ନୂଆଦିଲ୍ଲୀ: କାବେରୀ ଜଳ ବଣ୍ଟନ ବିବାଦ ନେଇ ଚେନ୍ନାଇରେ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚ୍କୁ ତାମିଲନାଡୁର ଅନେକ ସାମାଜିକ ସଂଗଠନ ବିରୋଧ କରୁଛନ୍ତି। ଏଥିନେଇ ସେମାନେ ଚେନ୍ନାଇରେ ବ୍ୟାପକ ବିକ୍ଷୋଭ ଏବଂ ବିରୋଧ ପ୍ରଦର୍ଶନ ଜାରି ରଖିିଛନ୍ତି। ଏପରିକି ମଙ୍ଗଳବାର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ବେଳେ ଚପଲ ଫିଙ୍ଗିବା ଭଳି ଦୁର୍ବାଗ୍ୟଜନକ ଘଟଣା ଘଟିଥିଲା। ଚେପକ ବାହାରେ ମଧ୍ୟ ଉଗ୍ର ବିରୋଧ ପ୍ରଦର୍ଶନ କରୁଥିବା ପାଖାପାଖି ୩୫୦ ଲୋକଙ୍କୁ ପୁଲିସ ଗିରଫ କରିଥିଲା। ଏଣୁ ବିସିସିଆଇ ବାଧ୍ୟ ହୋଇ ଚେନ୍ନାଇର ସମସ୍ତ ବଳକା ଘରୋଇ ମ୍ୟାଚ୍କୁ ପୁନେକୁ ସ୍ଥାନାନ୍ତର କରିଛି। ଫଳରେ ଦୁଇ ବର୍ଷ ପରେ ଆଇପିଏଲ୍କୁ ଫେରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ବର୍ଷ ଘରୋଇ ପରିବେଶରେ ଆଉ କୌଣସି ମ୍ୟାଚ୍ ଖେଳିବ ନାହିଁ ବୋଲି ବୁଧବାର ସ୍ପଷ୍ଟ ହୋଇଛି। ୨୦୧୪ରେ ମଧ୍ୟ ସୁପରକିଙ୍ଗ୍ସ ଦଳର ଚାରିଟି ମ୍ୟାଚ୍ ରାଞ୍ଚିକୁ ସ୍ଥାନାନ୍ତର ହୋଇଥିଲା। ତାମିଲନାଡୁ କ୍ରିକେଟ୍ ସଂଘ ସହ ଚେନ୍ନାଇ ମହାନଗର ନିଗମ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା।
ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥନ୍ ବୁଧବାର ସ୍ଥାନୀୟ ପୁଲିସ୍ କମିଶନରଙ୍କ ସହ ଆଲୋଚନା କରି ଏଠାରେ ଆଇପିଏଲ୍ ମ୍ୟାଚ୍ ସୂଚୀରେ ପରିବର୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। ପରିସ୍ଥିତି ସଂପର୍କରେ ମଧ୍ୟ କାଶୀ ବିଶ୍ୱନାଥନ୍ ଭାରତୀୟ କ୍ରିକେଟ୍ ବୋର୍ଡକୁ ଅବଗତ କରାଇବା ସହିତ ପରବର୍ତୀ ସୂଚନାକୁ ଅପେକ୍ଷା କରିଥିଲେ। ଏପରିକି ଆସନ୍ତା ୨୦ ତାରିଖରେ ସୁପର କିଙ୍ଗ୍ସ ତା’ର ପରବର୍ତୀ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ସହ ଖେଳାଯିବାକୁ ଥିଲା ବେଳେ ଚେନ୍ନାଇରେ ସେହି ମ୍ୟାଚ୍ର ଟିକେଟ ବିକ୍ରିକୁ ସ୍ଥଗିତ ରଖାଯାଇଥିଲା। ହେଲେ ବୁଧବାର ରାତିରେ ବିସିସିଆଇ ଚେନ୍ନାଇ ମ୍ୟାଚ୍ ପୁନେକୁ ସ୍ଥାନାନ୍ତର ହେଲା ବୋଲି ଘୋଷଣା କରଥିଲା। ଚେନ୍ନାଇ ମ୍ୟାଚ୍ଗୁଡ଼ିକ ଆୟୋଜନ ଦୌଡ଼ରେ ଚାରିଟି ସହର ବିଶାଖାପାଟଣା, ତ୍ରିଭେନ୍ଦ୍ରମ୍, ପୁନେ ଓ ରାଜ୍କୋଟ ଥିଲେ।। ବିସିସିଆଇ ଶେଷରେ ପୁନେ ସପକ୍ଷରେ ନିଷ୍ପତ୍ତି ନେଇଛି। ସେଥିପାଇଁ ଚେନ୍ନାଇ କ୍ଷତି ପୁନେ ପାଇଁ ଲାଭ ହୋଇଛି। ଚେନ୍ନାଇର ପୂର୍ବରୁ ପୁନେରେ ଖେଳିବାର ଅଭିଜ୍ଞତା ଥିବାରୁ ବିସିସିଆଇ ଏହି ସହରକୁ ବାଛିଥିବା ଜଣାପଡ଼ିଛି।