ସାରଜା: ହୃତ୍‌ସ୍ପନ୍ଦନ ଅଟକି ଯିବା ଭଳି ଉତ୍କଣ୍ଠା, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭରି ରହିଥିବା ଅପୂର୍ବ ‌ରୋମାଞ୍ଚ ଏବଂ ହଠାତ୍ ନାଟକୀୟ ମୋଡ଼ ନେଇଥିବା ଦ୍ବିତୀୟ କ୍ବାଲିଫାୟରରେ ଟେବୁଲ ଟପର ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟ୍‌ରେ ପରାସ୍ତ କରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ୬ ବର୍ଷର ବ୍ୟବଧାନ ପରେ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ଦିଲ୍ଲୀ ଦେଇଥିବା ୧୩୬ ରନ୍‌କୁ ପିଛା କରି କୋଲକାତା ଏକଦା ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ୧୨୩ ରନ୍ କରି ନେଇଥିଲା। ହେଲେ ଏହା ପରେ ଖେଳ ଅସାଧାରଣ ମୋଡ଼ ନେଇଥିଲା। ୭ ରନ୍ ଭିତରେ ୬ ୱିକେଟ୍ ନେଇ ଦିଲ୍ଲୀ ମ୍ୟାଚ୍‌କୁ ଫେରିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଶେଷ ଓଭରରେ ‌କୋଲକାତାକୁ ୭ ରନ୍‌ର ଦରକାର ଥିଲା। ଅଭିଜ୍ଞ ସ୍ପିନର ଆର ଅଶ୍ବିନ ଲଗାତାର ବଲ୍‌ରେ ସକିବ-ଅଲ୍-ହାସନ ଓ ସୁନିଲ ନରିନଙ୍କୁ ଆଉଟ୍ କରି ଦିଲ୍ଲୀ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ହେଲେ ଶେଷ ୨ ବଲ୍‌ରୁ ବିଜୟ ପାଇଁ ୬ ରନ୍‌ର ଦରକାର ଥିଲା ବେଳେ ରାହୁଲ ତ୍ରିପାଠୀ ତାଙ୍କ ପଞ୍ଚମ ତଥା ହ୍ୟାଟ୍ରିକ୍‌ ବଲ୍‌କୁ ଦର୍ଶନୀୟ ଛକା ମାରି ହିରୋ ପାଲଟି ଯାଇଥିଲେ। ଆଉ ଦିଲ୍ଲୀ ହାତରୁ ମ୍ୟାଚ୍ ଓ ଫାଇନାଲ୍ ଟିକେଟ ଛଡ଼ାଇ ନେଇଥିଲେ।

Advertisment

ଏଲିମିନେଟରରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କ୍ବାଲିଫାୟର-୨କୁ ଯାଇଥିବା କେକେଆର୍‌ ବୁଧବାର ରଚିଥିବା ଚକ୍ରବ୍ୟୂହରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ପୂରା ଫସି ଯାଇଥିଲେ। ଫଳରେ କେବଳ ୧୩୫/୫ ରନ୍ କରିପାରିଥିଲା। ତେବେ ବୋଲରଙ୍କ ବଢ଼ିଆ ଲଢ଼େଇ ସତ୍ତ୍ବେ ଦିଲ୍ଲୀ ଦୁଇଟି ଯାକ କ୍ବାଲିଫାୟର ହାରି ଦୁଃଖଦ ବିଦାୟ ନେଇଥିଲା। ଦିଲ୍ଲୀ ଏହା ପୂର୍ବରୁ ଅନୁଷ୍ଠିତ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରିଥିଲା। ଏବେ କୋଲକାତାଠାରୁ ହାରି ତୃତୀୟ ସ୍ଥାନରେ ତାର ଅଭିଯାନ ଶେଷ କରିଛି। ଫାଇନାଲକୁ ଯିବାର ଦୁଇଟି ସୁଯୋଗ ପାଇଥିଲେ ମଧ୍ୟ ଉଭୟକୁ ହାତଛଡ଼ା କରିଛି। ସେଥିପାଇଁ ଶୁକ୍ରବାରର ଟ୍ରଫି ଟକ୍କରରେ ଚେନ୍ନାଇ-କୋଲକାତା ମୁହାଁମୁହିଁ ହେବେ। ଚେନ୍ନାଇ ଚତୁର୍ଥ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ କୋଲକାତା ତୃତୀୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିବାକୁ ଚେଷ୍ଟା କରିବ। ଶେଷ ଥର ପାଇଁ କୋଲକାତା ୨୦୧୪ ଏବଂ ଚେନ୍ନାଇ ୨୦୧୯ରେ ଫାଇନାଲ୍ ଖେଳିଥିଲା।

ଆଜିର ଏହି ମହତ୍ବପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ ଦେଇଥିବା ୧୩୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତାର ଦୁଇ ଯୁବ ଓପନର ତାରକା ଶୁବମନ ଗିଲ୍ ଓ ଭେଙ୍କଟେଶ ଆୟର ପ୍ରଥମ ୱିକେଟ୍‌ରେ ୯୬ ରନ୍ ଯୋଡ଼ିଥିଲେ। ଏହି ଦୁଇ ଖେଳାଳି ପ୍ୟାଭିଲିୟନ ଫେରିବା ପରେ କିନ୍ତୁ କୋଲକାତା ପାଳି ହଠାତ୍ ଭୁଶୁଡ଼ିବା ଆରମ୍ଭ କରିଥିଲା। ଦୃଢ଼ ମୂଳଦୁଆ ପାଇଁ କୋଲକାତା ଏକତରଫା ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦିଲ୍ଲୀ ଶେଷ ଆଡ଼କୁ ଲଢ଼ିଥିଲା। କିନ୍ତୁ ବୋର୍ଡରେ କମ୍ ରନ୍ ଥିବାରୁ ବିଜୟୀ ହୋଇପାରିନଥିଲା।