ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଂଜାବକୁ ୧୦ ୱିକେଟରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୯ ରନ୍ର ଲକ୍ଷ୍ୟକୁ ପିଛା କରି ୧୭.୪ ଓଭରରେ କୌଣସି ୱିକେଟ ନ ହରାଇ ୧୮୧ ରନ୍ କରି ମ୍ୟାଚକୁ ଜିତି ନେଇଛି ।
ପାଳି ପ୍ରଥମରୁ ହିଁ ଚେନ୍ନାଇର ଦୁଇ ଓପନରଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଚେନ୍ନାଇ ପକ୍ଷରୁ ସେନ୍ ୱାଟସନ ୫୩ ବଲରେ ୮୩ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ମାତ୍ର ୫୩ ବଲ୍ ଖେଳି ୮୭ ରନ୍ କରିଥିଲେ । ଫଳରେ ଚେନ୍ନାଇ କୌଣସି ୱିକେଟ ନ ହରାଇ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଅନ୍ୟପଟେ ପଞ୍ଜାବ ପକ୍ଷରୁ ୬ ଜଣ ବୋଲର ୧୭.୪ ଓଭର ବୋଲିଂ କରି ମଧ୍ୟ ପୂରା ପାଳିରେ ଗୋଟେ ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ୍ ଲଗାତାର ୩ଟି ମ୍ୟାଚରେ ପରାଜୟ ବରଣ କରିବା ପରେ ଏହି ମ୍ୟାଚକୁ ଜିତି ୪ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ।
India.com
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଂଜାବ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଂଜାବ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ଏଥିରେ ଅଧିନାୟକ କେ.ଏଲ୍. ରାହୁଲଙ୍କ ବ୍ୟାଟ୍ରୁ ୬୩ ରନ୍ ମିଳିଥିଲା। ରାହୁଲ ୫୨ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ ଦଳର ଚତୁର୍ଥ ଓ୍ଵିକେଟ୍ ଭାବେ ଆଉଟ୍ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୬୧ ରନ୍ କରିସାରିଥିଲେ। ସାର୍ଦ୍ଦୁଲ ଠାକୁରଙ୍କ ବଲରେ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍ ଦେଇ ରାହୁଲ ଆଉଟ୍ ହୋଇଥିଲେ।
ପଂଜାବ ଟିମ୍ ୨ୟ ଓ୍ଵିକେଟ୍ ଭାବେ ୯୪ ରନ୍ରେ ମନ୍ଦୀପ ସିଂହ (୨୭ ରନ୍, ୧୬ ବଲ୍, ୨ ଛକା)ଙ୍କୁ ହରାଇଥିଲା। ସେ ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅମ୍ବାତି ରାୟଡୁଙ୍କୁ କ୍ୟାଚ୍ ଦେଇଥିଲେ। ଓପନର ମୟଙ୍କ ଅଗ୍ରଓ୍ଵାଲ ୧୯ଟି ବଲ ଖେଳି ୨୬ ରନ୍ କରିଥିଲେ ଏବଂ ସେ ପ୍ରଥମ ଓ୍ଵିକେଟ୍ ଭାବେ ପାଭଲିଅନ ଫେରିଥିଲେ। ଚେନ୍ନାଇ ଟିମ୍ର ୩ୟ ଶିକାର ହୋଇଥିଲେ ନିକୋଲାସ ପୂରନ (୩୩ ରନ୍, ୧୭ ବଲ, ୧ ଚୌକା, ୩ ଛକା) । ପୂରନ ସାର୍ଦ୍ଦୁଲ ଠାକୁରଙ୍କ ବଲରେ ରବୀନ୍ଦ୍ର ଜାଦେଜାଙ୍କ ହାତକୁ କ୍ୟାଚ ଦେଇ ଆଉଟ୍ ହେବା ବେଳକୁ ପଂଜାବ ୧୫୨ ରନ୍ ସଂଗ୍ରହ କରିସାରିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ ୧୧ ରନ୍ ଓ ସରଫରାଜ ଖାନ ୧୪ ରନ୍ କରି ଅପରାଜିତ ରହିଥିଲେ।