ମୁମ୍ବାଇ: ନବାଗତ ଦଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଆଇପିଏଲ୍ରେ ବିଜୟ ଖାତା ଖୋଲିଛି। ଏହି ଚର୍ଚ୍ଚିତ ଲିଗ୍ର ଅନ୍ୟତମ ସଫଳ ଦଳ ତଥା ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ଗୁରୁବାର ୬ ୱିକେଟ୍ରେ ହରାଇ ପଏଣ୍ଟ ଟେବୁଲରେ ନିଜ ବଳିଷ୍ଠ ଉପସ୍ଥିତି ଜାହିର କରିଛି ଲକ୍ଷ୍ନୌ। ଆଜିର ଏହି ହାଇସ୍କୋରିଂ ମୁକାବିଲାରେ ଚେନ୍ନାଇ ୨୧୧ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଲକ୍ଷ୍ନୌ ଯାହାକୁ କ୍ବିଣ୍ଟନ୍ ଡି’କକ୍ (୬୧) ଏବଂ ଇଭିନ ଲୁଇସ୍ (୫୫*)ଙ୍କ ଅର୍ଦ୍ଧଶତକ ସହ ଆୟୁଷ ବଦୋନିଙ୍କ ବିସ୍ଫୋରକ ୧୯ ରନ୍ ବଳରେ ୧୯.୩ ଓଭରରେ ହିଁ ହାସଲ କରିନେଇଥିଲା। ଦ୍ବିତୀୟ ମ୍ୟାଚ୍ରୁ ଲକ୍ଷ୍ନୌର ଏହା ପ୍ରଥମ ବିଜୟ ଥିଲା। ଅନ୍ୟପକ୍ଷରେ ଚେନ୍ନାଇ ଦ୍ବିତୀୟ ମ୍ୟାଚ୍ରୁ ହିଁ ଦ୍ବିତୀୟ ପରାଜୟ ବରଣ କରିଥିଲା। ବିସ୍ଫୋରକ ପାଳି ପାଇଁ ଲୁଇସ୍ ମୃାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଟସ୍ ଜିତି ସିଏସ୍କେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଋତୁରାଜ ଗାଏକ୍ବାଡ୍ଙ୍କୁ ମାତ୍ର ୧ ରନ୍ରେ ରନ୍ଆଉଟ୍ କରି ପ୍ରତିପକ୍ଷ ଦଳକୁ ଶକ୍ତ ଝଟ୍କା ବି ଦେଇଥିଲା ଏହି ଦଳ। ହେଲେ ରବିନ ଉଥାପ୍ପା (୫୦)ଙ୍କ ଅର୍ଦ୍ଧଶତକ ସହ ମୋଇନ ଅଲ୍ଲୀ (୩୫), ଶିଭମ ଦୁବେ (୪୯), ଅମ୍ବାତି ରାୟୁଡୁ (୨୭)ଙ୍କ ଦ୍ରୁତ ବ୍ୟାଟିଂ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୬ ବଲରୁ ୧୬ ରନ୍ର ତୋଫାନି ପାଳି ବଳରେ ସିଏସ୍କେ ନିଜ ସ୍ଥିତି ମଜବୁତ କରିନେଇଥିଲା। ଧୋନି ଶେଷ ବଲ୍କୁ ଚୌକା ମାରି ଟ୍ବେଣ୍ଟି-୨୦ରେ ୭,୦୦୦ ରନ୍ ପୂରଣ କରିବା ସହ ସିଏସ୍କେ ସ୍କୋର ବୋର୍ଡ ୨୧୦ରେ ପହଞ୍ଚି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/sf2h56sf4h56hfssfhhfsfhsfhsfh.jpg)