ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୭୭ ରନ୍‌ରେ ପରାସ୍ତ କରିଛି। ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୪୬ ରନ୍‌ରେ ଅଟକି ଯାଇଛି। ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀର ୯ଜଣ ଖେଳାଳି ଆଉଟ୍‌ ହୋଇଛନ୍ତି। ଚେନ୍ନାଇ ପାଇଁ ଦୀପକ ଚହର ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୨ ରନ୍‌ ଖର୍ଚ୍ଚ କରିଥିଲେ। ମହୀଶ ତିକଶାନା ଓ ମତିଶା ପଥିରାଣାଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା। ସେହିପରି ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଦେଜା ୧-୧ ୱିକେଟ୍‌ ନେଇଥିଲେ।

Advertisment

publive-image Photo: IPL Twitter

ଦିଲ୍ଲୀ ପାଇଁ ଅଧିନାୟକ ଡେଭିଡ ୱାର୍ନର ବ୍ୟକ୍ତିଗତ ଭାବେ ସର୍ବାଧିକ ୮୬ ରନ୍‌ ସଂଗ୍ରହ କରିଥିଲେ। ଅକ୍ଷର ପଟେଲ ୧୫ ରନ୍‌ ଓ ୟଶ ଧୂଲ ୧୩ ରନ୍‌ରେ ଆଉଟ୍‌ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

publive-image Photo: IPL Twitter

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଖେଳୁଥିବା ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍‌ ହରାଇ ୨୨୩ ରନ୍‌ କରିଥିଲା। ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାଡ ଓ ଡେୱନ କନ୍‌ୱେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୧୪୧ ରନ୍‌ର ଭାଗିଦାରୀ କରିଥିଲେ। ଋତୁରାଜ ୫୦ଟି ବଲ୍‌ ସମ୍ମୁଖୀନ ହୋଇ ୩ଟି ଚୌକା ଓ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୯ ରନ୍‌ କରିଥିଲେ। ଋତୁରାଜ ଆଉଟ୍‌ ହୋଇ ପାଭଲିଅନ ଫେରିଯିବା ପରେ ଶିଭମ ଦୁବେ (୨୨ ରନ୍‌) ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ। ଆଉଟ୍‌ ହେବା ପୂର୍ବରୁ ସେ କନୱେଙ୍କ ସହିତ ୫୪ ରନ୍‌ର ଭାଗିଦାରୀ ହୋଇଥିଲେ।

ଚେନ୍ନାଇ ପାଇଁ କନୱେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍‌ ଖେଳି ୧୧ଟି ଚୌକା ଓ ୩ଟି ଛକା ବଳରେ ୮୭ ରନ୍‌ ସଂଗ୍ରହ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫ ରନ୍‌ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୨୦ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ ପକ୍ଷରୁ ଖଲିଲ ଅହମଦ, ଅନରିଚ୍‌ ନୋରଟଜେ ଓ ଚେତନ ସାକରିଆଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।