ସ୍ପିନ୍‌ ଜାଲରେ ଫସିଲା ବାଙ୍ଗାଲୋର୍, ଚେନ୍ନାଇର ଚମତ୍କାର ଆରମ୍ଭ

ଚେନ୍ନାଇ: ଆଇପିଏଲ୍ ଦ୍ବାଦଶ ସଂସ୍କରଣରେ ଗତ ବର୍ଷର ବିଜେତା ଦଳ ଚେନ୍ନାଇ ସୁପର୍ କିଙ୍ଗସ ଚମତ୍କାର ଆରମ୍ଭ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍‌ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍‌ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ। ସ୍ପିନରଙ୍କ କମାଲ ପରେ ଅମ୍ବାତି ରାୟୁଡୁଙ୍କ ‌ଧୈର୍ଯ୍ୟପୂର୍ଣ୍ଣ ୨୮ ରନ୍ ସହିତ ଚେନ୍ନାଇ କିନ୍ତୁ ପ୍ରଭାବହୀନ ବିଜୟ ହାସଲ କରିଥିଲା। ୧୮ତମ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଚେପକ୍‌ର ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ବି ଚେନ୍ନାଇ ଜିତିଥିଲା। ବିରାଟ କୋହଲି ଏବଂ ପାର୍ଥିବ ପଟେଲ୍ ସତର୍କତାର ସହ ପାଳି ଆରମ୍ଭ କରିବାକୁ‌ ଚେଷ୍ଟା କରିଥିଲେ। ପାଳିର ଚତୁର୍ଥ ଓଭରରେ ବୋଲିଂ କରିବାକୁ ଆସିଥିବା ଅଭିଜ୍ଞ ଅଫ୍‌ସ୍ପିନର ହରଭଜନ ସିଂହ ହିଁ ହଲାବୋଲ୍ଲା ରଚିଥିଲେ। ବିରାଟ‌ କୋହଲି (୬, ୧୨ ବଲ) ରବୀନ୍ଦ୍ର ଜାଦେଜାଙ୍କ ହାତରେ ଡିପ୍ ମିଡ୍‌ୱିକେଟ୍‌ରେ ଧରାପଡ଼ିଥିଲେ। ନିଜର ପରବର୍ତୀ ୨ ଓଭରରେ ମଧ୍ୟ ଭଜି ଆଉ ଦୁଇ ୱିକେଟ୍ ନେଇଥିଲେ। ଏଥର ଶିକାର ହୋଇଥିଲେ ଇଂଲଣ୍ଡ ଅଲରାଉଣ୍ଡର୍ ମୋଇନ୍ ଅଲୀ (୯) ଏବଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ ଏବି ଡି’ଭିଲିୟର୍ସ (୯)। ୱେଷ୍ଟଇଣ୍ଡିଜ୍ ତାରକା ସିମରନ୍‌ ହେଟମେୟର (୦) ଖାତା ଖୋଲିବା ପୂର୍ବରୁ ନିଜକୁ ରନ୍‌ ଆଉଟ କରାଇବାର ଖଳ ନାୟକ ସାଜିଥିଲେ। ଗୋଟିଏ ପାର୍ଶ୍ବରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପାର୍ଥିବ ପଟେଲ୍ ଜଗି ରହିଥିବା ବେଳେ ଆରପଟେ ୱିକେଟ୍ ପତନ ଧାରା ଜାରି ରହିଥିଲା। ପାର୍ଥିବଙ୍କ ବିନା ଆଉ କେହି ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। ଶେଷ ବ୍ୟାଟସମ୍ୟାନ୍‌ ଭାବେ ପାର୍ଥିବ (୨୯, ୩୫ ବଲ, ୨ ଚୌକା) ବ୍ରାଭୋଙ୍କ ଏକମାତ୍ର ବଲରେ ଶିକାର ହୋଇଥିଲେ। ଭଜିଙ୍କ ସହ ତାଳ ଦେଇ ଦଳର ଅନ୍ୟ ୨ ସ୍ପିନର୍‌ ଦକ୍ଷିଣ ଆଫ୍ରିକୀୟ ଲେଗି ଇମ୍ରାନ୍ ତାହିର (୪-୧-୯-୩) ଏବଂ ଭାରତୀୟ ବାମହାତୀ ରବୀନ୍ଦ୍ର ଜାଦେଜା (୪-୧-୧୫-୨) ବି ୱିକେଟ ଭାଗ ପକାଇଥିଲେ। ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିବା ହରଭଜନ ୪-୦-୨୦-୩ ବୋଲିଂ ଚିତ୍ର ପାଇଥିଲେ। ୧୭ ବଲ୍ ପୂର୍ବରୁ ହିଁ କୋହଲି ଦଳ ୭୦ ରନ୍‌ରେ ସୀମିତ ହୋଇଯାଇଥିଲା। ବିସ୍ଫୋରକ ଦଳ ଭାବେ ଖ୍ୟାତି ରଖିଥିବା ଆରସିବି ମାତ୍ର ୪ ଥର ସୀମାରେଖା ବାହାରକୁ ବଲ୍ ପଠାଇପାରିଥିଲା। ଏହା ମଧ୍ୟରେ ୩ ଚୌକା ଏବଂ‌ ଗୋଟିଏ ଛକା ସାମିଲ ଥିଲା।

ଜବାବରେ ଚେନ୍ନାଇ ମଧ୍ୟ ପ୍ରତିଟି ରନ୍‌ ପାଇଁ ରଣଭୂମୀରେ ଲଢ଼ିଥିଲା। ୭୦ ରନ୍ ବିଜୟ ଲକ୍ଷ୍ୟ ହାସଲ କରିବାକୁ ୧୮ ଓଭର ଖେଳିଥିଲା। ସେନ୍ ୱାଟସନ୍‌ ୧୦ ବଲ୍‌ ଖେଳିଥିଲେ ମଧ୍ୟ ଖାତା ଖୋଲିବା ପୂର୍ବରୁ ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ସୁରେଶ ରାଇନା (୧୯, ୨୧ ବଲ, ୩ ଚୌକା) ଏବଂ ଅମ୍ବାତି ରାୟୁଡୁ (୨୮, ୪୨ ବଲ, ୨‌ ଚୌକା, ୧ ଛକା) ବେଶ ଧୈର୍ଯ୍ୟର ସହ ଏହି ମନ୍ଥର ପିଚ୍‌ରେ ବ୍ୟାଟିଂ କରିଥିଲେ। ରବୀନ୍ଦ୍ର ଜାଦେଜା ଏବଂ କେଦାର ଯାଦବ ମ୍ୟାଚ୍‌ ଶେଷ କରିଥିଲେ। ୟୁଜବେନ୍ଦ୍ର ଚହଲ ପ୍ରଶଂସନୀୟ ବୋଲିଂ ଚିତ୍ର (୪-୧-୬-୧) ପାଇଥିଲେ। ଚେପକ୍‌ର ୫୦ତମ ଆଇପିଏଲ୍ ମ୍ୟାଚ୍‌ରେ ୩ ଥର ବିଜେତା ଘରୋଇ ଦଳ ବି ନୂଆ ଋତୁକୁ ବିଜୟରୁ ଆରମ୍ଭ କରିନେଲା। ହରଭଜନ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଗଲେ। ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୭.୧ ଓଭରରେ ୭୦ (ପାର୍ଥିବ ପଟେଲ୍‌-୨୯, ଇମ୍ରାନ ତାହିର-୩/୧୬, ହରଭଜନ ସିଂହ-୩/୨୦, ରବୀନ୍ଦ୍ର ଜାଦେଜା-୨/୧୫)। ଚେନ୍ନାଇ ସୁପର୍ କିଙ୍ଗ୍ସ ୧୭.୪ ଓଭରରେ ୭୧/୩ (ଅମ୍ବାତି ରାୟୁଡୁ-୨୮, ସୁରେଶ ରାଇନା-୧୯, କେଦାର ଯାଦବ-୧୩*, ରବୀନ୍ଦ୍ର ଜାଦେଜା-୬*, ମହମ୍ମଦ ସିରାଜ-୧/୫, ୟୁଜବେନ୍ଦ୍ର ଚହଲ-୧/୬, ମୋଇନ୍ ଅଲୀ-୧/୧୯)।

୫୦୦୦ ରନ୍‌ରେ ରାଇନା ପ୍ରଥମ
ଚେନ୍ନାଇ ସୁପର୍ କିଙ୍ଗ୍ସର ବାମହାତୀ ଭାରତୀୟ ବ୍ୟାଟସମ୍ୟାନ୍‌ ସୁରେଶ ରାଇନା ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ ଇତିହାସରେ ୫,୦୦୦ ରନ୍ ପୂରଣ କରିଛନ୍ତି। ଶନିବାର ମ୍ୟାଚ୍ ପୂର୍ବରୁ ମାତ୍ର ୧୫ ରନ୍ ଆବଶ୍ୟକ କରୁଥିବା ଏହି ଉତ୍ତରପ୍ରଦେଶ ଖେଳାଳି ମୋଇନ୍ ଅଲୀଙ୍କ ବୋଲିଂରେ ସେ ଲଙ୍ଗ ଅନ୍‌ରେ ଶିଭମ ଦୁବେଙ୍କ ହାତରେ ଧରାପଡ଼ିବା ବେଳକୁ ୨୧ ବଲରୁ ୧୯ ରନ୍ କରିଥିଲେ। ଆଇପିଏଲ୍ ଇତିହାସରେ ୧୭୭ ମ୍ୟାଚ୍‌ ଖେଳି ରାଇନା ୧ ଶତକ ଏବଂ ୩୫ ଅର୍ଧଶତକ ବଳରେ ୫,୦୦୨ ରନ୍ କରିଛନ୍ତି। ଏକମାତ୍ର ଶତକ ସେ ପଞ୍ଜାବ ବିପକ୍ଷରେ ୨୦୧୩ରେ ହାସଲ କରିଥିଲେ। ୩ ଥର ସେ‌ ଗୋଟିଏ ସଂସ୍କରଣରେ ୫୦୦ ରନ୍ ଅତିକ୍ରମ କରିଥିଲେ। ଚେନ୍ନାଇ ନିଲମ୍ବିତ ଥିବା ଅବସ୍ଥାରେ ସେ ୨୦୧୬ ଏବଂ ୨୦୧୭ ମସିହା ପାଇଁ ଗୁଜରାଟ ଲାୟନ୍ସ ପାଇଁ ‌ଖେଳିଥିଲେ।

ସହିଦଙ୍କୁ ଉଦ୍‌ଘାଟନୀ ଉତ୍ସବ ଅଟକଳ ଅର୍ଥ
ଚେନ୍ନାଇ: ପ୍ରତିବର୍ଷ ଭଳି ଏଥର କିନ୍ତୁ ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବ କରାଗଲା ନାହିଁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟଙ୍କ ମାନସିକତାକୁ ଦୃଷ୍ଟିରେ ରଖି ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରିଦେଇଥିଲା ବିସିସିଆଇ। ଏଥିଲାଗି ଥିବା ବ୍ୟୟ ଅଟକଳ ୨୦ କୋଟି ଟଙ୍କାକୁ ମଧ୍ୟ ବୋର୍ଡ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ)‌ ସହିଦ ସେନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛି। ସର୍ବସମ୍ମତିକ୍ରମେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ୨୦ କୋଟି ମଧ୍ୟରୁ ୧୧ କୋଟି ଭାରତୀୟ ପଦାଦିକ ବାହିନୀକୁ, ୭ କୋଟି ସିଆରପିଏଫକୁ ଏବଂ‌ ୧ କୋଟି ଲେଖାଏଁ ନୌସେନା ଓ ବାୟୁସେନାକୁ ପ୍ରଦାନ କରାଯାଇଛି। ଜାତୀୟ ସ୍ବାର୍ଥ ସବୁଠୁ ଊର୍ଧ୍ବରେ ବୋଲି ଶନିବାର ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ବିସିସିଆଇ କାମଚଳା ସଭାପତି ସିକେ ଖାନ୍ନା, ସିଓଏ ଅଧ୍ୟକ୍ଷ ବିନୋଦ ରାଏ, ସଦସ୍ୟ ଲ୍ୟୁଟେନାଣ୍ଟ୍ ଜେନେରାଲ ରବୀନ୍ଦ୍ର ଥଗଡେ ଏବଂ ସଦସ୍ୟା ଡାଏନା ଏଦୁଲଜୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର