ଆଇଏସ୍‌ଏଲ୍‌ରେ ଫାଇନାଲ: ଗୋଆକୁ ଚକ୍‌ମା ଦେଇ ଚେନ୍ନାୟିନ୍ ଫାଇନାଲ୍‌ରେ

ଗୋଆ: ପ୍ରଥମ ସେମିଫାଇନାଲରେ ଶକ୍ତିଶାଳୀ ଗୋଆ ଏଫ୍‌ସିକୁ ଚକ୍‌ମା ଦେଇ ୨ ଥର ବିଜେତା ଚେନ୍ନାୟିନ୍‌ ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ରେ ଫାଇନାଲରେ ପ୍ରବେଶ କରିଛି। ଗତ ସପ୍ତାହାନ୍ତରେ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଚରଣରେ ୪-୧ ଗୋଲ୍‌ରେ ବିଜୟୀ ଚେନ୍ନାୟିନ୍‌ ଏଫ୍‌ସିକୁ ଶନିବାର ଗୋଆ ଏଫ୍‌ସି ୪-୨ରେ ହରାଇ ପ୍ରତିଶୋଧ ନେଇଥିଲା। କିନ୍ତୁ ମୋଟ ଉପରେ ‌ଚେନ୍ନାୟିନ୍‌ ୬-୫ରେ ଆଗୁଆ ହୋଇ ଫାଇନାଲ୍ ଟିକେଟ୍ କବ୍‌ଜା କରି ନେଇଥିଲା। ଏଥି ସହ ସିଜନ୍‌ ସାରା ଚମତ୍କାର ଖେଳି ଲିଗ୍‌ ଶୀର୍ଷରେ ରହିଥିବା ଗୋଆ ଏଫ୍‌ସିକୁ ବିଦାୟ ରାସ୍ତା‌ ଦେଖା‌ଇଛି। ଶନିବାର ମ୍ୟାଚ୍‌ ପୂର୍ବରୁ ଗୋଆକୁ ଲିଗ୍‌ ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ଏହାର ଅଧିନାୟକ ମନ୍ଦରରାଓ‌ ଦେସାଇ ନିଜର ୧୦୦ତମ ଆଇଏସଏଲ୍‌ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ଶେଷରେ ଘରୋଇ ପରିବେଶରେ ତାଙ୍କ ଦଳ ମାତ୍ର ଗୋଟିଏ ଗୋଲ୍‌ ପଛରେ ପଡ଼ି ଫାଇନାଲ୍‌ରୁ ବଞ୍ଚିତ ରହିଥିଲା। ଚେନ୍ନାୟିନ୍‌ ଏଫ୍‌ସି ମାର୍ଚ୍ଚ ୧୪ ତାରିଖ ଫାଇନାଲ୍‌ରେ ବେଙ୍ଗାଲୁରୁ ଏଫ୍‌ସି କିମ୍ବା ଏଟିକେକୁ ଭେଟିବ।

ଶନିବାର ପ୍ରଥମାର୍ଧରେ ଗୋଆ ଏଫ୍‌ସି ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ କିନ୍ତୁ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍‌ ଦେଇ ସମାନ ସ୍ତରରେ ରହିଥିଲେ। ଗୋଆଁଙ୍କ ଆତ୍ମଘାତୀ ଗୋଲରେ ଗୋଆ ଆଗୁଆ ହୋଇଥିଲା। ଦ୍ବିତୀୟାର୍ଧରେ ଚେନ୍ନାୟିନ୍‌କୁ ବରାବର ସ୍ତରକୁ ଆଣିଥିଲେ ଚାଙ୍ଗତେ (୫୨ ମିନିଟ୍‌) ଏବଂ ଭଲକିସ୍ (୫୯)। ଗୋଆ ପାଇଁ ଅନ୍ୟ ୩ ଗୋଲ୍‌ ଦେଇଥିଲେ ଏମ୍‌ ଫଲ୍‌ (୨୧ ଏବଂ ୮୩ ମିନିଟ୍‌), ଏଡୁ ବେଦିଆ (୮୧ ମିନିଟ୍‌) ଗୋଲ୍‌ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲ୍‌ର ଦ୍ବିତୀୟ ଚରଣରେ ରବିବାର କୋଲ୍‌କାତାର ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ବେଙ୍ଗାଲୁରୁ ଏଫ୍‌ସି ସହିତ ଏଟିକେର ମୁକାବିଲା ହେବ। ପ୍ରଥମ ଚରଣରେ ବେଙ୍ଗାଲୁରୁ ମାତ୍ର ୧-୦ ଗୋଲ୍‌ରେ ଜିତିଥିବାରୁ ଏଟିକେ ପାଇଁ ସ‌ୁଯୋଗ ରହିଛି।

ସମ୍ବନ୍ଧିତ ଖବର