ଚେନ୍ନାଇର ଚମକପ୍ରଦ ବିଜୟ, ପୁଣି ହାରିଲା ସନ୍‌ରାଇଜର୍ସ

୫୦ ଅର୍ଦ୍ଧଶତକ ମାରିବାରେ ୱାର୍ଣ୍ଣର ପ୍ରଥମ

ନୂଆଦିଲ୍ଲୀ: ସନ୍‌ରାଇଜର୍ସର ଚମକକୁ ଫିକା କରି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାର ସହଜ ବିଜୟ ହାସଲ କରିଛି। ଚଳିତ ଆଇପିଏଲ୍‌ର ଅନ୍ୟତମ ଏକତରଫା ମ୍ୟାଚ୍‌ରେ ଏହି ତିନି ଥର ବିଜେତା ଦଳ ପ୍ରତିପକ୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୭ ୱି‌କେଟ୍‌ରେ ହରାଇ ଦେଇଛି। ତା’ ସହ ଷଷ୍ଠ ମ୍ୟାଚ୍‌ରୁ ଲଗାତାର ପଞ୍ଚମ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଫେରିଛି। ଅନ୍ୟପକ୍ଷରେ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କ ମାଇଲଖୁଣ୍ଟ ଭରା ଅର୍ଦ୍ଧଶତକ ସତ୍ତ୍ବେ ସନ୍‌ରାଇଜର୍ସ ୬ ମ୍ୟାଚ୍‌ରୁ ୫ ପରାଜୟ ପାଇ ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ପୁର୍ବବତ୍ ଝୁଲି ରହିଛି।

୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ପ୍ରାରମ୍ଭିକ ଯୋଡ଼ି ଋତୁରାଜ ଗାଏକ୍ବାଡ୍ ଓ ଫାଫ୍ ଡୁ’ପ୍ଲେସିସ୍ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିବା ସହ ପ୍ରଥମ ୱିକେଟ୍‌ରେ ୧୨୯ ରନ୍ ଯୋଡ଼ିଥିଲେ। ୨୪ ବର୍ଷୀୟ ଋତୁରାଜ ଧମାକାଦାର ବ୍ୟାଟିଂ କରି ଦଗଦୀଶ ସୁଚିତଙ୍କ ଗୋଟିଏ ଓଭରରେ ହ୍ୟାଟ୍ରିକ୍ ଚୌକା ମାରିବା ସହ ବିଶ୍ବ କ୍ରିକେଟର୍‌ ଅନ୍ୟତମ ଦକ୍ଷ ସ୍ପିନର ରସିଦ ଖାନ୍‌ଙ୍କ ଗୋଟିଏ ଓଭରରୁ ତିନିଟି ଚୌକା ଅମଳ କରିଥିଲେ। ରସିଦଙ୍କ ତୃତୀୟ ଓଭରର ‌ଶେଷ ବଲ୍‌ରେ ବୋଲ୍ଡ ହେବା ପୂର୍ବରୁ ୪୪ ବଲ୍‌ରୁ ୭୫ ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ। ରସିଦ ଅବଶ୍ୟ ନିଜ ୪ ଓଭରିଆ ସ୍ପେଲ୍‌ର ଶେଷ ଦୁଇ ବଲ୍‌ରେ ମୋଇନ ଅଲ୍ଲୀ (୧୫) ଓ ଡୁ’ପ୍ଲେସିସ୍‌ଙ୍କୁ ଆଉଟ୍ କରି ମ୍ୟାଚ୍‌ରେ କିଛିଟା ରୋମାଞ୍ଚ ଭରିଥିଲେ। ହେଲେ ଆଉ ଅଧିକ ରନ୍ ବାକି ନଥିବାରୁ ଚେନ୍ନାଇ ବିନା ଚାପରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସୁରେଶ ରାଇନା (୧୭*) ସନ୍ଦୀପ ଶର୍ମାଙ୍କୁ ଚୌକା ମାରି ୯ ବଲ୍ ପୂର୍ବରୁ ନିଜ ଅଧିନାୟକ ଧୋନିଙ୍କୁ ଆତ୍ମବିଶ୍ବାସ ଭରା ବିଜୟ ଉପହାର ଦେଇଥିଲେ।

ବୁଧବାର ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଦୁଇଟି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପ୍ରଥମତଃ ସେ (୫୭ ରନ୍, ୫୫ ବଲ୍, ୩ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ମଧ୍ୟ ଥିଲା ଆଇପିଏଲ୍‌ରେ ୧୪୮ତମ ମ୍ୟାଚ୍‌ରୁ ତାଙ୍କର ୫୦ତମ ଅର୍ଦ୍ଧଶତକ। ଏକ୍ଷେତ୍ରରେ ସେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୫୦ ଅର୍ଦ୍ଧଶତକର କୀର୍ତ୍ତିମାନ ରଚିଥିଲେ। କେବଳ ଦିଲ୍ଲୀ କ୍ୟାପିଟାଲ୍‌ସ ଓପ୍‌ନର ଶିଖର ଧାୱନ୍‌ (୪୩ ଅର୍ଦ୍ଧଶତକ) ତାଙ୍କ ପଛକୁ ସର୍ବାଧିକ ଅର୍ଦ୍ଧଶତକ ଜମାଇବା ତାଲିକାରେ ଦ୍ବିତୀୟରେ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୪୦) ତୃତୀୟ ସ୍ଥାନରେ ରହିଛନ୍ତି। ପୁଣି ବୁଧବାର ପାଳି ବଳରେ ସେ ମଧ୍ୟ କ୍ରିସ୍ ଗେଲ୍ (୧୩୮୩୯), କିରଣ ପୋଲାର୍ଡ (୧୦୬୯୪) ଓ ସୋଏବ ମଲ୍ଲିକ (୧୦୪୮୮)ଙ୍କ ପରେ ଚତୁର୍ଥ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟ୍ବେଣ୍ଟି-୨୦ରେ ୧୦,୦୦୦ ରନ୍ ପୂରଣ କରିଥିଲେ। ପୁଣି ନିଜ ପାଳିରେ ୨ ଛକା ବଳରେ ଆଇପିଏଲ୍‌ରେ ୨୦୦ ଛକା ମଧ୍ୟ ମାରିବାର ସଫଳତା ସାଉଁଟିଥିଲେ। ୨୦୦ କିମ୍ବା ତା’ଠୁ ଅଧିକ ଛକା ମାରିବାରେ ୱାର୍ଣ୍ଣର ଆଇପିଏଲ୍‌ରେ ଅଷ୍ଟମ ଖେଳାଳି ହୋଇଛନ୍ତି। ୱାର୍ଣ୍ଣରଙ୍କ ଛକା ସଂଖ୍ୟା ୨୦୧ରେ ପହଞ୍ଚିଥିଲା ବେଳେ କ୍ରିସ୍‌ ଗେଲ୍‌ (୩୫୪), ଏବି ଡିଭିଲିୟର୍ସ (୨୪୫) ଓ କିରଣ ପୋଲାର୍ଡ (୨୦୨)ଙ୍କ ପରେ ଚତୁର୍ଥ ବିଦେଶୀ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

ୱାର୍ଣ୍ଣର କୀର୍ତ୍ତିମାନଭରା ପାଳି ସାଙ୍ଗକୁ ଦୁଇଟି ମ୍ୟାଚ୍‌ର ବ୍ୟବଧାନ ପରେ ଦଳକୁ ଫେରିଥିବା ମନୀଷ ପାଣ୍ଡେ (୬୧ ରନ୍, ୪୬ ବଲ୍, ୫ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭୧/୩ କରିଥିଲା। କେନ୍ ୱିଲିୟମସନ୍‌ଙ୍କ ୧୦ ବଲ୍‌ରୁ ୨୬* ରନ୍‌ କରିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଏହି ଘଟଣା ବହୁଳ ମ୍ୟାଚ୍‌ରେ ସନ୍‌ରାଇଜର୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ୨୨ ରନ୍‌ରେ ବିସ୍ଫୋରକ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ତେବେ ମନୀଷ ଓ ୱାର୍ଣ୍ଣରଙ୍କ ମଧ୍ୟରେ ୧୧୬ ରନ୍‌ର ଭାଗୀଦାରି ହୋଇଥିଲା। ୱାର୍ଣ୍ଣରଙ୍କ ଅପେକ୍ଷାକୃତ ଧିମା ବ୍ୟାଟିଂ ପାଇଁ ସନ୍‌ରାଇଜର୍ସ ଏକଦା ୧୫୦ ରନ୍ ଛୁଇଁବାକୁ ସଂଘର୍ଷ କରୁଥିଲା। ଠିକଣା ସମୟରେ ବି ଉଭୟ ଇମ୍ରାନ ତାହିରଙ୍କ ସ୍ଥାନରେ ଚେନ୍ନାଇ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ଲୁଙ୍ଗି ଏନ୍‌ଗିଡ଼ିଙ୍କ ଶିକାର ହୋଇଥିଲେ।

ହେଲେ ଶାର୍ଦୁଳ ଠାକୁରଙ୍କ ଗୋଟିଏ ଓଭରରୁ ୨୦ ରନ୍ ଅମଳ କରି ୱିଲିୟମସନ୍ ନିଜ ଦଳର ସ୍କୋରକୁ ୧୭୦ ରନ୍ ପାରି କରାଇ ଦେଇଥିଲେ। ବେୟାରଷ୍ଟୋଙ୍କୁ ମାତ୍ର ୭ ରନ୍‌ରେ ବିଦା କରିଥିବା ସାମ୍ କରନଙ୍କୁ ଛକା ମାରି ସନ୍‌ରାଇଜର୍ସ ପାଳି‌କୁ ଧମାକାଦାର ଶୈଳୀରେ ଶେଷ କରିଥିବା ଅଲରାଉଣ୍ଡର କେଦାର ଯାଦବ ବି ୪ ବଲ୍‌ରୁ ୧୨ ରନ୍‌ର ଛୋ‌ଟିଆ ‌ହେଲେ ତୋଫାନି ପାଳି ଖେଳିଥିଲେ। ୱିଲିୟମସନ୍ ଓ ଯାଦବଙ୍କ ପାଇଁ ସନ୍‌ରାଇଜର୍ସ ଶେଷ ୫ ଓଭରରେ ୫୮ ରନ୍ ଯୋଡ଼ି ନେଇଥିଲା। ୨୦୧୯ ଆଇପିଏଲ୍ ପରେ ଏହା ମଧ୍ୟ ଯାଦବଙ୍କର ପ୍ରଥମ ଛକା ଥିଲା। ଶାର୍ଦୁଳ ଠାକୁର କିନ୍ତୁ ପୁନର୍ବାର ମହଙ୍ଗା ସାବ୍ୟସ୍ତ ହୋଇ ୧୧ ହାରରେ ରନ୍ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର