ଚେନ୍ନାଇ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାରେ ଚେନ୍ନାଇ ପୁଣି ଥରେ ବାଜି ମାରି ନେଇଛି। ମୁମ୍ବାଇକୁ ୪ ୱିକେଟ୍ରେ ହରାଇ ଆତ୍ମବିଶ୍ବାସର ସହ ତା’ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ଚିରାଚରିତ ଭାବେ ନିଜ ପ୍ରଥମ ମ୍ୟାଚ୍ ହାରିଛି। ଏହି ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚଳିତ ଆଇପିଏଲ୍ର ପ୍ରଥମ ଲଢ଼େଇରେ ମୁମ୍ବାଇ ମାତ୍ର ୧୫୬ ରନ୍ର ବିଜୟ ଲକ୍ଷ୍ୟ ଦେବା ଚେନ୍ନାଇ କାମକୁ ଅତି ସହଜ କରି ଦେଇଥିଲା। ରାହୁଲ ତ୍ରିପାଠୀ (୨), ଶିବମ ଦୁବେ (୯), ଦୀପକ ହୁଡା (୩) ଓ ସାମ୍ କରନ (୩)ଙ୍କୁ ଏକ ଅଙ୍କ ଆଗକୁ ବଢ଼ିବାକୁ ନଦେଇ ଅବଶ୍ୟ ମୁମ୍ବାଇ ବୋଲର ମ୍ୟାଚ୍ରେ କିଛିଟା ରୋମାଞ୍ଚ ଭରିଥିଲେ। ତେବେ ବିଜୟ ଲକ୍ଷ୍ୟ ଛୋଟ ଥିବାରୁ ରାଚିନ ରବୀନ୍ଦ୍ର (୬୫*) ଓ ଅଧିନାୟକ ଋତୁରାଜ ଗାଏକ୍ବାଡ୍ (୫୩)ଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୫ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ତା’ ସହିତ ୨୦୧୩ ମସିହା ପରଠାରୁ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ ହାରିବା ଧାରା ବି ଆହୁରି ଲମ୍ବିତ ଯାଇଥିଲା। ଏହି ପ୍ରତୀକ୍ଷିତ ମୁକାବିଲା ରୋମାଞ୍ଚହୀନ ରହିବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଇମ୍ପାକ୍ଟ ପ୍ଲେୟାର୍ ଭାବେ ଖେଳିଥିବା ମୁମ୍ବାଇର ବାମହାତୀ ସ୍ପିନର ବିଘ୍ନେଶ ପୁଥୁର ୩ ୱିକେଟ୍ ନେଇ ନିଜ ପଦାର୍ପଣକୁ କିନ୍ତୁ ସ୍ମରଣୀୟ କରିଥିଲେ।
ଚେନ୍ନାଇର ଟସ୍ ଜିତି ଫିଲ୍ଡିଂ କରିବା ନିଷ୍ପତ୍ତିର ଯଥାର୍ଥ ସମ୍ମାନ ଏହି ଦଳର ବୋଲର ରଖିଥିଲେ। ପାୱାର ପ୍ଲେ’ ଭିତରେ ମୁମ୍ବାଇର ତିନି ତାରକା ରୋହିତ ଶର୍ମା (୦), ରିୟାନ ରିକେଲଟନ୍ (୧୩) ଓ ୱିଲ୍ ଜ୍ୟାକ୍ସ (୧୧)ଙ୍କୁ ଆଉଟ୍ କରି ରନ୍ ହାରରେ ଆବଶ୍ୟକ ଅଙ୍କୁଶ ଲଗାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ୟାଦବ (୨୯) ଓ ତିଳକ ବର୍ମା (୩୧) ଲଢ଼ିଥିଲେ ମଧ୍ୟ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ମୁମ୍ବାଇ ଭଳି ଦଳରୁ ଖେଳିବାର ସୁଯୋଗ ପାଇଥିବା ଝାଡ଼ଖଣ୍ଡର ପାୱାର ହିଟର୍ ରବିନ ମିଞ୍ଜ୍ (୩) ମଧ୍ୟ ଏହାକୁ ବେକାର ଯିବାକୁ ଦେଇଥିଲେ। ଚେନ୍ନାଇର ଆଫଗାନ ସ୍ପିନର୍ ନୂର ଅହମ୍ମଦ (୪/୧୮) କିନ୍ତୁ ମୁମ୍ବାଇର ସର୍ବାଧିକ କ୍ଷତି ଘଟାଇଥିଲେ। ଖଲିଲ ଅହମ୍ମଦ (୩/୨୯) ଓ ନୂର ୭ ୱିକେଟ୍ ବାଣ୍ଟିନେବା ପରେ ମୁମ୍ବାଇ ୧୨୮ ରନ୍ରେ ୮ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏଭଳି ଦୟନୀୟ ସ୍ଥିତିରେ ଦ୍ରୁତ ବୋଲର ଦୀପକ ଚହର ମାତ୍ର ୧୫ ବଲ୍ରୁ ୨୮* ରନ୍ ଅମଳ କରିବା ପରେ ମୁମ୍ବାଇ କଷ୍ଟେମଷ୍ଟେ ଦେଢ଼ ଶହ ରନ୍ ଟପି କିଛି ସମ୍ମାନ ସାଉଣ୍ଟିଥିଲା।
ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ୨୦ ଓଭରରେ ୧୫୫/୯ (ତିଳକ ବର୍ମା ୩୧, ସୂର୍ଯ୍ୟକୁମାର ୟାଦବ ୨୯, ଦୀପକ ଚହର ୨୮*, ନୂର ଅହମ୍ମଦ ୪/୧୮, ଖଲିଲ ଅହମଦ ୩/୨୯)। ଚେନ୍ନାଇ ୧୯.୧ ଓଭରରେ ୧୫୮/୬ (ରାଚିନ ରବୀନ୍ଦ୍ର ୬୫*, ଋତୁରାଜ ଗାଏକ୍ବାଡ୍ ୫୩, ରବୀନ୍ଦ୍ର ଜଡ଼େଜା ୧୭, ବିଘ୍ନେଶ ପୁଥୁର ୩/୩୨, ଦୀପକ ହଜର ୧/୧୮)।