ବେଙ୍ଗାଲୁରୁ: ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଥରେ ତା’ର ଚମକ ଦେଖାଇଛି। ଆଇପିଏଲ୍-୧୧ର ୨୪ତମ ମ୍ୟାଚ୍ରେ ୨୦୫ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ବୁଧବାର ଚେନ୍ନାଇ ୧୯.୪ ଓଭରରେ ୫ ଓ୍ଵିକେଟ୍ ବିନିୟମରେ ୨୦୭ ରନ୍ କରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବିଜୟ ଆଶା ମଉଳି ଯାଇଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୭୦* ରନ୍, ୩୪ ବଲ୍,୧ ଚୌକା, ୭ ଛକା) ଏବଂ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଅମ୍ବାତି ରାୟୁଡୁ ଚେନ୍ନାଇ ବିଜୟର ପ୍ରମୁଖ ସୂତ୍ରଧର ଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ରାୟୁଡୁ (୮୨ ରନ୍, ୫୩ ବଲ୍, ୩ ଚୌକା, ୮ ଛକା) ସର୍ବାଧିକ ରନ୍ ହାସଲକାରୀ ହୋଇ ଗୋଲାପୀ ଟୋପି ମଧ୍ୟ ହାସଲ କରିଥିଲେ।
ଚେନ୍ନାଇ ୫ ଓ୍ଵିକେଟ୍ରେ ଜିତି ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଫେରିଥିଲା। ସେପଟେ ଆରସିବି ଷଷ୍ଠ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଥିଲା।
ବୁଧବାର ଚେନ୍ନାଇ କିନ୍ତୁ ଆଶାଜନକ ଆରମ୍ଭ କରି ପାରି ନଥିଲ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସେନ୍ ଓ୍ଵାଟସନ୍ (୭), ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା (୧୧), ସାମ୍ ବିଲିଙ୍ଗ୍ସ (୯) ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୩) ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଏପରିକି ୭୪ ରନ୍ରେ ୪ ଓ୍ଵିକେଟ୍ ହରାଇ ଏହି ଦଳ ସଙ୍କଟରେ ପଡ଼ିଥିଲା। ହେଲେ ଧୋନି ଓ ରାୟୁଡୁଙ୍କ ମଧ୍ୟରେ ହୋଇଥିବା ୧୦୧ ରନ୍ର ଭାଗିଦାରି ଚେନ୍ନାଇକୁ ପୁଣି ଥରେ ମ୍ୟାଚ୍କୁ ଫେରାଇ ଆଣିଥିଲା। ଅଷ୍ଟାଦଶ ଓଭରରେ ଉମେଶ ଯାଦବ ଏକ ସୁନ୍ଦର ଥ୍ରୋରେ ରାୟୁଡୁଙ୍କୁ ରନ୍ ଆଉଟ୍ କରି ମ୍ୟାଚ୍ରେ କିଛିଟା ରୋମାଞ୍ଚ ଭରି ଦେଇଥିଲେ। ହେଲେ ଧୋନି େଓ୍ଵଷ୍ଟଇଣ୍ଡିଜ୍ ତାରକା ଡେ୍ଵନ୍ ବ୍ରାଭୋ (୧୪* ରନ୍, ୭ ବଲ୍, ୧ ଚୌକା, ୧ ଛକା)ଙ୍କୁ ସାଥୀ କରି ନିଜ ପ୍ରଶଂସକଙ୍କୁ ଆଉ ଏକ ବିଜୟ ଉପହାର ଦେଇଥିଲେ। ଚେନ୍ନାଇକୁ ଶେଷ ଓଭରରୁ ବିଜୟ ପାଇଁ ୧୬ ରନ୍ର ଦରକାର ଥିଲା। ବ୍ରାଭୋ ଚୌକା ଓ ଛକା ମାରି ଏହାକୁ ୪ବଲ୍ରୁ ୬ ରନ୍କୁ କମାଇ ଆଣିଥିଲେ। ସେ ତୃତୀୟ ବଲ୍ରେ ୧ ରନ୍ ନେଇ ଆରପଟକୁ ଚାଲିଯିବା ପରେ ଧୋନି ଏକ ଦର୍ଶନୀୟ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍ସିବି ପାଳିରେ ଦୁଇଟି ମେଡେନ୍ ଓଭର ଦେଖିବାକୁ ମିଳିଥିଲା। ତଥାପି ଏହି ଦଳ ୨୦୫/୮ର ବଡ଼ ସ୍କୋର କରି ନେଇଥିଲା। ଅଧିନାୟକ ବିରାଟ କୋହଲି ମାତ୍ର ୧୮ ରନ୍ (୧୫ ବଲ୍, ୩ ଚୌକା)ରେ ଆଉଟ୍ ହୋଇଯିବା ପରେ ଦୁଇ ଦକ୍ଷିଣ ଆଫ୍ରିକୀୟ ଏବି ଡିଭିଲିୟର୍ସ (୬୮ ରନ୍, ୩୦ ବଲ୍, ୨ ଛକା, ୮ ଚୌକା) ଏବଂ କ୍ୱିଣ୍ଟନ ଡି’ କକ୍ (୫୩ ରନ୍, ୩୭ ବଲ୍, ୧ ଚୌକା, ୪ ଛକା) ଦ୍ୱିତୀୟ ଓ୍ଵିକେଟ୍ରେ କରିଥିବା ଶତକୀୟ ଭାଗୀଦାରି ହିଁ ଏହାର ପ୍ରମୁଖ କାରଣ ଥିଲା। ଡେ୍ଵନ୍ ବ୍ରାଭୋ (୪-୧-୩୩-୨) ଡି’କକ୍ଙ୍କୁ ଚର୍ତୁଦଶ ଓଭରରେ ଏଲବିଡବ୍ଲ୍ୟୁ କରି ଏହି ଯୋଡ଼ି ଭାଙ୍ଗିବା ବେଳକୁ ଆରସିବି ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଇମ୍ରାନ୍ ତାହିର ପରବର୍ତୀ ଓଭରରେ ଡିଭିଲିୟର୍ସ ଏବଂ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରି ଆଣ୍ଡରସନ୍ (୨)ଙ୍କୁ ଆଉଟ୍ କରି ଆରସିବିକୁ ଏକାଥରକେ ଦୁଇଟି ଝଟ୍କା ଦେଇଥିଲେ।
ଡିଭିଲିୟର୍ସ କିନ୍ତୁ ଏହା ପୂର୍ବରୁ ସାର୍ଦୁଲ ଠାକୁରଙ୍କୁ ହ୍ୟାଟ୍ରିକ୍ ଛକା ମାରି ଅର୍ଧଶତକ ପୂରଣ କରିବା ସହ ଲିଗ୍ର ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ଗୋଲାପୀ ଟୋପି ହାସଲ କରି ନେଇଥିଲେ। ଚେନ୍ନାଇ ପାଳି ବେଳେ ଅବଶ୍ୟ ରାୟୁଡୁ ଏହାକୁ ତାଙ୍କଠାରୁ ଛଡ଼ାଇ ନେଇଥିଲେ। ୨୩ ବଲ୍ରୁ ଅର୍ଧଶତକ ପୂରଣ କରିଥିବା ଡି’ଭିଲିୟର୍ସ ଚଳିତ ଋତୁର ସବୁଠାରୁ ଲମ୍ବା ଛକା (୧୧୧ ମିଟର) ନିଜ ଦେଶର ବୋଲର ତାହିରଙ୍କୁ ମାରିଥିଲେ। ଯାହା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବହାରକୁ ଚାଲି ଯାଇଥିଲା। ସେହିଭଳି ନିୟମିତ ଓ୍ଵିକେଟ୍ ପତନ ଜାରି ରହିଥିଲେ ମଧ୍ୟ ମନଦୀପ ସିଂହ (୩୨ ରନ୍, ୧୭ ବଲ୍, ୧ ଚୌକା, ୩ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଆରସିବିର ରନ୍ ସଂଗ୍ରହ ହାର କମି ନଥିଲା। ଶେଷ ଓଭରରେ ପୁଣି ଥରେ ଦୁଇଟି ଓ୍ଵିକେଟ୍ ହରାଇଥିଲେ ମଧ୍ୟ ଓ୍ଵାସିଂଟନ ସୁନ୍ଦର (୧୩*ରନ୍, ୪ ବଲ୍, ୧ ଚୌକା, ୧ ଛକା)ଙ୍କ ସୁନ୍ଦର ବ୍ୟାଟିଂ ପାଇଁ ଦଳ ୨୦୦ ଟପି ଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ୨୦ ଓଭରରେ ୨୦୫/୮ (ଏବି ଡି’ଭିଲିୟର୍ସ-୬୮, କ୍ୱିଣ୍ଟନ୍ ଡି’କକ୍-୫୩, ମନଦୀପ୍ ସିଂହ-୩୨, ବିରାଟ କୋହଲି-୧୮, ଡ୍ଵାନ୍ ବ୍ରାଭୋ-୨/୩୩, ଇମ୍ରାନ୍ ତାହିର୍-୨/୩୫, ସାର୍ଦୁଲ ଠାକୁର୍-୨/୪୬)। ଚେନ୍ନାଇ ସୁପର୍ କିଙ୍ଗ୍ସ: ୧୯.୪ ଓଭରରେ ୨୦୭/୫ (ଅମ୍ବାତି ରାୟୁଡୁ-୮୨, ମହେନ୍ଦ୍ର ସିଂହ ଧୋନି-୭୦*, ଡ୍ଵାନ୍ ବ୍ରାଭୋ-୧୪*, ୟୁଜବେନ୍ଦ୍ର ଚହଲ୍-୨/୨୬, ଉମେଶ ଯାଦବ-୧/୨୩, ପବନ ନେଗି-୧/୩୬)।