ଚେନ୍ନାଇ: ଋତୁରାଜ ଗାଏକ୍ବାଡ୍‌ଙ୍କ ଆହତ କାରଣରୁ ଚେନ୍ନାଇ ସୁପର୍ କିଙ୍ଗ୍ସର ନେତୃତ୍ବ ଭୂମିକାକୁ ଫେରିଥିଲେ ମହେନ୍ଦ୍ର ସିଂହ ଧୋନି। କିନ୍ତୁ ୫ ଥର ବିଜେତା ‌ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଚଳିତ ଋତୁର ସର୍ବନିମ୍ନ ସ୍କୋର୍‌ ୧୦୩ରେ ରୋକିବା ସହ ଗତ ଥରର ବିଜେତା କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟ୍‌ ବ୍ୟବଧାନରେ ଜବରଦସ୍ତ ବିଜୟ ହାସଲ କରିଛି। ସୁନିଲ ନାରାୟଣଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ (୩/୧୩ ଏବଂ ୧୮ ବଲ୍‌ରୁ ୪୪ ରନ୍) ବଳରେ ଚେନ୍ନାଇକୁ ଚେନ୍ନାଇ ମାଟିରେ ହରାଇ କୋଲକାତା ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ଚଳିତ ଋତୁରେ ସଂଘର୍ଷ କରୁଥିବା ସିଏସ୍‌କେ କ୍ରମାଗତ ପଞ୍ଚମ ପରାଜୟ ବରଣ କରି ଆଉ ଏକ ଅଲୋଡ଼ା ଧାରାରେ ରହିଛି। ଘରୋଇ ମାଟିରେ ସର୍ବନିମ୍ନ ଦଳଗତ ସ୍କୋର୍‌ ସହ ଦଳ ୩ ପରାଜୟ ବରଣ କରି ନିଜ ପ୍ରଶଂସକଙ୍କୁ ନିରାଶ କରିଛି।

Advertisment

ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ଧୋନିଙ୍କ ପାଇଁ କିଛି ବି ଭଲ ବିତି ନଥିଲା। ଟସ୍ ହାରି ବ୍ୟାଟିଂ କରିଥିଲା ଦଳ। ନ୍ୟୁଜିଲାଣ୍ଡ୍ ପ୍ରାରମ୍ଭିକ ଯୋଡ଼ି ରାଚିନ ରବୀନ୍ଦ୍ର (୪) ଓ ଡେଭନ୍ କନ୍‌ୱେ (୧୨) ପାୱାର ପ୍ଲେ ଭିତରେ ଫେରିଯାଇଥିଲେ। ଏହି ୬ ଓଭରରେ ମାତ୍ର ୩୧ ରନ୍ ସଂଗ୍ରହ କରିବା ମଧ୍ୟ ଚଳିତ ଋତୁର ଦ୍ବିତୀୟ ସର୍ବନିମ୍ନ ସ୍କୋର୍‌ ହୋଇଥିଲା। ଦଳକୁ ଫେରିଥିବା ରାହୁଲ ତ୍ରିପାଠୀ ୨୨ ବଲ୍ ସଂଘର୍ଷ କରି ୧୬ ରନ୍ କରିପାରିଥିଲେ। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ଶେଷ ପର୍ଯ୍ୟନ୍ତ ମନ୍ଥର ଖେଳିବାକୁ ବାଧ୍ୟ ହୋଇଥିଲେ ଶିବମ ଦୁବେ (୨୯ ବଲ୍‌ରୁ ୩୧)। ୪ ଜଣ ଦୁଇ ଅଙ୍କ ଛୁଇଁ ଥିଲାବେଳେ ଦୁବେଙ୍କ ୩୧ ରନ୍ ସର୍ବାଧିକ ଥିଲା। ୯ ନମ୍ବରରେ ବ୍ୟାଟିଂକୁ ଆସି ଧୋନି ୧ ରନ୍‌ କରି ଆଉଟ୍‌ ହୋଇଥିଲେ। କେକେଆର୍‌ର ସ୍ପିନ୍ ହେଉ କି ପେସ୍‌ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଏହି ହଳଦିଆ ଜର୍ସିର ଖ୍ୟାତନାମା ଦଳ। ସୁନିଲ ନାରାୟଣ (୪-୦-୧୩-୩), ହର୍ଷିତ ରାଣା (୪-୦-୧୬-୨), ବରୁଣ ଚକ୍ରବର୍ତ୍ତୀ (୪-୦-୨୨-୨)ଙ୍କ ସହ ଚୂଡ଼ାନ୍ତ ଏକାଦଶକୁ ଫେରିଥିବା ମୋଇନ୍ ଅଲୀ (୪-୧-୨୦-୧)ଙ୍କ ମିତବ୍ୟୟୀ ବୋଲିଂ ସୁପର୍ କିଙ୍ଗ୍ସ ପାଳିକୁ ବାନ୍ଧି ରଖିଥିଲା। ଏକମାତ୍ର ବୋଲର ଭାବେ ୩୦ରୁ ଅଧିକ ରନ୍ ବ୍ୟୟ କରିଥିଲେ ବୈଭବ ଅରୋଡ଼ା (୪-୦-୩୧-୧)। ସୁନିଲ ନାରାୟଣ ଆଇପିଏଲ୍‌ ଇତିହାସରେ ୧୬ତମ ଥର ପାଇଁ ଗୋଟିଏ ବି ବାଉଣ୍ଡରି ବରଣ କରି ନଥିଲେ।

ଜବାବରେ‌ କୋଲକାତା ନାଇଟ୍ ରାଇଡର୍ସ ପାୱାର ପ୍ଲେ ୬ ଓଭରରେ ମାତ୍ର ଗୋଟିଏ ୱିକେଟ୍ (କ୍ବିଣ୍ଟନ୍ ଡି’କକ୍-୨୩) ହରାଇ ୭୧ ରନ୍ ସଂଗ୍ରହ କରିଥିଲା। ସୁନିଲ ନାରାୟଣ (୧୮ ବଲ୍‌ରୁ ୪୪ ରନ୍, ୨ ଚୌକା, ୫ ଛକା) ଆକ୍ରମଣାତ୍ମକ ଖେଳି ବିଦାୟ ନେବା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୭ ବଲ୍‌ରୁ ୨୦*) ଏବଂ ରିଙ୍କୁ ସିଂହ (୧୨ ବଲ୍‌ରୁ ୧୫*) ଦଳକୁ ୫୯ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ବିଯୁକ୍ତାତ୍ମକ ପଏଣ୍ଟ୍‌କୁ ଦୂର କରିବା ସହ କେକେଆର୍‌ ଷଷ୍ଠରୁ ତୃତୀୟ ସ୍ଥାନକୁ ଲମ୍ଫ ମାରିଛି। ନାରାୟଣ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୦୩/୯ (ଶିବମ ଦୁବେ-୩୧*, ବିଜୟ ଶଙ୍କର-୨୯, ସୁନିଲ ନାରାୟଣ-୩/୧୩, ହର୍ଷିତ ରାଣା-୨/୧୬, ବରୁଣ ଚକ୍ରବର୍ତ୍ତୀ-୨/୨୨, ମୋଇନ୍ ଅଲୀ-୧/୨୦, ବୈଭବ ଅରୋଡ଼ା-୧/୩୧)। କୋଲ୍‌କାତା ନାଇଟ୍ ରାଇଡର୍ସ ୧୦.୧ ଓଭରରେ ୧୦୭/୨ (ସୁନିଲ ନାରାୟଣ-୪୪, କ୍ବିଣ୍ଟନ୍ ଡି’କକ୍-୨୩, ଅଜିଙ୍କ୍ୟ ରାହାଣେ-୨୦*, ରିଙ୍କୁ ସିଂହ-୧୫*, ନୁର ଅହମ୍ମଦ-୧/୮, ଅଂଶୁଲ କମ୍ବୋଜ-୧/୧୯)।