ଆଇପିଏଲ୍‌ ନିଲାମ ପୂର୍ବରୁ ୮ ଖେଳାଳିଙ୍କୁ ଛାଡ଼ିବାକୁ ଚେନ୍ନାଇ ପ୍ରସ୍ତୁତ

ଚେନ୍ନାଇ: ଆଇପିଏଲ୍‌-୨୦୨୧ ନିଲାମ ପୂର୍ବରୁ ଯଦି କୌଣସି ଫ୍ରାଞ୍ଚାଇଜ୍‌ ବଡ଼ ଧରଣର ପରିବର୍ତନ କରିବାକୁ ଯାଉଥାଏ ତାହାଲେ ସେହି ଦଳ ହେଉଛି ଚେନ୍ନାଇ ସୁପର କିଙ୍ଗ୍‌ସ। ୟୁଏଇରେ ଆୟୋଜିତ ହୋଇଥିବା ଗତ ଚତୁର୍ଦଶ ସଂସ୍କରଣରେ ସଂଘର୍ଷ କରି ଖୁବ୍‌ ନିନ୍ଦିତ ହୋଇଥିବା ଚେନ୍ନାଇ ଦଳ ଆଗାମୀ ସଂସ୍କରଣ ପୂର୍ବରୁ ବଡ଼ ବଡ଼ ୭ରୁ ୮ ଜଣ ଖେଳାଳିଙ୍କୁ ଛାଡ଼ିବାର ଯୋଜନା କରିଛି। ବିଶେଷକରି ନିଜ ପାଖରେ ଯଥେଷ୍ଟ ଅର୍ଥ ବଳକା ନଥିବାରୁ ଦଳ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେବ। ଏବେ ମାତ୍ର ୧୫ ଲକ୍ଷ ଅର୍ଥ ନିଜ ପାଖରେ ରହିଥିବ‌ାରୁ ଅଧିକ ମୂଲ୍ୟର ଖେଳାଳିଙ୍କୁ ବିଦା କରି ପାଣ୍ଠିରେ ବୃଦ୍ଧି ଆଣିବା ସାଙ୍ଗକୁ ନୂଆ ଖେଳାଳିଙ୍କୁ ସାମିଲ କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନେବ। ସେଥିପାଇଁ ଦଳରେ ବଡ଼ ପରିବର୍ତନ ହିଁ ଏକମାତ୍ର ବିକଳ୍ପ ହୋଇଛି। ବିଦା ହେବାକୁ ଥିବା ଖେଳାଳିଙ୍କ ମଧ୍ୟରେ କେଦାର ଯାଦବ (୭.୮ କୋଟି), ଇମ୍ରାନ୍‌ ତାହିର (୧ କୋଟି), ପୀୟୂଷ ଚାୱଲା (୬.୭୫ କୋଟି), ହରଭଜନ ସିଂହ (୨ କୋଟି), ମୁରଲୀ ବିଜୟ (୨ କୋଟି), ଡ୍ବେନ୍‌ ବ୍ରାଭୋ (୬.୪ କୋଟି), ଜୋସ୍‌ ହାଜ୍‌ଲେଉଡ୍‌ (୨ କୋଟି) ଏବଂ କର୍ନ ଶର୍ମା (୫ କୋଟି) ସାମିଲ ରହିଛନ୍ତି। ପୁଣି ତ୍ରୟୋଦଶ ସଂସ୍କରଣ ବେଳଠୁ ସେନ୍‌ ୱାଟ୍‌ସନ୍‌ ଅବସର ନେଇସାରିଥିବାରୁ ତାଙ୍କ ମୂଲ୍ୟ ମଧ୍ୟ ବଞ୍ଚିଯିବ। ଏହି ଖେଳାଳିମାନଙ୍କୁ ବିଦା କରିବା ପରେ ଦଳ ପାଖରେ ପ୍ରାୟ ୩୩ କୋଟି ପାଣ୍ଠି ବଢ଼ିଯିବ। ଏହାପରେ ଆଗାମୀ ଫେବ୍ରୁଆରିରେ ଅନୁଷ୍ଠିତ ମିନି ନିଲାମରେ ଦଳୀୟ ସନ୍ତୁଳନକୁ ଅଗ୍ରାଧିକାର ଦେଇ ନୂଆ ଖେଳାଳିଙ୍କୁ ଭଲ ମୂଲ୍ୟରେ କିଣିପାରିବ।

ଏହା ବ୍ୟତୀତ ଅମ୍ବାତି ରାୟୁଡୁ (୨.୨ କୋଟି) ଏବଂ ଫାଫ୍‌ ଡୁ’ପ୍ଲେସିସ୍‌ (୧.୬ କୋଟି)ଙ୍କୁ ନେଇ ମଧ୍ୟ ଦଳ ଦ୍ବନ୍ଦ୍ବରେ ରହିଛି। ଏହି ଦୁଇ ଜଣଙ୍କ ସଂପର୍କରେ କିଛି ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ଗତ ସଂସ୍କରଣରୁ ଓହରି ଯାଇଥିବା ସୁରେଶ ରାଇନାଙ୍କୁ ନେଇ ବଡ଼ ନିଷ୍ପତ୍ତି ଫ୍ରାଞ୍ଚାଇଜ୍‌ ନେବ। ରବିବାରଠାରୁ ଆରମ୍ଭ ହେଉଥିବ‌ା ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବେ‌ଳେ ରାଇନାଙ୍କ ପ୍ରଦର୍ଶନ ଉପରେ ଚେନ୍ନାଇ କର୍ତ୍ତୃପକ୍ଷ ତୀକ୍ଷ୍‌ଣ ନଜର ରଖିବେ। ଫଳରେ ତାଙ୍କ ୧୧ କୋଟି ମୂଲ୍ୟର ଚୁକ୍ତି ବଜାୟ ରହିବ ନା ନାହିଁ ତାହା ନିର୍ଭର କରିବ।

ତଥାପି ଅନ୍ୟ ୮ ଜଣ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ଏହି ୮ ଜଣଙ୍କୁ ନିଲାମ ପୂର୍ବରୁ ଦଳରେ ବଜାୟ ରଖିବାର ସମ୍ଭାବନା ରହିଛି। ସେମାନେ ହେଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୫ କୋଟି), ଦୀପକ ଚହର, ଲୁଙ୍ଗି ଏନ୍‌ଗିଡ଼ି (୦.୫୦ କୋଟି), ରବୀନ୍ଦ୍ର ଜାଦେଜା (୭ କୋଟି), ରିତୁରାଜ ଗାଏକ୍ବାଡ (୦.୨ କୋଟି), ସାର୍ଦୁଲ ଠାକୁର (୨.୬ କୋଟି), ସାମ୍‌ କରନ (୫.୫ କୋଟି) ଏବଂ ନାରାୟଣ ଜଗଦୀସାନ (୦.୨ କୋଟି)।

ସମ୍ବନ୍ଧିତ ଖବର