ଚେନ୍ନାଇ : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ପ୍ରଥମ ମୁହାଁମୁହିଁରେ ୭ ୱିକେଟ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟୀ ହୋଇଥିଲା ବେଳେ ଶନିବାର ଦ୍ବିତୀୟ ଥର ପାଇଁ ଧୋନିଙ୍କ ଦଳ ୬ ୱିକେଟ୍‌ରେ ବିଜୟଲାଭ କରିଛି। ବିଶେଷକରି ଦୀପକ ଚହର, ତୁଷାର ଦେଶପାଣ୍ଡେ ଓ ମଥିସା ପଥିରାଣାଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ମୁମ୍ବାଇକୁ ପ୍ରଥମେ ୧୩୯/୮ରେ ରୋକି ଦେଇଥିଲା ଚେନ୍ନାଇ। ଜବାବରେ ୧୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୭.୪ ଓଭରରେ ହାସଲ କରିନେଇଥିଲା। ଏଥି ସହିତ ସିଏସ୍‌କେ ବିପକ୍ଷରେ ଚେପକ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ପ୍ରଥମ ଥର ପରାଜୟ ବରଣ କରିଛନ୍ତି। ପୁର୍ବରୁ ଉଭୟ ଦଳ ୭ ଥର ମୁହାଁମୁହିଁ ହୋଇଥିଲା ବେଳେ ‌ରୋହିତ (ଦିଲ୍ଲୀ କ୍ୟାପିଟାଲ୍ସ ପାଇ ୨, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୫) ସବୁ ମ୍ୟାଚ୍‌ ଜିତିଥିଲେ।

Advertisment

publive-image

ଧୋନି ଟସ୍‌ ଜିତି ରୋହିତଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦ୍ବିତୀୟ ଓଭରରେ କାମେରୁନ୍‌ ଗ୍ରିନ୍‌ଙ୍କୁ ଦେଶପାଣ୍ଡେ ଆଉଟ୍‌ କରିବା ପରେ ତୃତୀୟ ଓଭରରେ ଚହର ଚେନ୍ନାଇକୁ ଯୁଗଳ ସଫଳତା ଦେଇଥିଲେ। ଦ୍ବିତୀୟ ବଲ୍‌ରେ ଈଶାନ କିଶନ ଓ ପଞ୍ଚମ ବଲ୍‌ରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରି ମୁମ୍ବାଇକୁ ଚାପରେ ରଖିଥିଲେ। ଯାହାଫଳରେ ପାୱାରପ୍ଲେ ଭିତରେ ଦଳ କେବଳ ୩୪ ରନ୍‌ ଉଠାଇପାରିଥିଲା। ମୁମ୍ବାଇର ଏକମାତ୍ର ସଫଳ ବ୍ୟାଟର ନେହାଲ ୱାଧେରା ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଚତୁର୍ଥ ୱିକେଟ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ୫୫ ରନ୍‌ ଏବଂ ପଞ୍ଚମ ୱିକେଟ୍‌ରେ ତ୍ରିଷ୍ଟନ୍‌ ଷ୍ଟବ୍ସଙ୍କ ସହ ୫୪ ରନ୍‌ର ଭାଗୀଦାରି କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଋତୁରାଜ ଗାଏକ୍ବାଡ ଓ ଡେଭନ୍‌ କନୱେ ଆରମ୍ଭରୁ ଦ୍ରୁତ ଖେଳିଥିଲେ।

ଚତୁର୍ଥ ଓଭର ଶେଷ ସୁଦ୍ଧା ଦଳ ୪୫ ରନ୍‌ ସଂଗ୍ରହ କରିବା ପରେ ଗାଏକ୍ବାଡ ଆଉଟ୍‌ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ଓ ଅମ୍ବାତି ରାୟୁଡୁ ବଡ଼ ରନ୍‌ ଯଦିଓ କରିପାରିନଥିଲେ, କିନ୍ତୁ କନୱେଙ୍କୁ ଆବଶ୍ୟକ ସହାୟତା ଯୋଗ‌ାଇଦେଇଥିଲେ। ଚତୁର୍ଥ ୱିକେଟ୍‌ରେ କନୱେ-ଶିବମଙ୍କ ଯୋଡ଼ି ଦଳକୁ ବିଜୟ ନିକଟତର କରାଇଥିଲେ। କନୱେଙ୍କ ୱିକେଟ୍‌ ଯିବା ପରେ ଧୋନି ପିଚ୍‌କୁ ଆସିବା ସହ ବିଜୟୀ ସଟ୍‌ ମାରି ଦଳକୁ ପଏଣ୍ଟ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ପହଞ୍ଚାଇଥିଲେ। ପଥିରାଣା ସୁବୁଠୁ କଞ୍ଜୁସ ବୋଲିଂ (୩.୭୫) କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏପରିକି ଷ୍ଟ୍ରାଇକ୍‌ ବୋଲର ତୁଷାର ଦେଶପାଣ୍ଡେ ୨ଟି ୱିକେଟ୍‌ ନେବା ପରେ ମୋଟ୍‌ ୧୯ ୱିକେଟ୍‌ ସହ ଶୀର୍ଷରେ ରହି ପର୍ପଲ କ୍ୟାପ୍‌ ପିନ୍ଧିଛନ୍ତି।

publive-image