ୱାଟ୍‌ସନ୍‌ ଉଡ଼ାଇଲେ ହାଇଦ୍ରାବାଦ ହୋସ୍‌

ଚେନ୍ନାଇ: ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗ୍ସ ପୁଣି ପଏଣ୍ଟ ଟେବୁଲ୍‌ ଶୀର୍ଷକୁ ଫେରିଛି। ଧୋନିଙ୍କ ଦଳ ମଧ୍ୟ ଲଗାତାର ପରାଜୟ ଧାରାକୁ ଭାଙ୍ଗି ୧୧ତମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ଳେ ଅଫ୍‌ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦଶମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ୧୦ ପଏଣ୍ଟରେ ସୀମିତ ରହିଛି। ଚେପକ୍‌ରେ ମଙ୍ଗଳବାର ଟସ୍ ଜିତି ମହେନ୍ଦ୍ର ସିଂହ ଧୋନି ‌କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ଜନି‌ ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ହରଭଜନ ସିଂହଙ୍କ ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଯାଇଥିଲେ। ଏହି ସମୟରେ କିନ୍ତୁ ଡେଭିଡ୍ ୱାର୍ନର (୫୭, ୪୫ ବଲ, ୩‌ ଚୌକା, ୨ ଛକା) ଏବଂ ମନୀଷ ପାଣ୍ଡେ (୮୩*, ୪୯ ବଲ, ୭ ଚୌକା, ୩ ଛକା) ଦ୍ବିତୀୟ ୱିକେଟ୍‌ ପାଇଁ ୧୨ ଓଭରରେ ୧୧୫ ରନ୍ ଯୋଡ଼ି ନେଇଥିଲେ। ବିଜୟ ଶଙ୍କର (୨୬, ୨୦ ବଲ୍‌, ୨ ଚୌକା, ୧ ଛକା) ଦୀପକ ଚହରଙ୍କ ଶିକାର ହୋଇଥିଲେ। ୱାର୍ନରଙ୍କୁ ହରଭଜନ ଦ୍ବିତୀୟ ଶିକାର କରିବା ପରେ ଶେଷାନ୍ତ ଓଭର ଗୁଡ଼ିକରେ ଚେନ୍ନାଇ ବୋଲର ପ୍ରଭାବ ବିସ୍ତାର କରିଥିଲେ। ପ୍ରଥମ ୬ ଓଭରରେ ୫୪ ରନ୍ କରିଥିବା ହାଇଦ୍ରାବାଦ ଶେଷ ୬ ଓଭରରେ ମାତ୍ର ୪୧ ରନ୍ ଯୋଡ଼ିବାରୁ ଏଭଳି ହୋଇଥିଲା। ଫଳରେ ସମ୍ଭାବ୍ୟ ୨୦୦ ରନ୍‌ ଆଡକୁ ଦଳ ଅତିକ୍ରମ କରିପାରିନଥିଲା।

ଜବାବରେ ଭୁବନେଶ୍ବର କୁମାରଙ୍କୁ ମେଡେନ୍‌ ଦେଇ ମନ୍ଥର ଆରମ୍ଭ କରିଥିବା ଚେନ୍ନାଇ ଫାପ୍ ଡୁ ପ୍ଲେସିସଙ୍କୁ ରନ୍ ଆଉଟ୍ ରୂପରେ ହରାଇଥିଲା। ପ୍ରଥମ ୩ ଓଭରରେ ୮ ରନ୍ କରିଥିବା ଚେନ୍ନାଇକୁ ଏଥର ସେନ୍‌ ୱାଟସନ୍‌ ରକ୍ଷା କରିଥିଲେ। ସୁରେଶ ରାଇନା (୩୮, ୨୪ ବଲ, ୬ ଚୌକା, ୧ ଛକା)ଙ୍କ ସହିତ ମିଶି ୱାଟସନ୍‌ ୭୭ ରନ୍ ଯୋଡ଼ିଥିଲେ। ବ୍ୟକ୍ତିଗତ ଭାବେ ୩୩ ରନ୍‌ରେ ଥିବା‌ବେ‌ଳେ ସନ୍ଦୀପ ଶର୍ମାଙ୍କ ବୋଲିଂରେ ଜନି ବେୟାରଷ୍ଟୋ ୱିକେଟପଛପଟେ କ୍ୟାଚ୍‌ ଛାଡ଼ିବାରୁ ଜୀବନଦାନ ପାଇଥିବା ୱାଟସନ୍‌ ଏହା ପରେ ଭୟଙ୍କର ଖେଳିଥିଲେ। ୩୫ ବଲରୁ ଚଳିତ ଋତୁର ପ୍ରଥମ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ରହିଥିଲେ। ୱାଟସନ୍‌ ୫୩ ବଲ୍‌ ଖେଳି ୯ ଚୌକା, ୬ ଛକା ବଳରେ ୯୬ ରନ୍ କରି ଅବଶ୍ୟ ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଭୁବନେଶ୍ବର କୁମାର ନେଇଥିଲେ ତାଙ୍କ ୱିକେଟ୍‌। ଅମ୍ବାତି ରାୟୁଡୁ (୨୧, ୨୫ ବଲ) ଏବଂ କେଦାର ଯାଦବ (୧୧*, ୧୦ ବଲ୍‌, ୧ ଛକା) ବିଜୟ ଶେଷ କରିଥିଲେ। ଭୁବନେଶ୍ବର କୁମାର (୪-୧-୧୮-୧)ଙ୍କ ମିତ୍ତବ୍ୟୟୀ ବୋଲିଂ ଚିତ୍ର ବେକାର ଯାଇଥିଲା। ୱାଟ୍‌ସନ୍ କିନ୍ତୁ ତାଙ୍କ ବହୁ ପ୍ରତୀକ୍ଷିତ ଆକର୍ଷଣୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଖରାପ ଫର୍ମ ସତ୍ତ୍ବେ ଏତେ ସୁଯୋଗ ଦେଇଥିବାରୁ ୱାଟସନ୍‌ ମ୍ୟାଚ୍‌ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଧନ୍ୟବାଦ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୫/୩ (‌ମନୀଷ ପାଣ୍ଡେ-୮୩*, ଡେଭିଡ୍‌ ୱାର୍ନର-୫୭, ହରଭଜନ ସିଂହ-୨/୩୯)। ଚେନ୍ନାଇ ସୁପର୍ କିଙ୍ଗ୍ସ ୧୯.୫ ଓଭରରେ ୧୭୬/୪ (ଭୁବନେଶ୍ବର କୁମାର-୧/୧୮, ରସିଦ୍ ଖାନ୍‌-୧/୪୪, ସନ୍ଦୀପ ଶର୍ମା-୧/୫୪)।

ସମ୍ବନ୍ଧିତ ଖବର