ମୁମ୍ବାଇ: ଡ୍ଵାନ୍ ବ୍ରାଭୋଙ୍କ ବିସ୍ଫୋରକ (୬୮, ୩୦ ବଲ) ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ ଗତ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ଵିକେଟ୍ରେ ପରାସ୍ତ କରିଛି। ଏଥି ସହ ଏକାଦଶ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଧମାକାଦାର ବିଜୟ ସହିତ ଦୁଇ ବର୍ଷ ପରେ ଆଇପିଏଲ୍କୁ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଓ୍ଵାଙ୍ଖ୍ଡେ ଷ୍ଟାଡିୟମ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ ପାଇନଥିଲା। ପ୍ରାରମ୍ଭିକ ଯୋଡ଼ି ଏଲଭିନ୍ ଲୁଇସ୍ (୦) ଏବଂ ରୋହିତ ଶର୍ମା (୧୫) ଦଳୀୟ ସ୍କୋର୍ ୨୦ ଭିତରେ ଫେରିଯାଇଥିଲେ। ଏହା ପରେ ଯୁବ ଓ୍ଵିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଈଶାନ୍ତ କିଷନ୍ (୪୦, ୨୯ ବଲ୍) ଏବଂ ସୂର୍ଯ୍ୟକୁମାର ଯାଦବ (୪୩, ୨୯ ବଲ୍) ୭୮ ରନ୍ର ଭାଗୀଦାରି କରି ସ୍ଥିତି ସମ୍ଭାଳିଥିଲେ। ଶେଷକୁ ପାଣ୍ଡ୍ୟା ଭ୍ରାତା ହାର୍ଦିକ (୨୨*, ୨୦ ବଲ୍) ଏବଂ କୃନାଲ୍ (୪୧*, ୨୨ ବଲ୍, ୫ ଚୌକା, ୨ ଛକା) ଶେଷ ୫.୨ ଓଭରରେ ୫୨ ରନ୍ ଯୋଡ଼ି ଚେନ୍ନାଇ ଆଗରେ ଆହ୍ଵାନଭରା ବିଜୟ ଲକ୍ଷ୍ୟ ଦେଇଥିଲେ।
ଜବାବରେ ୨ ବର୍ଷିଆ ନିଲମ୍ବନରୁ ଫେରିଥିବା ୨ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ୧୨ ଓଭର ବେଳକୁ ୭୫ ରନ୍ ଭିତରେ ଅଧା ଖେଳାଳିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ବିଶେଷ କରି ୨୦ ବର୍ଷୀୟ ପଞ୍ଜାବୀ ଲେଗ୍ସ୍ପିନର୍ ମୟଙ୍କ ମାର୍କଣ୍ଡ (୪-୦-୨୩-୩) ମିତ୍ତବ୍ୟୟୀ ବୋଲିଂ ସହିତ ଓ୍ଵିକେଟ୍ ଦଖଲ କରି ଚେନ୍ନାଇକୁ ଚମକହୀନ କରି ଦେଇଥିଲେ। ହାର୍ଦିକ ପାଣ୍ଡ୍ୟା ଆହତ ହେବା ସତ୍ତ୍ୱେ ବଢ଼ିଆ ବୋଲିଂ କରି ସେନ୍ ଓ୍ଵାଟ୍ସନ୍, ସୁରେଶ ରାଇନା, ମାର୍କ ଉଡ୍ଙ୍କ ଓ୍ଵିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ହେଲେ ଡ୍ଵାନ ବ୍ରାଭୋଙ୍କ ସାହସିକ ବ୍ୟାଟିଂ (୬୮, ୩୦ ବଲ୍, ୩ ଚୌକା, ୭ ଛକା) ମ୍ୟାଚ୍ରେ ରୋମାଞ୍ଚ ଭରିଥିଲା। ସେ ୧୯ତମ ଓଭରରେ ବୁମରାଙ୍କଠାରୁ ୨୦ ରନ୍ ଆଦାୟ କରିବା ପରେ ଶେଷ ବଲ୍ରେ ଆଉଟ୍ ହୋଇଥିଲେ। କିନ୍ତୁ ଶେଷ ଓଭରରେ ଆବଶ୍ୟକ ୭ ରନ୍ ପାଇଁ ୩ ଡଟ୍ ଖେଳିଥିଲେ ମଧ୍ୟ କେଦାର ଯାଦବ (୨୪*, ୨୨ ବଲ୍, ୧ ଚୌକା, ୨ ଛକା) ପରବର୍ତୀ ଦୁଇ ବଲ୍କୁ ଛକା ଓ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ବ୍ରାଭୋଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର୍
ମୁମ୍ବାଇ ଇଣ୍ଡିଆନ୍ସ: ୨୦ ଓଭରରେ ୧୬୫/୪ (ସୂର୍ଯ୍ୟକୁମାର ଯାଦବ-୪୩, ଈଶାନ୍ କିଷନ୍-୪୦, ହାର୍ଦିକ ପାଣ୍ଡ୍ୟା-୨୨*, କୃନାଲ ପାଣ୍ଡ୍ୟା-୪୧*, ସେନ୍ ଓ୍ଵାଟ୍ସନ୍-୨/୨୯, ଦୀପକ ଚହର-୧/୧୪, ଇମ୍ରାନ୍ ତାହିର୍-୧/୨୩)। ଚେନ୍ନାଇ ସୁପର୍ କିଙ୍ଗ୍ସ: ୧୯.୫ ଓଭରରେ ୧୬୯/୯ (ଡ୍ଵାନ ବ୍ରାଭୋ-୬୮, ଅମ୍ବାତି ରାୟୁଡୁ-୨୨, କେଦାର ଯାଦବ-୨୪*, ମୟଙ୍କ ମାର୍କଣ୍ଡ-୩/୨୩, ହାର୍ଦିକ ପାଣ୍ଡ୍ୟା-୩/୨୪, ଯଶପ୍ରୀତ ବୁମରା-୧/୩୭, ମୁସ୍ତାଫିଜୁର ରହମାନ୍-୧/୩୯, ମିଚେଲ୍ ମ୍ୟାକ୍ଲିନାଘନ୍-୧/୪୪)।