ଏବେ ବି ଚାଲିଛି ଉପହାର ବର୍ଷା: ନୀରଜଙ୍କୁ କୋଟିଏ ଟଙ୍କା ସହ ଏହି ସ୍ବତନ୍ତ୍ର ଉପହାର ଦେଲା ଧୋନିଙ୍କ ଟିମ୍

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ବା କିଏ ନ ଜାଣିଛି । ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ରାତାରାତି ଭାରତର ସୁନା ପୁଅ ପାଲଟିଯାଇଥିଲେ । ନୀରଜଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା, ଉପହାରର ବର୍ଷା ମଧ୍ୟ ହୋଇଥିଲା, ଯାହା ଏବେ ବି ଜାରି ରହିଥିବା ଦେଖିବାକୁ ମିଳିଛି । ପୂର୍ବ ଘୋଷଣା ଅନୁଯାୟୀ, ଏବେ ନୀରଜଙ୍କୁ ଏକ କୋଟି ଟଙ୍କା ଦେଇଛି ଧୋନିଙ୍କ ଟିମ୍ । ଚଳିତ ଆଇପିଏଲରେ ଚାମ୍ପିୟନ ହୋଇଥିବା ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ନୀରଜଙ୍କୁ କୋଟିଏ ଟଙ୍କା ଦେଇଛି । ଟ୍ୱିଟରରେ ନୀରଜଙ୍କ ସହ ଏକ ଫଟୋ ସେୟାର କରି ଏ ବାବଦରେ ସୂଚନା ଦେଇଛି ସିଏସକେ । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲା ସିଏସକେ।

କେବଳ ୧କୋଟି ଟଙ୍କା ନୁହେଁ ବରଂ ଏକ ସ୍ବତନ୍ତ୍ର ଜର୍ସି ମଧ୍ୟ ନୀରଜ ଚୋପ୍ରାଙ୍କୁ ଦେଇଛି ସିଏସକେ। ଯେଉଁ ଜର୍ସିରେ ୮୭୫୮ ପ୍ରିଣ୍ଟ ରହିଛି । ନୀରଜ ଚୋପ୍ରା ୮୭.୫୮ ମିଟର ଦୂର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯେଉଁଥିପାଇଁ ଏହି ନମ୍ବର ଥିବା ଏକ ଜର୍ସି ନୀରଜଙ୍କୁ ଦେଇଛି ସିଏସକେ।

ଚେନ୍ନାଇ ପକ୍ଷରୁ ନୀରଜଙ୍କୁ ୧ କୋଟି ଟଙ୍କା ମିଳିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି ପକ୍ଷରୁ ଏକ ଏକ୍ସୟୁଭି ୭୦୦ ଗାଡି ଦିଆଯାଇଛି । ଉପହାରରେ ଗାଡି ପାଇବା ପରେ ଏନେଇ ଟ୍ୱିଟ୍ କରି ଫଟୋ ସେୟାର କରିଛନ୍ତି ନୀରଜ । ଖୁବଶୀଘ୍ର ଏହାକୁ ଚଲାଇବି ବୋଲି କହିବା ସହ ସୁନ୍ଦର ଗାଡି ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀରଜ । ୮୭୫୮ ସ୍ପେଶାଲ ନମ୍ବର ଥିବା ଏକ୍ସୟୁଭି ଗାଡି ନୀରଜଙ୍କୁ ଦିଆଯାଇଛି । ଏହି ସ୍ପେଶାଲ ନମ୍ବର ପଛରେ ନୀରଜଙ୍କ ଅଲିମ୍ପିକ୍ସ ସଫଳତା ଲୁଚି ରହିଛି । କାରଣ ୮୭.୫୮ ମିଟର ଦୂରତା ଯାଏଁ ଜାଭେଲିନ ଫିଙ୍ଗି ଅଲିମ୍ପିକ୍ସରେ ସୁନା ପଦକ ହାତେଇଥିଲେ ନୀରଜ ।

ସମ୍ବନ୍ଧିତ ଖବର