ଆଇପିଏଲ୍‌: ସନରାଇଜର୍ସ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୧ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ । ଦ୍ୱିତୀୟ ପାଳିରେ ୧୭୬ ରନ୍‌ର ଲକ୍ଷ୍ୟ ପିଛାକରି ଚେନ୍ନାଇ ୧୯.୫ ଓଭରରେ ୪ ଓ୍ଵିକେଟ ହରାଇ ଏହାକୁ ହାସଲ କରିଛି। ଚେନ୍ନାଇ ପକ୍ଷରୁ ସେନ୍‌ ଓ୍ଵାଟସନ୍‌ଙ୍କ ଦମ୍‌ଦାର ୯୬ ରନ୍‌ (୫୩ ବଲ୍‌, ୯ ଚଉକା, ୬ ଛକା) ବଳରେ ଚେନ୍ନାଇ ଏହି ମ୍ୟାଚରେ ଏକ ତରଫା ବିଜୟ ହାସଲ କରିଥିଲା । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ରାସିଦ ଖାନ୍‌ ଓ ସନ୍ଦିପ ଶର୍ମା ୧-୧ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୧୬ ପଏଣ୍ଟ ସହ ଟେବୁଲ ର ଶୀର୍ଷରେ ରହିଛି ।

ପ୍ରଥମ ଇନିଂସରେ ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍‌ ବଳରେ ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ୧୭୫ ରନ୍‌ କରିଥିଲା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୧ତମ ମ୍ୟାଚରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ ହରାଇଥିଲା। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମନୀଷ ୪୯ଟି ବଲ ଖେଳି ୭ଟି ଚୌକା ଓ ୩ଟି ଛକା ମାରିଥିଲେ।

ଚେନ୍ନାଇ ଟିମ୍‌ର ହରଭଜନ ସିଂହଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେବା ପୂର୍ବରୁ ଓପନର ଡାଭିଡ ଓ୍ଵାର୍ଣ୍ଣର ୪୫ଟି ବଲ ସମ୍ମୁଖୀନ ହୋଇ ୫୭ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଓ୍ଵାର୍ଣ୍ଣର ଆଉଟ ହେବା ପୂର୍ବରୁ ମନୀଷଙ୍କ ସହିତ ୧୦୫ ରନ୍‌ ଭାଗିଦାରୀ ହୋଇପାରିଥିଲେ। ହାଇଦ୍ରାବାଦ୍‌ ପ୍ରଥମ ଓ୍ଵିକେଟ ଭାବେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ସ୍କୋର ୧୬୭ ରନ୍‌ରେ ବିଜୟ ଶଙ୍କର ଆଉଟ୍‌ ହୋଇଥିଲେ। ଶଙ୍କର ୨୦ଟି ବଲ ଖେଳି ୨୬ ରନ୍‌ କରିବା ପରେ ଦିପକ ଚହରଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇଥିଲେ। ୟୁସୁଫ ପଠାନ ଅପରାଜିତ ୫ ରନ କରି ପାଭଲିଅନ୍‌ ଫେରିଥିଲେ।

ସମ୍ବନ୍ଧିତ ଖବର