ଭୁବନେଶ୍ବର: ସୁପରକପ୍ ଫୁଟବଲ୍ ପ୍ରତିଯୋଗିତାର ସେମିଫାଇନାଲରେ ଚେନ୍ନାଇ ସିଟିକୁ ଗୋଆ ଏଫ୍ସି ଏବଂ ଏଟିକେକୁ ଚେନ୍ନାଇନ୍ ଏଫ୍ସି ଭେଟିବ। ସୋମବାରର ବିଶ୍ରାମ ପରେ ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଚେନ୍ନାଇ-ଗୋଆ ଏବଂ ବୁଧବାର ଦ୍ବିତୀୟରେ ଏଟିକେ-ଚେନ୍ନାଇନ୍ ମୁହାଁମୁହିଁ ହେବେ। ଫାଇନାଲ୍ ୧୩ ତାରିଖରେ ଖେଳାଯିବ। ଚେନ୍ନାଇ, ଗୋଆ ଓ ଏଟିକେ ପୂର୍ବରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ରବିବାର ଚେନ୍ନାଇନ୍ ୨-୧ ଗୋଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ପରାସ୍ତ କରି ଚତୁର୍ଥ ତଥା ଶେଷ ଦଳ ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରବିବାରର ଚତୁର୍ଥ କ୍ବାର୍ଟର ଫାଇନାଲରେ ଚେନ୍ନାଇ ପ୍ରଥମେ ନର୍ଥଇଷ୍ଟ ବକ୍ସରେ ପ୍ରବେଶ କରିଥିଲା। ପ୍ରଥମ ଗୋଲ୍ କିନ୍ତୁ ନର୍ଥଇଷ୍ଟ ୟୁନାଇଟେଡ୍ ଅର୍ଜନ କରି ନେଇଥିଲା। ଅଷ୍ଟମ ମିନିଟରେ ଚେନ୍ନାଇନ୍ ଗୋଲ୍ରକ୍ଷକ କରନଜିତ ସିଂହ ଚମତ୍କାର ଢଙ୍ଗରେ ବଲ୍କୁ ଗୋଲ୍ ପୋଷ୍ଟ ଭିତରକୁ ଯିବାକୁ ଦେଇ ନଥିଲେ। ନବମ ମିନିଟରେ ନର୍ଥଇଷ୍ଟ ପୁନଃ ଆକ୍ରମଣ କରିଥିଲା। ଯାହାକୁ ସେ ରୋକି ପାରି ନଥିଲେ। ନର୍ଥଇଷ୍ଟର ୧୪ ନମ୍ବର ଖେଳାଳି ରାଓଲିନ ବର୍ଜେସ୍ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ହେଲେ ଏହା ପରେ ଆକ୍ରମଣକୁ ତୀବ୍ରତର କରିଥିବା ଚେନ୍ନାଇନ୍ ୭ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍କୁ ଫେରିଥିଲା। ୩୩ ମିନିଟରେ ଅନିରୁଦ୍ଧ ଥାପାଙ୍କଠାରୁ ପାଇଥିବା ଉଚ୍ଚା ପାସ୍କୁ ହେଡରରେ ଗୋଲ୍ପୋଷ୍ଟ ଭିତରକୁ ପଠାଇ ଚେନ୍ନାଇ ଅଧିନାୟକ ସ୍ଥିତି ୧-୧ କରି ନେଇଥିଲେ। ୪୦ ମିନିଟରେ ଅନିରୁଦ୍ଧ ନିଜେ ଆଉ ଏକ ଗୋଲ୍ ଦେଇ ଚେନ୍ନାଇ ପଲ୍ଲା ଭାରି କରି ଦେଇଥିଲେ। ବଳକା ୫ ମିନିଟରେ ଉଭୟ ଦଳ ଗୋଲ୍ କରି ନପାରିବାରୁ ପ୍ରଥମାର୍ଧ ଚେନ୍ନାଇ ସପକ୍ଷରେ (୨-୧) ରହିଥିଲା। ଦ୍ବିତୀୟାର୍ଧରେ ନର୍ଥଇଷ୍ଟ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଚେନ୍ନାଇନ୍ ରକ୍ଷଣଭାଗକୁ ଭେଦ କରି ପାରି ନଥିଲା। ସେପଟେ ଚେନ୍ନାଇନ୍ ମଧ୍ୟ ଆଉ କୌଣସି ଗୋଲ୍ ଦେଇ ପାରି ନଥିଲା। ଫଳରେ ମ୍ୟାଚ୍ ସେହି ୨-୧ରେ ସମାପ୍ତ ହେବା ସହ ଚେନ୍ନାଇନ୍ ଶେଷ ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ଅନ୍ୟ ପକ୍ଷରେ ନର୍ଥଇଷ୍ଟ ଜୋରଦାର ଲଢ଼େଇ କରିଥିଲେ ମଧ୍ୟ ସୁଯୋଗକୁ ଗୋଲ୍ରେ ରୂପାନ୍ତର କରିବାରେ ପଛୁଆ ରହି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଥିଲା। ଅନିରୁଦ୍ଧ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେମିରେ ଚେନ୍ନାଇନ୍, ନର୍ଥଇଷ୍ଟ ୟୁନାଇଟେଡର ବିଦାୟ
/sambad/media/post_attachments/wp-content/uploads/2019/04/Untitled-4-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)