ଶୀର୍ଷକୁ ଫେରିବା ଲକ୍ଷ୍ୟରେ ଚେନ୍ନାଇ, ଆଜି କଳିଙ୍ଗରେ ଆରୋଜକୁ ଭେଟିବ

ଭୁବନେଶ୍ବର: ଆଇ ଲିଗ୍‌ ଦ୍ବାଦଶ ସଂସ୍କରଣ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବା ଚେନ୍ନାଇ ସିଟି ଏଫ୍‌ସିକୁ ଗୁରୁବାର ରିୟଲ କଶ୍ମୀର ହଟାଇ ଦେଇଛି। ଏହି ସ୍ଥାନକୁ ଫେରିବାକୁ ଶୁକ୍ରବାର କଳିଙ୍ଗ ‌ଷ୍ଟାଡିୟମରେ ଏକ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ଘରୋଇ ଦଳ ଇଣ୍ଡିଆନ୍ ଆରୋଜକୁ ଭେଟିବ। ସଂପ୍ରତି ଚେନ୍ନାଇ ୧୪ ମ୍ୟାଚ୍‌ରୁ ୯ ବିଜୟ, ୨ ପରାଜୟ ଓ ୩ ଅମୀମାଂସିତ ସହ ୩୦ ପଏଣ୍ଟ୍‌ ପାଇ ତାଲିକାରେ ରିୟଲ କଶ୍ମୀର (୩୨) ପଛକୁ ଦ୍ବିତୀୟରେ ରହିଛି। ଅନ୍ୟପକ୍ଷରେ ଇଣ୍ଡିଆନ୍‌ ଆରୋଜ ୧୬ ମ୍ୟାଚ୍‌ରୁ ୫ ବିଜୟ, ୧୦ ପରାଜୟ ଓ ଗୋଟିଏ ଅମୀମାଂସିତ ରଖି ୧୬ ପଏଣ୍ଟ୍‌ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି। ପ୍ରଥମ ଲିଗ୍‌ ମ୍ୟାଚ୍‌‌ରେ ଚେନ୍ନାଇ ନିଜ ଘରୋଇ ପଡ଼ିଆରେ ଆରୋଜ୍‌କୁ ୪-୧ ଗୋଲ୍‌ରେ ହରାଇଥିଲା। ଚେନ୍ନାଇର ସ୍ପେନ୍‌ ତାରକା ପେଡ୍ରୋ ମାନ୍‌ଜି ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ ହାସଲ କରିଥିଲେ। ଏଥି ସହ ସେ ମଧ୍ୟ ଚଳିତ ସଂସ୍କରଣରେ ୧୩ ‌‌ଗୋଲ୍‌ ଦେଇ ସ‌ାରିଛନ୍ତି। ଫଳରେ ମାନ୍‌ଜିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କଳିଙ୍ଗରେ ୩ ପରାଜୟ ପରେ ଗତ ମଙ୍ଗଳବାର ଆରୋଜ ୨-୧ ଗୋଲ୍‌ରେ ବିଜେତା ମିନର୍ଭାକୁ ପରାସ୍ତ କରିଥିଲା। ଏହି ବିଜୟ ଶୁକ୍ରବାର ମ୍ୟାଚ୍‌ ଲାଗି ଆରୋଜର ମନୋବଳକୁ ଦୃଢ଼ ରଖିଛି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଆମର ମୁଖ୍ୟ ଲକ୍ଷ୍ୟ ରହିବ କିଭଳି ପୂର୍ବ ଭୁଲକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବା। ସମସ୍ତେ ଦେଖୁଛନ୍ତି ଚେନ୍ନାଇ ଦଳ ‌ପଏଣ୍ଟ୍‌ ଟେବୁଲର ଦ୍ବିତୀୟରେ ରହିଛି। ଏଥିରେ ଇଣ୍ଡିଆନ୍‌ ଆରୋଜ ପଛରେ ପଡ଼ିଛି ନିଶ୍ଚିତ। ତଥାପି ଶୁକ୍ରବାର ଏହାକୁ ଭ୍ରୁ‌କ୍ଷେପ ନ କରି ଆମେ ତାଙ୍କୁ ଅଟକାଇବାକୁ ଚେଷ୍ଠା କରିବୁ। ପିଲାଙ୍କ ଉପରେ ବିଶ୍ବାସ ରହିଛି, ସେମାନ‌େ ଚେନ୍ନାଇର ରକ୍ଷଣଭାଗକୁ ଭେଦି ଗୋଲ୍‌ ଦେବାକୁ ସକ୍ଷମ ହେବେ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକ‌ାଶ କରିଛନ୍ତି ଆରୋଜ ପ୍ରଶିକ୍ଷକ ଫ୍ଲୟଡ୍‌ ପିଣ୍ଟୋ। ଏବେ ଗୋଟେ ଅଧ୍ୟାୟ ଶେଷ ହୋଇଛି, କିନ୍ତୁ ଆମେ ଆଉ ଏକ ସକାରାତ୍ମକ ଅପେକ୍ଷାରେ ରହିଛୁ। ସଂପ୍ରତି ଇଣ୍ଡିଆନ୍‌ ଆରୋଜ ଆମ ପା‌ଇଁ ମୁଖ୍ୟ ପ୍ରସଙ୍ଗ। ଯୁବ ଦଳ ଇଣ୍ଡିଆନ୍‌ ଆରୋଜର ସାଂପ୍ରତିକ ପ୍ରଦର୍ଶନ ଯାହା ରହିଛି ‌ଆମେ ତାକୁ ଶ୍ରେୟ ଦେବାକୁ ଚାହିଁବୁ। ସେମାନ‌େ ବହୁତ ଦ୍ରୁତ ରହିବା ସହ ପରାଜୟକୁ ଖାତିର କରୁନାହାନ୍ତି। ଆମ ଦଳଠୁ ଆରୋଜ ବଡ଼ ବିପଦପୂର୍ଣ୍ଣ। ଆମର ମନୋବଳ ଭଲ ରହିଛି। ସବୁ ମ୍ୟାଚ୍‌ରେ ଶ୍ରେଷ୍ଠ ଦେବାକୁ ଚେଷ୍ଠା କରୁ ବ‌ୋଲି ଚେନ୍ନାଇ ପ୍ରଶିକ୍ଷକ ଆକ୍‌ବର ନୱାସ କହିଛନ୍ତି।

ସମ୍ବନ୍ଧିତ ଖବର