୍ୟାଟିଂ କରି ସ’ ମାତ୍ର ୨୭ ବଲ୍‌ରୁ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ପନ୍ତ ୩୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସ’ ଓ ପନ୍ତଙ୍କ ଭଳି ହେଟମେୟରଙ୍କ ପାଳି ବେଶ୍ ଦର୍ଶନୀୟ ଥିଲା। ଦିଲ୍ଲୀ ପାଳିରେ ୧୫ ଚୌକା ଏବଂ ୬ ଛକା ଦେଖିବାକୁ ମିଳିଥିଲା। ଚେନ୍ନାଇ ପକ୍ଷରୁ ସଫଳତମ ବୋଲର ଭାବେ ହାଜେଲଉଡ୍ ୨୯ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ। ରବୀନ୍ଦ୍ର ଜାଦେଜା, ମୋଇନ ଅଲ୍ଲୀ ଓ ଡ୍ବେନ୍ ବ୍ରାଭୋଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଚେନ୍ନାଇର ପ୍ରମୁଖ ଷ୍ଟ୍ରାଇକ୍ ବୋଲର ଦୀପକ ଚହର ମହଙ୍ଗା ସାବ୍ୟସ୍ତ ହୋଇ ମାତ୍ର ୩ ଓଭରରେ ୨୬ ରନ୍ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର