ଅହମଦାବାଦ : ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର କଥା ଏବେ ଚିନ୍ତା କରୁନାହାନ୍ତି। ତଥାପି ତାଙ୍କୁ ବିଦାୟୀ ଜଣାଇବାକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦର୍ଶକମାନେ ପ୍ରସ୍ତୁତ ହେଉଛନ୍ତି। ହେଲେ ଧୋନିଙ୍କ ପାଇଁ ହେବାକୁ ଯାଉଥିବା ଏହି ସ୍ମରଣୀୟ ଦିନକୁ ଫିକା କରିପାରନ୍ତି ଗୁଜରାଟ ଟାଇଟନ୍ସ ଓପ୍ନର ଶୁବମନ ଗିଲ୍। ବର୍ତ୍ତମାନ ଶୁବମନ ଯେଉଁ ଲୟରେ ଗତି କରୁଛନ୍ତି, ରବିବାର ଫାଇନାଲ୍ରେ ସିଏସ୍କେ ପାଇଁ ସେ ସତର୍କ ଘଣ୍ଟି ବଜାଇସାରିଲେଣି। ଏଭଳିସ୍ଥିତିରେ ଚତୁର ଧୋନି ଏହି କଣ୍ଟାକୁ ଏଡ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଥିବେ। ତେଣୁ ଗିଲ୍ଙ୍କ ବ୍ୟାଟିଂ ସମୟରେ ତାଙ୍କୁ ଧୋନି କିପରି ରୋକୁଛନ୍ତି ତାହା ଦର୍ଶକଙ୍କ ପାଇଁ ସବୁଠୁ ବଡ଼ ରୋମାଞ୍ଚ ହେବ।
ବ୍ୟାଟରଙ୍କ ଉପରେ ନଜର
ଶୁବମନ ଗିଲ୍ (ଗୁଜରାଟ)
ହାର୍ଦ୍ଦିକ ପାଣ୍ଡ୍ୟା (ଗୁଜରାଟ)
ଡେଭନ କନୱେ (ସିଏସ୍କେ)
ଋତୁରାଜ ଗାଏକ୍ବାର୍ଡ (ସିଏସ୍କେ)ବୋଲରଙ୍କ ଉପରେ ନଜର
ମହମ୍ମଦ ସାମି (ଗୁଜରାଟ)
ରସିଦ ଖାନ୍ (ଗୁଜରାଟ)
ମଥିସା ପଥିରଣା (ସିଏସ୍କେ)
ରବୀନ୍ଦ୍ର ଜାଦେଜା (ସିଏସ୍କେ)
୪ ଥରର ବିଜେତା ସିଏସ୍କେ ମୋଟେରାରେ ପଞ୍ଚମ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି। ଏହି ଟ୍ରଫି ଜିତି ଚେନ୍ନାଇ ଫ୍ରାଞ୍ଚାଇଜ୍ ଧୋନିଙ୍କ ପାଇଁ ବଡ଼ ବିଦାୟୀ ଉପହାର ଦେବାକୁ ଲକ୍ଷ୍ୟ ରଖିଛି। ମଜବୁତ୍ ପ୍ରାରମ୍ଭ ଦାୟିତ୍ବ ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେଙ୍କ ଉପରେ ରହିଥିବା ବେଳେ ମଧ୍ୟକ୍ରମରେ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ହେବ। ଚଳିତ ଆଇପିଏଲ୍ରେ ଆରମ୍ଭରୁ ଆହତ ଆଣ୍ଠୁ ସହ ପ୍ରତ୍ୟେକ ମ୍ୟାଚ୍ରେ ଖେଳୁଥିବା ଧୋନି ଯଦିଓ ପାଳି ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଛନ୍ତି, କିନ୍ତୁ ଯେତିକି ସମୟ ବ୍ୟାଟିଂ କରୁଛନ୍ତି, ଦର୍ଶକମାନେ ସେହି ସମୟକୁ ଅଧିକ ପସନ୍ଦ କରୁଛନ୍ତି। ଧୋନି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରୁନାହାନ୍ତି। ତଥାପି ସିଏସ୍କେ ବ୍ୟାଟିଂରେ ନିୟନ୍ତ୍ରଣ ଆଣିବାକୁ ପର୍ପଲ କ୍ୟାପ୍ ଦୌଡ଼ର ପ୍ରମୁଖ ତିନି ଦାବିଦାର ମହମ୍ମଦ ସାମି (୨୮), ରସିଦ ଖାନ୍ (୨୭) ଓ ମୋହିତ ଶର୍ମା (୨୪) ସବୁପ୍ରକାରର ଉଦ୍ୟମ କରିବେ।
ଉଭୟ ଦଳଙ୍କ ମଧ୍ୟରେ ହୋଇଥିବା ଶେଷ ୪ ମ୍ୟାଚ୍
ଚେନ୍ନାଇ ସୁପରକିଙ୍ଗ୍ସ ୧୫ ରନ୍ରେ ବିଜୟୀ (୨୩ ମେ, ୨୦୨୩)
ଗୁଜରାଟ ଟାଇଟନ୍ସ ୫ ୱିକେଟ୍ରେ ବିଜୟୀ (୩୧ ମାର୍ଚ୍ଚ, ୨୦୨୩)
ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ ବିଜୟୀ (୧୫ ମେ, ୨୦୨୨)
ଗୁଜରାଟ ଟାଇଟନ୍ସ ୩ ୱିକେଟ୍ରେ ବିଜୟୀ (୧୭ ଏପ୍ରିଲ୍, ୨୦୨୨)
ତାରକା ବିହୀନ ସିଏସ୍କେ ବୋଲିଂ କ୍ରମରେ ତୁଷାର ଦେଶପାଣ୍ଡେ, ଦୀପକ ଚହର, ମହେଶ ତୀକ୍ଷ୍ଣା, ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରଣାଙ୍କଠୁ ଧୋନି ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ସଫଳ ହୋଇଛନ୍ତି। ଯୁବ ବୋଲରଙ୍କ ଉପରେ ଧୋନିଙ୍କ ଭରସା ହିଁ ସିଏସ୍କେ ପାଇଁ ବଡ଼ ସମ୍ବଳ ହୋଇପାରିଛି। ତେଣୁ ଶୁବମନ ଗିଲ୍ଙ୍କୁ ରୋକିବା ପାଇଁ ଧୋନି କାହାକୁ ବ୍ୟବହାର କରିବେ ତାହା ଉପରେ ନଜର ରହିବ। ଗୁଜରାଟ ପାଇଁ ମଧ୍ୟକ୍ରମରେ ବିଜୟ ଶଙ୍କର, ରସିଦ ଖାନ୍ ଓ ରାହୁଲ ତିୱାତିଆ ଦ୍ରୁତ ରନ୍ ବାହାର କରୁଥିବାରୁ ଡେଥ୍ ଓଭରରେ ଧୋନିଙ୍କ ପାଖରେ ପଥିରଣା ଓ ଦେଶପାଣ୍ଡେ ବଡ଼ ବିକଳ୍ପ ରହିଛନ୍ତି। ତେଣୁ ପ୍ରାରମ୍ଭିକ ଓଭରଗୁଡ଼ିକରେ ରନ୍ ଗତି କମ୍ କରିବା ଦାୟିତ୍ବ ଦୀପକ ଚହରଙ୍କ ଉପରେ ଅଧିକ ରହିବ ଏବଂ ମଧ୍ୟମ ଓଭରଗୁଡ଼ିକରେ ଜାଦେଜା ଓ ତୀକ୍ଷ୍ଣାଙ୍କ ସହ ମୋଇନ୍ ଅଲ୍ଲୀ ଏହି ଦାୟିତ୍ବକୁ ଆଗେଇ ନେବେ। ତଥାପି କ୍ବାଲିଫାୟର-୧ରେ ପରାଜିତ ହୋଇଥିବା ଗୁଜରାଟ ନିଜ ଘରେ ଖେଳିବାକୁ ଯାଉଥିବା ଫାଇନାଲ୍ରେ ବିଜୟୀ ହୋଇ ଲଗାତାର ଦ୍ବିତୀୟ ଥର ଟ୍ରଫି ହାସଲ କରିବା ପାଇଁ ସବୁପ୍ରକାରର ଉଦ୍ୟମ କରିବ।
ସିଏସ୍କେ ସମ୍ଭାବ୍ୟ ଦ୍ବାଦଶ: ଋତୁରାଜ ଗାଏକ୍ବାଡ଼୍, ଡେଭନ୍ କନୱେ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ୍ ଅଲ୍ଲୀ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷ୍ଣା, ମଥିସା ପଥିରଣା।
ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ଦ୍ବାଦଶ: ରିଦ୍ଧିମାନ ଶାହ, ଶୁବମନ ଗିଲ୍, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ବିଜୟ ଶଙ୍କର, ରାହୁଲ ତିୱାତିଆ, ରସିଦ ଖାନ୍, ନୂର ଅହମ୍ମଦ, ମହମ୍ମଦ ସାମି, ମୋହିତ ଶର୍ମା, ଜୋସ୍ ଲିଟଲ/ ଦାସୁନ ଶଣକା।
/sambad/media/post_attachments/wp-content/uploads/2023/05/27hardik-dhoni-737x430.jpg)
ଫାଇନାଲ୍ ପୂର୍ବରୁ ବାଜିରେ ସଂଖ୍ୟା ଖେଳ
ଚଳିତ ଆଇପିଏଲ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଅଧିକ ସଫଳ ହୋଇଛନ୍ତି। ୭୩ ସମ୍ପୂର୍ଣ୍ଣ ହୋଇଥିବା ମ୍ୟାଚ୍ରୁ ୪୦ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ୩୨ ଥର ହାରିଛନ୍ତି। ଗୋଟିଏ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା।
ଅହମଦାବାଦରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଦ୍ୟାବଧି ଖେଳିଥିବା ସମସ୍ତ ୩ ମ୍ୟାଚ୍ ହାରିଛି। ଏହା ଏକମାତ୍ର ଭେନ୍ୟୁ ଯେଉଁଠି ସିଏସ୍କେ ଅନ୍ୟୁନ ୩ ମ୍ୟାଚ୍ ଖେଳି ବିଜୟ ଖାତା ଖୋଲି ପାରିନାହିଁ। ଏହି ଘରୋଇ ପଡ଼ିଆରେ ଟାଇଟନ୍ସ ୯ ମ୍ୟାଚ୍ ଖେଳି ୬ ଜିତିଛି।
ମହେନ୍ଦ୍ର ସିଂହ ଧୋନି ଏକାଦଶ ଥର ଫାଇନାଲ୍ ଖେଳିବେ। ଚେନ୍ନାଇ ପାଇଁ ୧୦ମ ଥର ଏବଂ ଥରେ ରାଇଜିଂ ପୁନେ ସୁପର୍ଜାଏଣ୍ଟ (୨୦୧୭) ପାଇଁ ଏହି ସଫଳତା ପାଇଥିଲେ।
ଶୁବମନ ଗିଲ୍ (୮୫୧) ଫାଇନାଲ୍ରେ ୧୨୩ ରନ୍ କରିପାରିଲେ ଗୋଟିଏ ଋତୁରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ବିରାଟ କୋହଲିଙ୍କୁ ଟପିଯିବେ।
ମହମ୍ମଦ ସାମି (୨୮), ରସିଦ୍ ଖାନ୍ (୨୭), ମୋହିତ ଶର୍ମା (୨୪) ଏବେ ଅଗ୍ରଣୀ ବୋଲର। ସାମି ଯଦି ଆଉ ୫ ୱିକେଟ୍ ନିଅନ୍ତି ତେବେ ଡ୍ବାନ ବ୍ରାଭୋ ଓ ହର୍ଷଲ ପଟେଲଙ୍କୁ ଅତିକ୍ରମ କରି ଗୋଟିଏ ଋତୁରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ହୋଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ipl-final.jpg)
/sambad/media/post_attachments/wp-content/uploads/2023/05/ipl-1-648x430.jpg)