ଚେନ୍ନାଇ ଚିତ୍‌:ଫାଇନାଲରେ ମୁମ୍ବାଇ

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସର ଅଭେଦ୍ୟ ଚେପକ ଦୁର୍ଗର ପତନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ଅନାୟାସରେ ଦଖଲ କରି ପ୍ରଥମ ଦଳ ଭାବେ ଆଇପିଏଲ୍-୧୨ର ଫାଇନାଲ ଟିକେଟ ହାସଲ କରି ନେଇଛି। ମଙ୍ଗଳବାରର ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ଦେଇଥିବା ୧୩୨ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ୯ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍‌ରେ ହାସଲ କରି ନେଇ ମୁମ୍ବାଇ ମଧ୍ୟ ଚତୁର୍ଥ ଟ୍ରଫି ଜିତିବା ଦିଗରେ ଅଗ୍ରସର ହୋଇଛି। ଏହି ଦଳ ପଞ୍ଚମ ଥର ପାଇଁ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ସେପଟେ ଚେପକର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ବିପକ୍ଷରେ ଚେନ୍ନାଇ ଲଗାତାର ଷଷ୍ଠ ପରାଜୟ ବରଣ କରିଛି। ତେବେ ଏହି ଦଳର ଅଭିଯାନ ଶେଷ ହୋଇ ନାହିଁ। ଚେନ୍ନାଇ ୬ ୱିକେଟ୍‌ରେ ପରାଜିତ ହୋଇଥିଲେ ମଧ୍ୟ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିବାରୁ ଫାଇନାଲ୍ ପ୍ରବେଶ ପାଇଁ ଏହି ଦଳ ଆଉ ଏକ ସୁଯୋଗ ପାଇବ। ବୁଧବାରର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟରର ମୁକାବିଲାର ବିଜେତା ଦଳକୁ ଦ୍ବିତୀୟ କ୍ବାଲିଫାୟରରେ ଭେଟିବ। ଏହି ମ୍ୟାଚ୍ ଗୁରୁବାର ଖେଳାଯିବ। ମେଗା ଫାଇନାଲ୍ ରବିବାର ଅନୁଷ୍ଠିତ ହେବ।
।ଚେପକରେ ସୂର୍ଯ୍ୟ ଚମକ
୧୩୨ ରନ୍‌ର ବିଜୟ ଲକ୍ଷ୍ୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେତେଟା କଷ୍ଟକର ହେବ ନାହିଁ ବୋଲି ଆଶା କରାଯାଉଥିଲା। ହେଲେ ଚେନ୍ନାଇ ବୋଲରଙ୍କ ଚମକ ପାଇଁ ମ୍ୟାଚ୍ ଊନ୍ନବିଂଶ ଓଭର ପର୍ଯ୍ୟନ୍ତ ଚାଲିଯାଇଥିଲା। ୨୧ ରନ୍‌ ଭିତରେ ଅଧିନାୟକ ରୋହିତ ଶର୍ମା (୪) ଓ ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍ (୮)ଙ୍କୁ ହରାଇଥିଲା ମୁମ୍ବାଇ। ସୂର୍ଯ୍ୟକୁମାର ଯାଦବ (୭୧* ରନ୍, ୫୪ ବଲ୍, ୧୦ ଚୌକା) ଓ ଈଶାନ କିଶନ (୨୮ ରନ୍, ୩୧ ବଲ୍, ୧ ଚୌକା, ୧ ଛକା) ତୃତୀୟ ୱିକେଟ୍‌ରେ ୮୦ ରନ୍ ଯୋଡ଼ି ମୁମ୍ବାଇକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଇମ୍ରାନ ତାହିର ଗୋଟିଏ ଓଭରରେ ଈଶାନ ଏବଂ କ୍ରୁନାଲ ପାଣ୍ଡ୍ୟା (୦)ଙ୍କୁ ଆଉଟ୍ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲେ। ଆଉ ଅଧିକ ରନ୍ ନଥିବାରୁ ମୁମ୍ବାଇ ଦେଢ଼ ଓଭର ପୂର୍ବରୁ ୪ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସୂର୍ଯ୍ୟକୁମାରଙ୍କ ସହ ହାର୍ଦିକ ପାଣ୍ଡ୍ୟା (୧୩* ରନ୍, ୧୧ ବଲ୍ ୧ ଚୌକା) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସୂର୍ଯ୍ୟକୁମାର ତାଙ୍କ ମ୍ୟାଚ୍ ବିଜୟୀ ଅର୍ଧଶତକ ପାଇଁ ଶ୍ରେଷ୍ଠ ଖେଳାଳି ବିବଚିତ ହୋଇଥିଲେ।
। ଧୋନି ଧୁରନ୍ଧରଙ୍କ ସ୍ପିନ୍ ସଂଘର୍ଷ
ଚେନ୍ନାଇ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ’ ପ୍ଲେସିସ୍ (୬) ଓ ସେନ୍ ୱାଟସନ୍ (୧୦)ଙ୍କ ସମେତ ତୃତୀୟ ସ୍ଥାନରେ ଖେଳିଥିବା ସୁରେଶ ରାଇନା ମାତ୍ର ୩୨ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଫଳରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏହି ନିଷ୍ପତ୍ତି ଚେପକ ପିଚ୍‌ରେ ଚେନ୍ନାଇ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। କେଦାର ଯାଦବଙ୍କ ସ୍ଥାନରେ ଖେଳିଥିବା ମୁରଲୀ ବିଜୟ (୨୬ ରନ୍, ୨୬ ବଲ୍, ୩ ଚୌକା) କିଛି ସମୟ ଲଢ଼ିଥିଲେ। ମୁମ୍ବାଇ ବୋଲରଙ୍କ ମାପଚୁପ ବୋଲିଂ ଆଗରେ କିନ୍ତୁ ହାର ମାନିଥିଲେ। ସେ ତ୍ରୟୋଦଶ ଓଭରରେ ଆଉଟ୍ ହେଲା ବେ‌ଳକୁ ଚେନ୍ନାଇ ୪ ୱିକେଟ୍ ବିନିମୟରେ ମାତ୍ର ୬୫ ରନ୍ କରିଥିଲା। ନିୟମିତ ୱିକେଟ୍ ପତନ ପାଇଁ ଚେନ୍ନାଇ ପାୱାର ପ୍ଲେ’ର ପ୍ରଥମ ୬ ଓଭରରେ ୩ ୱିକେଟ୍ ହରାଇ ମାତ୍ର ୫୦ ରନ୍ କରିଥିଲା। ସେହିଭଳି ୧୭.୧ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ଯାହା ଅଧିନାୟକ ‌ଧୋନି (୩୭* ରନ୍, ୨୯ ବଲ୍, ୩ ଛକା) ଓ ମଧ୍ୟକ୍ରମ ତାରକା ଅମ୍ବାତି ରାୟୁଡୁ (୪୨* ରନ୍, ୩୭ ବଲ୍, ୩ ଚୌକା‌, ୧ ଛକା)ଙ୍କ ପାଇଁ ସମ୍ଭବ ହୋଇଥିଲା। ଧୋନି-ରାୟୁଡୁ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୬୬ ରନ୍ ଯୋଡ଼ିବା ପରେ ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୩୧ ରନ୍ କରି ସମ୍ମାନ ରଖିଥିଲା। ଏହି ଦୁଇ ତାରକା ଆଉ ୱିକେଟ୍ ଖସିବାକୁ ଦେଇ ନଥିଲେ ମଧ୍ୟ ରନ୍ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲେ। ଯଶପ୍ରୀତ ବୁମରାଙ୍କ ଶେଷ ଓଭରର ପ୍ରଥମ ବଲ୍‌ରେ ଧୋନି ଆଉଟ୍ ହୋଇଥିଲେ। ହେଲେ ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ରିପ୍ଲେରୁ ଏହା ନୋ’ ବଲ୍ ଥିଲା ବୋଲି ଜଣାପଡ଼ିବାରୁ ବର୍ତି ଯାଇଥିଲେ। ତଥାପି ୨୦ତମ ଓଭରରୁ ଚେନ୍ନାଇ ମାତ୍ର ୯ ରନ୍ ଅମଳ କରିଥିଲା। ମୁମ୍ବାଇ ସ୍ପିନର ରାହୁଲ ଚହର ନିଜ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ଶାଣିତ ବୋଲିଂ ପାଇଁ ହିଁ ଚନ୍ନାଇ ମନ ମୁତାବକ ରନ୍ କରି ପାରି ନଥିଲା।
ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୩୧/୪ (ଅମ୍ବାତି ରାୟୁଡୁ ୪୨*, ମହେନ୍ଦ୍ର ସିଂହ ଧୋନି ୩୭*, ମୁରଲୀ ବିଜୟ ୨୬, ରାହୁଲ ଚହର ୨/୧୪, କ୍ରୁନାଲ ପାଣ୍ଡ୍ୟା ୧/୨୧, ଜୟନ୍ତ ଯାଦବ ୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୩ ଓଭରରେ ୧୩୨/୪ (ସୂର୍ଯ୍ୟ କୁମାର ଯାଦବ ୭୧*, ଈଶାନ କିଶନ ୨୮, ହାର୍ଦିକ ପାଣ୍ଡ୍ୟା ୧୩*, ଇମ୍ରାନ ତାହିର ୨/୩୩, ହରଭଜନ ସିଂହ ୧/୨୫, ଦୀପକ ଚହର ୧/୩୦)।

ସମ୍ବନ୍ଧିତ ଖବର